ଶିଳ୍ପ ସମୃଦ୍ଧ ଓଡ଼ିଶାର ସଂକଳ୍ପ ଓ ସ୍ୱପ୍ନ

‘Make In Odisha Conclave’ 2018

ଗତ ଦୁଇ ଦଶନ୍ଧି ହେବ ଓଡ଼ିଶା ଶିଳ୍ପାୟନରେ ବେଶ ଅଗ୍ରଗତି କରିବା ସହ ପୁଞ୍ଜି ନିବେଶକାରୀଙ୍କ ପସନ୍ଦିଦା ରାଜ୍ୟ ପାଲଟିଛି । ପର୍ଯ୍ୟାପ୍ତ ଖଣିଜ ପଦାର୍ଥ ସହ ବନ୍ଦର ଗୁଡ଼ିକର ଉନ୍ନତି କରଣ ଓ ସୁଦୃଢ ସଂଯୋଗୀକରଣ ପାଇଁ ଆଗାମୀ ଦିନରେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ଅଧିକ ସମୃଦ୍ଧ ହେବ ବୋଲି ‘ମେକ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’ରେ ଯୋଗଦେଇଥିବା ଶିଳ୍ପପତି ଓ ଉଦ୍ୟୋଗୀମାନେ ମତ ଦେଇଛନ୍ତି । ୧୧ ତାରିଖରୁ ଜନତା ମଇଦାନରେ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ‘ମେକ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶିଳ୍ପପତି ଯୋଗଦେବା ସହ ଓଡ଼ିଶା ପ୍ରଗତିର ଛବି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହି କନକ୍ଲେଭ ୫ଦିନ ଧରି ଚାଲିବ । କାର୍ଯ୍ୟକ୍ରମର ଦ୍ୱିତୀୟଦିନରେ ଦେଶର ଆଗଧାଡ଼ିର ଶିଳ୍ପପତିମାନେ ଯୋଗ ଦେବା ସହ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

୩ବର୍ଷରେ ୩ହଜାର କୋଟି ଟଙ୍କା ବିନିଯୋଗ କରିବେ ଅମ୍ବାନୀ

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ସାମିଲ ହୋଇ କହିଥିଲେ ଯେ, ତାଙ୍କ କମ୍ପାନୀ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ହଜାର କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ଆଗାମୀ ୩ବର୍ଷ ମଧ୍ୟରେ ୩ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ଏହାସହ ସେ କହିଥିଲେ ଜିଓ କେବଳ ଏକ ବ୍ୟବସାୟ ନୁହେଁ ଭାରତ ଓ ଓଡ଼ିଶାରେ ଅନୁକୂଳ ପରିବର୍ତ୍ତନ ଆଣିବା ଏହାର ଲକ୍ଷ୍ୟ । ଏହା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷରେ ନୂତନ ନିଯୁକ୍ତି ସୃଷ୍ଟି କରାଯାଉଛି, ୩୦ ହଜାର ଲୋକଙ୍କୁ ଯେଡ଼ାଯାଇ ପାରିଛି । ଜିଓ ଦ୍ୱାରା ଓଡ଼ିଶାର ସମସ୍ତ ସହର ଓ ୪୩ ହଜାର ଗାଁକୁ ଯୋଡ଼ାଯାଇଛି । ଏହା ସହ ମୁଣ୍ଡପିଛା ଡ଼ାଟା ବ୍ୟବହାରରେ ଓଡ଼ିଶା ପ୍ରଥମ ବୋଲି ସେ ଜଣାଇଥିଲେ । ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ବାପାଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ଜଣାଇବା ସହ ସେ ଯୁବଗୋଷ୍ଠୀକୁ ସୁଦୃଢ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ଏବେ ସେହି ସ୍ୱପ୍ନ ନବୀନ ପଟ୍ଟନାୟକଙ୍କର ଓ ମୋର, ଆମେ ମିଳିମିଶି ସାରା ବିଶ୍ୱରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବୁ ।

ଓଡ଼ିଶାରେ ୨୦୩୦ ସୁଦ୍ଧା ଜିନ୍ଦଲ ନିବେଶ କରିବ ୧ଲକ୍ଷ କୋଟି ଟଙ୍କା!

