ବଜେଟ ୨୦୨୦-୨୧ ଉପସ୍ଥାପିତ : ଫୋକସରେ ଶିକ୍ଷା,ସ୍ୱାସ୍ଥ୍ୟ-ଚାଷୀ

union budget 2020-21

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି, ଶିକ୍ଷା, ମହିଳାଙ୍କ ବିକାଶ, ରାସ୍ତାଘାଟ ଵିକାଶ ଓ ଅନ୍ୟାନ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରାୟ ୨ ଘଣ୍ଟା ୪୧ ମିନିଟ୍‌ ଧରି ବଜେଟରେ ହୋଇଥିବା ବ୍ୟବସ୍ଥା ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ । ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେ​‌ତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଜାଣିବା ସହ ବଜେଟର ମୁଖ୍ୟାଂଶ ଉପରେ ନଜର ପକାଇବା ଆସନ୍ତୁ ।

ଚାଷୀଙ୍କ ପାଇଁ ଚିନ୍ତା!

ଚାଷୀଙ୍କୁ ଗୁରୁତ୍ୱ ଦେଇ ବଜେଟରେ ଦୁଗ୍ଧ, ମାଂଶ, ମାଛ ସମେତ ଶୀଘ୍ର ନଷ୍ଟ ହୋଇଯାଉଥିବା ଜିନିଷକୁ ଭଲ ରଖିବାକୁ ବାତାନୁକୁଳୀନ କିଶାନ୍‌ ରେଲ୍ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଛି । ଏହା କୃଷି ଉତ୍ପାଦର ପରିବହନକୁ ଅଧିକ ସହଜ ଓ ସୁରକ୍ଷିତ କରିବ । ସେହିଭଳି ଜଳ ସଂକଟ ଭୋଗୁଥିବା ୧୦୦ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି । ଯାହା ଦ୍ୱାରା ଚାଷୀଙ୍କ ଜଳ ସମସ୍ୟା ଦୂରକରି ହେବ । ୨୦ ଲକ୍ଷ ଚାଷୀଙ୍କୁ ପମ୍ପସେଟ ଚଳାଇବା ପାଇଁ ସୌରଶକ୍ତିର ଉପଯୋଗରେ ସହାୟତା କରାଯିବ। ଜମିର ଉର୍ବରତା ବଢାଇବା ପାଇଁ ରାସାୟନିକ ଖତର ବ୍ୟବହାର କୁ କମ କରାଯିବା ସହ ରାସାୟନିକ ଖତର ସନ୍ତୁଳିତ ବ୍ୟବହାର କରିବାକୁ ସୂଚନା ପ୍ରଦାନ କରାଯିବ । କିଷାନ କ୍ରେଡିଟ କାର୍ଡ ଯୋଜନାକୁ ୨୦୨୧ ପାଇଁ ବୃଦ୍ଧି କରାଯିବ ଏହାସହ ୨୦୨୫ ସୁଦ୍ଧା ଦୁଗ୍ଧ ଉପ୍ତାଦନକୁ ଦୁଇଗୁଣା କରାଯିବ । ୧୦୮ ମିଲିୟନ ଟନ କରିବାର ଲକ୍ଷ୍ୟ ରହିଛି । ଚାଷୀଙ୍କ ପାଇଁ ଭଣ୍ଡାର ସ୍କିମ,ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସାଗର ମିତ୍ର ଗଠନ ହେବ । ମହିଳା ଚାଷୀଙ୍କ ପାଇଁ ଧନ୍ୟ ଲକ୍ଷ୍ମୀ ଯୋଜନା ଘୋଷଣା କରାଯାଇଛି । ଯାହା ଦ୍ୱାରା ମଂଜି ତଥା ବୀହନ ସଂପର୍କିତ ଯୋଜନାଗୁଡିକରେ ମହିଳାଙ୍କୁ ମୁଖ୍ୟ ରୂପରେ ସାମିଲ କରାଯିବ । ଦେଶରେ ଥିବା ଉଭୟ ୱେୟର ହାଉସ ଏବଂ ଶୀତଳଭଣ୍ଡାରକୁ ନାବାର୍ଡ ନିଜ ପରିସରକୁ ନେବାସହିତ ଏହାକୁ ନୂଆ ତରିକାରେ ବିକଶିତ କରିବ ଓ ଦେଶରେ ନୂଆ ୱେୟର ହାଉସ ଏବଂ ଶୀତଳଭଣ୍ଡାର ନିର୍ମାଣ କରାଯିବ । ଏଥିପାଇଁ ପିପିପି ମଡେଲ ଆପଣାଯିବ ।

