ଇଂଲଣ୍ଡର ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ମେନ୍ସା ଆଇକ୍ୟୁ ଟେଷ୍ଟରେ ସର୍ବୋଚ୍ଚ ନମ୍ବର ରଖିବାର ମାନ୍ୟତା ପାଇଛନ୍ତି ମେହୁଲ ଗର୍ଗ ଓରଫ୍ ମାହି । ଭାରତୀୟ ବଂଶୋଦ୍ଭବ ମାହି ଏହି ପ୍ରତିଯୋଗିତାରେ 162 ନମ୍ବର ରଖି ପ୍ରଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ ଓ ଷ୍ଟିଫେନ ହକିଙ୍ଗଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଏହି ବିଚକ୍ଷଣ ବୁଦ୍ଧିମତା ପରୀକ୍ଷାରେ ଆଇନଷ୍ଟାଇନ ଓ ଷ୍ଟିଫେନ ହକିଙ୍ଗ 160 ସ୍କୋର କରିଥିଲେ । ସେମାନଙ୍କ ଠାରୁ 2 ମାର୍କ ଅଧିକ ରଖିଥିବା ମାହି ବିଶ୍ୱ ଜନସଂଖ୍ୟାର ଏକ ପ୍ରତିଶତ ଲୋକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ।
କେବଳ ମାହି ନୁହନ୍ତି, ଗତବର୍ଷ ତାଙ୍କ ବଡ଼ ଭାଇ 13 ବର୍ଷୀୟ ଧ୍ରୁବ ଗର୍ଗ ମଧ୍ୟ ମେନ୍ସା ଆଇକ୍ୟୁ ଟେଷ୍ଟରେ ସେହି ସମାନ ନମ୍ବର 162 ରଖିଥିଲେ । ଦକ୍ଷିଣ ଇଂଲଣ୍ଡ ରିଡିଂ ସହରର ରିଡିଂ ବଏଜ୍ ଗ୍ରାମାର୍ ସ୍କୁଲରେ ପଢ଼ୁଥିବା ମାହି ତାଙ୍କ ଭାଇଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରମାଣିତ କରିବା ଜିଦରେ ଏହି ଟେଷ୍ଟ୍ ଦେଇ କୃତୀତ୍ୱ ଅର୍ଜନ କରିଛନ୍ତି । ମାହିଙ୍କ ମାଆଙ୍କ ନାଁ ଦିବ୍ୟା ଗର୍ଗ ଓ ବାପାଙ୍କ ନାଁ ଗୌରବ ଗର୍ଗ ।
ମେନ୍ସା ଆଇକ୍ୟୁ ଟେଷ୍ଟରେ ମାହିଙ୍କୁ ନିର୍ଦ୍ଦିଷ୍ଟ ପରୀକ୍ଷା ଅବଧିରେ କେତେକ ଭାଷାଜ୍ଞାନ ଓ ତର୍କ ସମ୍ପର୍କିତ କଠିନ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା । ସେ ପରୀକ୍ଷା ଆରମ୍ଭରୁ ଖୁବ୍ ଚିନ୍ତିତ କରିଦେଇଥିଲା କିନ୍ତୁ ପ୍ରଥମ କିଛି ପ୍ରଶ୍ନର ଉତ୍ତର ଦେଇସାରିବା ପରେ ସେ ସହଜ ଅନୁଭବ କରିଥିଲେ । ଆଉ ଯେତେବେଳେ ପରୀକ୍ଷା ଫଳ ବାହାରିଲା, ସେତେବେଳେ ସେ ଖୁସିରେ କାନ୍ଦି ପକାଇଥିଲେ ବୋଲି ମାହି କହିଛନ୍ତି । ଗଣିତ ମାହିଙ୍କ ପ୍ରିୟ ବିଷୟ । ଏଥିସହ ସେ କ୍ରିକେଟ ଖେଳିବାକୁ, ଆଇସ୍-ସ୍କେଟିଂ କରିବାକୁ ଓ 100 ସେକେଣ୍ଡ ଭିତରେ ରୁବିକ୍ କ୍ୟୁବ୍ ସମାଧାନ କରିବାକୁ ଭଲ ପାଆନ୍ତି । ଗୁଗଲ ଭଳି ବିଶ୍ୱସ୍ତରୀୟ ଟେକ୍-କମ୍ପାନୀରେ କାର୍ଯ୍ୟ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏବେ ମାହି ତାଙ୍କ ଭାଇଙ୍କ ସହ ମିଶି ପଡ଼ୋଶୀଙ୍କ ମଧ୍ୟରେ ସହଜରେ ଯୋଗଯୋଗ ରକ୍ଷା ପାଇଁ ଏକ ମୋବାଇଲ୍ ଆପ୍ ତିଆରି କରୁଛନ୍ତି ।
No Comment