ଆସନ୍ତା ବର୍ଷଠୁ ଯାତ୍ରା ପାର୍ଟି ବନ୍ଦ କରିବାକୁ ମାଲିକ ସଂଘର ବିଚାର


ଆସନ୍ତା ବର୍ଷଠୁ ବନ୍ଦ ହେବ ଯାତ୍ରା ପାର୍ଟି । ଯାତ୍ରାପ୍ରେମୀ ଆଉ ଦେଖିବାକୁ ପାଇବେନି ମଞ୍ଚର ଯାଦୁ । ଯାତ୍ରା ବ୍ୟବସାୟରେ ପ୍ରଚୁର କ୍ଷତି ହେଉଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପାର୍ଟି ମାଲିକମାନେ । ଆଜି ଭୁବନେଶ୍ୱରରେ ଯାତ୍ରା ପାର୍ଟି ମାଲିକ ସଂଘର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସଂଘର ସଭାପତି ତଥା ଇଷ୍ଟର୍ଣ୍ଣ ଅପେରା ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଅବସ୍ଥା ସୁଧୁରିବା ପରିବର୍ତ୍ତେ ବର୍ଷ ପରେ ବର୍ଷ ଏଥିରେ ଯାତ୍ରାପାର୍ଟି ମାଲିକ ମାନେ ଅଧିକରୁ ଅଧିକ କ୍ଷତି ସହୁଛନ୍ତି । ରାଜ୍ୟରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ଯାତ୍ରା ଟିକେଟ ମୂଲ୍ୟ ବଢ଼ାଇବା ସମ୍ଭବ ହେଉନାହିଁ । ଖର୍ଚ୍ଚ ତୁଳନାରେ ଆୟ କମିବାରେ ଲାଗିଛି । ତେଣୁ ସଂଘ ପକ୍ଷରୁ ଆସନ୍ତା ବର୍ଷଠୁ ଯାତ୍ରା ପାର୍ଟି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଅନେକ ସମୟରେ ପ୍ରଶାସନର କଟକଣା, ବିନା କୌଣସି କାରଣରେ ଯାତ୍ରାପାର୍ଟି ପାଇଁ ଅନୁମତି ଦିଆନଯିବା, ବର୍ଷା ଓ ଶୀତ ଆଦି କାରଣରୁ ଲୋକ ଯାତ୍ରା ଦେଖିବାକୁ ଆଗ୍ରହୀ ନହେବା ଆଦି ମଧ୍ୟ ଏହା ପଛର କାରଣ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ତୁଳସୀ ଗଣନାଟ୍ୟ ମାଲିକ ପ୍ରଦୀପ ମହାରଥୀଙ୍କ ସମେତ ୨୩ଜଣ ଯାତ୍ରା ପାର୍ଟି ମାଲିକ ଉପସ୍ଥିତ ଥିଲେ ।

ସେପଟେ ଯାତ୍ରା ପାର୍ଟି ବନ୍ଦ ହେଲେ ପ୍ରାୟ ୫ହଜାର ଲୋକ ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ଯାତ୍ରା ପାର୍ଟି ମାଲିକ ସଂଘ ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ବର୍ଷେ ଭିତରେ ସେମାନଙ୍କୁ ରୋଜଗାର ଅନ୍ୟ ବିକଳ୍ପ ଦେଖିବାକୁ ପରାମର୍ଶ ଦେଇଥିବା ବେଳେ କିଛି କଳାକାର ଏହାକୁ ଦୁଃଖଦ କହିବା ସହିତ ଏଥିପାଇଁ ସରକାର କିଛି ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ।

Previous ଏନଗିଡ଼ିଙ୍କ ବିଧ୍ୱଂସି ବୋଲିଂ: ଭାରତ ପରାସ୍ତ
Next ରାତିରେ ନିଦ ଆସୁନି କି? ମାନନ୍ତୁ ଡାକ୍ତରଙ୍କ ଏହି 5ଟି ପରାମର୍ଶ

No Comment

Leave a reply

Your email address will not be published. Required fields are marked *