ଶେଷହେବ ମାନବ ରହିତ ରେଲୱେ କ୍ରସିଂ

ଏହାସହ ୨୦୨୦-୨୧ ସାଧାରଣ ବଜେଟରେ ରେଲୱ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରେଲୱେରେ ଆୟ ବହୁତ କମ ରହିଥିବା ବେଳେ ଆୟ ବଢ଼ାଇବା ପାଇଁ କାର୍ଯ୍ୟ କରାଯିବ । ଆବଶ୍ୟକ ସୌର ଶକ୍ତି ପାଇଁ ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ । ଦେଶରେ ତେଜସ୍ ପରି ଆଉ ଅଧିକ ଟ୍ରେନ୍ ଗଡ଼ିବ । ତେଜସ୍ ଟ୍ରେନ୍ ଜରିଆରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯୋଡ଼ାଯିବ । ସାରା ଦେଶରେ ମାନବ ରହିତ ରେଲୱେ କ୍ରସିଂ ଶେଷ କରିଦିଆଯାଇଛି । ଷ୍ଟେସନ୍ ଗୁଡ଼ିକର ଉନ୍ନତୀକରଣ ଉପରେ ଅଧିକ ଧ୍ୟାନ ଦିଆଯିବ, ଏବେ ଦେଶର ୫୫୦ ରେଲୱ୍ୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ ରହିଛି । ୧୧ ହଜାର କିମି ଟ୍ରାକର ବିଦ୍ୟୁତୀକରଣ ବ୍ୟବସ୍ଥା କରାଯିବ । ସୋଲାର ପାୱାର ଗ୍ରିଡ଼ ରେଳ ଧାରଣା କୋଣରେ ତିଆରି କରିବା ପାଇଁ ଯୋଜନା ହୋଇଛି ।

ଏଲଆଇସିରୁ  ସରକାରୀ ପୁଞ୍ଜି ପ୍ରତ୍ୟାହାର

ତେବେ ଚଳିତ ବଜେଟରେ ଗାଁ, ଗରିବ ଏବଂ ଚାଷୀଙ୍କୁ ଗୁରୁତ୍ୱ ଦିଆଯିବା ସହ ଶିକ୍ଷା କ୍ଷେତ୍ରକୁ ମଧ୍ୟ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଶିକ୍ଷା ପାଇଁ ବଜେଟରେ ୯୯,୩୦୦ କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ । ଏଥି ମଧ୍ୟରୁ ୩ ହଜାର କୋଟି ଦକ୍ଷତା ବିକାଶ କାମରେ ବ୍ୟୟ କରାଯିବ । ଜାତୀୟ ପୁଲିସ୍ ବିଶ୍ୱବିଦ୍ୟାଳୟ ଏବଂ ଜାତୀୟ ନ୍ୟାୟିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତାବ ଦିଆଯାଇଛି । ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ପ୍ରତି ଜିଲ୍ଲା ମେଡିକାଲରେ ଖୋଲାଯିବ ମେଡିକାଲ କଲେଜ। ଆୟୁଷ୍ମାନ ଯୋଜନାରେ ୨୦ ହଜାର ମେଡିକାଲକୁ ସାମିଲ କରାଯିବ । ୨୦୨୫ ସୁଦ୍ଧା ଟିବି ରୋଗର ଅନ୍ତ ଘଟିବ । ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିର୍ଭସିଟି ମଧ୍ୟ ନିର୍ମାଣ କରାଯିବ। ନୂଆ ଉଦ୍ୟୋଗୀଙ୍କ ସହାୟତା ପାଇଁ ନିର୍ଭୀକ ସ୍କିମ୍ ଆସିବ । ସେହିଭଳି ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା କରିଛନ୍ତି । ଏଲଆଇସି ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । କେବଳ ଏତିକି ନୁହେଁ, ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ମଧ୍ୟ ବିକ୍ରି କରାଯିବା ନେଇ ସଂସଦରେ ଆଜି ବଜେଟ ଉପସ୍ଥାପନ କଲା ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଆୟକର ଛାଡ଼ ସୀମା କୋହଳ

ପର୍ଯ୍ୟଟନ ପାଇଁ ୨୫୦୦କୋଟି ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନର ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ । ସଂସ୍କୃତିକୁ ପ୍ରୋତ୍ସାହାନ ପାଇଁ ଡିମଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସଂସ୍କୃତି ଉପରେ ଗବେଷଣା ପାଇଁ ପ୍ରତିଷ୍ଠା ହେବ ସଂଗ୍ରହାଳୟ । ୪ଟି ସଂଗ୍ରହାଳୟର ନବୀକରଣ କରାଯିବ । ୫ଟି ପ୍ରତ୍ନତତ୍ୱ ଅଂଚଳକୁ ପର୍ଯ୍ୟଟନ ସ୍ଥଳ ଘୋଷଣା କରାଯିବ । ରାଂଚିରେ ହେବ ଆଦିବାସୀ ସଂଗ୍ରହାଳୟ । ଆଦିବାସୀ, ସଂସ୍କୃତି ବିକାଶ ପାଇଁ ୫ ହଜାର କୋଟି ବ୍ୟୟ କରାଯିବ । ସଂସ୍କୃତି ମନ୍ତ୍ରାଳୟ ପାଇଁ ୩ ହଜାର ୧୫୦ କୋଟି ଖର୍ଚ୍ଚ କରାଯିବ । ୫ଟି ଐତିହାସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ଲୋଥଲରେ ମେରିଟାଇମ୍ ସଂଗ୍ରାହାଳୟ ପ୍ରତିଷ୍ଠା କରାଯିବ । ଏତଦ୍ ବ୍ୟତୀତ ଦେଶରେ କିଛି ଆଇକନିକ୍ ମ୍ୟୁଜିଅମ ପ୍ରତିଷ୍ଠା କରାଯିବ।