ସେହିଭଳି ବିର୍ଲାଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ବିର୍ଲା ଗ୍ରୁପ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ସାମିଲ ହୋଇପାରିଛି । ଏହାସହ ଆଗାମୀ ଦିନରେ ୧୪ ହଜାର କୋଟି ପୁଞ୍ଜି ନିବେଶ ପାଇଁ ସୂଚନା ଦେଇଛନ୍ତି । ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ସହ ତାଙ୍କ ବ୍ୟବସାୟୀକ ସମ୍ପର୍କ ଗତ ୩୦ ବର୍ଷ ତଳର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କ ପିତା ଗୋପୀ ଜିନ୍ଦଲଙ୍କୁ ରାଜ୍ୟରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିବାର ସେ କହିଥିଲେ । ୨୦୦୫ରେ ବିଶ୍ୱର ପ୍ରଥମ କୋଇଲା ଗ୍ୟାସ୍ରେ ପରିଚାଳିତ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା କରିଥିଲେ ମଧ୍ୟ ୨୦୧୪ରେ କୋଇଲା ବ୍ଳକ ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ଆମ ଯୋଜନାକୁ ପ୍ରଭାବିତ କରିଥିବାର ସୂଚନା ଦେଇଥିଲେ । ଜିନ୍ଦଲ ଗ୍ରୁପ ପକ୍ଷରୁ ଅନୁଗୋଳରେ ଗତବର୍ଷ କାର୍ଯ୍ୟକାରୀ ହୋଇଥିବା ୬ ନିୟୁତ ଟନ୍ର ଇସ୍ପାତ କାରଖାନା ବିଷୟରେ ସୂଚନା ଦେଇ ଗତ ୧୫ ବର୍ଷ ମଧ୍ୟରେ ଜିନ୍ଦଲ ଗ୍ରୁପ ରାଜ୍ୟରେ ୪୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିସାରିଥିବାର କହିଥିଲେ । ଏହାସହ ୨୦୩୦ ମସିହା ସୁଦ୍ଧା ୪୫ ହଜାରରୁ ୧ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶରେ ୨୦ ନିୟୁତ ଟନ୍ର ଇସ୍ପାତ କରଖାନା ପ୍ରତିଷ୍ଠା କରିବାର ଯୋଜନା ଜିନ୍ଦଲ ଗ୍ରୁପ ରଖିଥିବା ବେଳେ ୫୦ ହଜାରକୁ ୧ଲକ୍ଷ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

୨୦୨୫ ସୁଦ୍ଧା ମାନୁଫାକଚ୍ରିଂ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି

ରାଜ୍ୟ ସରକାରଙ୍କ ଯୋଜନାକୁ ସାକାର କରିବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୩୦ ସୁଦ୍ଧା ୨ଲକ୍ଷ ୫୦ ହଜାର ଉଦ୍ୟୋଗୀଙ୍କୁ ଋଣ ଯୋଗାଇ ଦିଆଯିବ ବୋଲି ଏସବିଆଇର ଚେୟାରମ୍ୟାନ୍ ରଜନିଶ କୁମାର କହିଛନ୍ତି । ସେହିଭଳି ଟାଟା ସନ୍ସର ଚେୟାରମ୍ୟାନ ଏନ୍. ଚନ୍ଦ୍ରଶେଖରନ ରାଜ୍ୟ ସରକାରଙ୍କ ସହଯୋଗକୁ ପ୍ରଶଂସା କରିବା ସହ ଗୋପାଳପୁର ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ କରାଯିବା ସହ କଳିଙ୍ଗ ନିଗର ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ଆଉ ୨୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘକାଳୀନ ସମୃଦ୍ଧ ଓଡ଼ିଶା ଗଠନ ଦକ୍ଷିଣ ଏସିଆର ନିର୍ମାଣ କେନ୍ଦ୍ରଭାବେ ଗଢିତୋଳି ପାଇଁ କାର୍ଯ୍ୟକରିବାକୁ ବିଶ୍ୱସ୍ତରୀୟ ଓ ଦେଶର ବଡ଼ବଡ଼ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଥିଲେ । ଏହାସହ ସେ କହିଥିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୫ ସୁଦ୍ଧା ମାନୁଫାକଚ୍ରିଂ କ୍ଷେତ୍ରରେ ୨ଲକ୍ଷ ୫୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି ପାଇଁ ଭିଜନ ପ୍ରସ୍ତୁତ କରାଯାଇଥିବାର ସେ ସୂଚନା ଦେଇଥିଲେ । ଆସନ୍ତା ୪ବର୍ଷ ମଧ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ୧ଲକ୍ଷ ୫୦ ହଜାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ୧୦୦ ଷ୍ଟାର୍ଟଅପ୍ଙ୍କ ଦ୍ୱାରା ରାଜ୍ୟରେ ୨୦୨୦ ସୁଦ୍ଧା ୩ଟି ଷ୍ଟାର୍ଟଅପ କାର୍ଯ୍ୟକାରି ହେବବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କୃଷି, ପର୍ଯ୍ୟଟନ ପ୍ରଭୃତି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ବ୍ୟାପକ କ୍ଷେତ୍ର ରହିଥିବାର ସେ କହିଛନ୍ତି ।

Previous ଘରୋଇ ଉପଚାରରେ ପାଦ ମସାଜ
Next ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାର ପାଇଥିଲେ ଏହି ବାଳକ

No Comment

Leave a reply

Your email address will not be published. Required fields are marked *