ବହୁଦିନ ଧରି ଭାରତରୁ ଚୀନ ଭିଡିଓ ଆପ୍ ଟିକ୍ଟକ୍ ହଟେଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଆଜି ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ନିଜ ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ଦୁଇ କମ୍ପନୀ ନିଜର ଆପ୍ ଷ୍ଟୋରରୁ ଟିକ୍ଟକ୍ ଆପ୍ ହଟାଇବା ଦ୍ୱାରା ଏହାକୁ କେହି ଡାଉନଲୋଡ କରି ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଯେଉଁମାନେ ଏହାକୁ ପୂର୍ବରୁ ଡାଉନଲୋଡ କରିଛନ୍ତି ସେମାନଙ୍କ ଉପରେ ଏହି କଟକଣାର ପ୍ରଭାବ ପଡ଼ିବ ନାହିଁ । ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍ଟକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଭଳି ଆପ୍ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଏକତରଫା ଏବଂ ଭେଦଭାବପୂର୍ଣ୍ଣ ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଆପ୍ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀର ଉପଲବ୍ଧଦା ପାଇଁ କମ୍ପାନୀକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଟିକ୍ଟକ ପକ୍ଷରୁ କୁହାଯାଇଛି।
ପ୍ଲେ ଷ୍ଟୋରରୁ ହଟିବ ଭିଡିଓ ଆପ୍ ଟିକ୍ଟକ୍
restriction on tiktok

No Comment