ଆଜିର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି କି, ବ୍ୟାଙ୍କରେ ଜମକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ସରକାରୀ ବ୍ୟାଙ୍କ ପାଇଁ ୩ ଲକ୍ଷ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ଇନସ୍ୟୁରାନ୍ସ ଗ୍ୟାରେଂଟି ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ଏଣିକି ବ୍ୟାଙ୍କରେ ଜମା ଟଙ୍କା ଉପରେ  ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍ସ ଗ୍ୟାରେଂଟି ମିଳିବ ।  ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୁଏ ତେବେ ଗ୍ରାହକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରାଯିବ । ପୂର୍ବପରି ୫ ଲକ୍ଷ ଯାଏଁ ଆୟ କରୁଥିବା ବ୍ୟକ୍ତି ଦେବେନି କୌଣସି ଆୟକର । ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ୭ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ଥିଲେ ୧୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ଅନ୍ୟପଟେ ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଆୟକର ଲାଗିବ ଯାହା ପୂର୍ବରୁ ୩୦ ପ୍ରତିଶତ ଥିଲା । ୧୨.୫ ରୁ ୧୫ ଲକ୍ଷ ଆୟ ଉପରେ ୨୫ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଲଗାଯିବ । ନୂଆ ତିଆରି ହୋଇଥିବା କମ୍ପୀନୀ ଗୁଡ଼ିକ ୧୫ ପ୍ରତିଶତ ଟାକ୍ସ ପ୍ରଦାନ କରିବେ ।

 ଚଳିତ ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ହୋଇଥିବା ବେୟ ଅଟକଳ 

-କୃଷି କ୍ଷେତ୍ର ପାଇଁ ୨ ଲକ୍ଷ ୮୩ ହଜାର କୋଟି,
-ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ : ୧ ଲକ୍ଷ ୨୩ ହଜାର କୋଟି

– ସ୍ବଚ୍ଛ ଭାରତ ମିଶନ: ୧୨ ହଜାର ୩୦୦ କୋଟି

– ପାଇପ ଯୋଗେ ଜଳଯୋଗାଣ: ୧୧ ହଜାର ୫୦୦ କୋଟି

– ଶିକ୍ଷା କ୍ଷେତ୍ର: ୯୯ ହଜାର ୩୦୦ କୋଟି

– ଜଳ ଜୀବନ ମିଶନ: ୩ ଲକ୍ଷ ୬୦ ହଜାର କୋଟି

– ସ୍ବାସ୍ଥ୍ୟସେବା କ୍ଷେତ୍ର: ୬୯ ହଜାର କୋଟି

– ବାୟୁ ପ୍ରଦୂଷଣ ରୋକିବାକୁ ୪୪୦୦ କୋଟି
-ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର: ୨୭ ହଜାର ୩୦୦ କୋଟି

– ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ: ୩୫ ହଜାର ୬୦୦ କୋଟି

– ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ: ୮୫ ହଜାର କୋଟି

– ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ: ୯୫୦୦ କୋଟି

– ସଂସ୍କୃତି ଓ ପର୍ଯ୍ୟଟନ: ୫୬୫୦ କୋଟି

– ପବ୍ଲିକ ସେକ୍ଟର ବ୍ୟାଙ୍କ: ୩ ଲକ୍ଷ ୫୪ ହଜାର କୋଟି

– ଦକ୍ଷତା ବିକାଶ: ୩ ହଜାର କୋଟି

– ସଡ଼କ ଓ ପରିବହନ: ୧ ଲକ୍ଷ ୭୦ ହଜାର କୋଟି

– ଲଦାଖ ବିକାଶ ପାଇଁ ୫୯୫୮ କୋଟି

Previous ବତକ ଚାଷ: କମ ଖର୍ଚ୍ଚ, ଅଧିକ ଲାଭ
Next ଜମୁଛି ଆଦିବାସୀ ମେଳା, ୮ଦିନରେ ତିନି କୋଟିରୁ ଅଧିକ ବେପାର

No Comment

Leave a reply

Your email address will not be published. Required fields are marked *