ଭୟଙ୍କର ହେଉଛି ‘ଫଣୀ’, ରାଜ୍ୟର କେତେକ ସ୍ଥାନରେ ବର୍ଷା ପବନ ଆରମ୍ଭ

ndrf and odraf team ready for to tackle cyclone fani

ସାମୁଦ୍ରିକ ଝଡ଼ ‘ଫଣୀ’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୋରରେ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବ। ଆସନ୍ତାକାଲି ମଧ୍ୟାହ୍ନ ପରେ ‘ଫଣୀ’ ଲ୍ୟାଣ୍ଡଫଲ୍‌ କରିବା ସ୍ଥାନ ଓ ଏହାର ଆଖପାଖରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦କି.ମି. ରହିପାରେ। ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡିକରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କି.ମି. ରହିବ । ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ୱରରେ  ୯୦ରୁ ୧୦୦ କିଲୋମିଟର ପବନର ବେଗ ଘଣ୍ଟା ପ୍ରତି ରହିପାରେ। ‘ଫଣୀ’ ପ୍ରଭାବରେ  ଆଜି ବ୍ରହ୍ମପୁର ଏବଂ ଗୋପାଳପୁରରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ କୌଣସି ଲୋକ କଚାଘରେ ନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।  ଆଜି ସକାଳ ୧୦ଟା ସୁଦ୍ଧା ୯୮୧୫୭ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି। ରାଜ୍ୟର ମୋଟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଫଣୀ’ କୁ ମୁକାବିଲା କରିବା ଏବଂ ଧନଜୀବନ ସୁରକ୍ଷିତ ରଖିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ତରଫରୁ ୧୪ଟି ବ୍ଲକ୍‌ରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ସମ୍ପୃକ୍ତ କଣ୍ଟ୍ରୋଲ୍‌ ରୁମ୍‌ଗୁଡ଼ିକରେ ଆବଶ୍ୟକ ପଲିଥିନ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରିଲିଫ୍‌ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିଭଳି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ୫ଟି OSRTC ବସ୍‌ର ବ୍ୟବସ୍ଥା ହୋଇଛି। ସେହିପରି ସ୍ପେଶାଲ ଟ୍ରେନ୍‌ର ମଧ୍ୟ ବ୍ୟବସ୍ଥା ହୋଇଛି। ପୁରୀରୁ କୋଲକାତା ଶାଲିମାର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ। ଆଜି ମଧ୍ୟାହ୍ନ ୧୨ଟାରେ ଏହା ପୁରୀ ଛାଡ଼ି ଅପରାହ୍ନ ୧ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ୍‌ରେ ଜେନେରାଲ, ସ୍ଲିପର, ଥ୍ରି ଟାୟର ଓ ଟୁ ଟାୟର ବ୍ୟବସ୍ଥା ରହିଛି। ଏହା ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ ଷ୍ଟେସନ୍‌ରେ ରହିବ। ଯାଜପୁର-କେନ୍ଦୁଝର ରୋଡ୍, ଭଦ୍ରକରେ ମଧ୍ୟ ଏହି ସ୍ୱତନ୍ତ୍ର ଟ୍ରେନ୍‌ ରହିବ। ଏହାସହ ବାଲେଶ୍ୱର ଓ ଖଡ଼ଗପୁରରେ ମଧ୍ୟ ଷ୍ଟପେଜ ବ୍ୟବସ୍ଥା ରହିଛି।ମେ’ ୫ ଯାଏ ସ୍ଥାନୀୟ  କୌଣସି ହୋଟେଲ୍‌ରେ ବୁକିଂ ନ ରଖିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ସେହିଭଳି ସମ୍ଭାବ୍ୟ ବାତ୍ୟା ‘ଫଣୀ’ ସମ୍ବନ୍ଧୀୟ ସୂଚନା ପାଇଁ ବିଏମ୍‌ସି ତରଫରୁ ଏକ ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର ଖୋଲାଯାଇଛି। ନମ୍ବରଟି ହେଉଛି: ୦୬୮୦୨୨୫୦୨୯୦ । ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଅଛନ୍ତି। ପାଟନାରୁ ଏନ୍‌ଡିଆର୍‌ଏଫ୍‌ର ୪୦ ଜଣିଆ ଟିମ୍ କେନ୍ଦୁଝରରେ ପହଞ୍ଚିବା ପରେ ଆନନ୍ଦପୁର ଅଭିମୁଖେ ଗସ୍ତ କରିଛନ୍ତି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ସାମୁଦ୍ରିକ ଝଡ଼କୁ ମୁକାବିଲା କରିବା ପାଇଁ ଗଜପତିରେ ଏନ୍‌ଡିଆର୍‌ଏଫ୍‌ ଗୋଟିଏ ଟିମ୍‌ ଓ ଓଡ୍ରାଫ୍ର ଗୋଟିଏ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି।

Previous ‘ଫଣୀ’ ପାଇଁ ୭୪ଟି ଟ୍ରେନ୍‌ ବାତିଲ
Next ‘ଫନି’ ପାଇଁ ଉପକୂଳ ଅଞ୍ଚଳରେ ଥିବା ଏୟାରପୋର୍ଟକୁ ଆଲର୍ଟ ଜାରି

No Comment

Leave a reply

Your email address will not be published. Required fields are marked *