ଫୋନରୁ ଗୀତ ଶୁଣି ଜିତିଲେ ‘ଇଣ୍ଡିଆନ ଆଇଡ଼ଲ ସିଜନ-୧୧’


ସୁନା ଯେପରି କୌଣସି ପରିସ୍ଥିତିରେବି ତାର ଅସ୍ତିତ୍ୱ ହରାଇନଥାଏ ସେହିଭଳି ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ବ୍ୟକ୍ତି ଭିତରର ପ୍ରତିଭା କେବେ ହାରମାନି ନଥାଏ । ଏହାର କେତେକ ନିଛକ ଉଦାହରଣ ଆପଣଙ୍କ ଆଖପାଖ ହେଉବା ଗଣମାଧ୍ୟମରୁ ଜାଣିବାକୁ ପାଇଥିବେ । ଏହିଭଳି ଆଉ ଏକ ଉଦାହରଣ ପାଲଟିଛନ୍ତି ‘ଇଣ୍ଡିଆନ ଆଇଡ଼ଲ ସିଜନ-୧୧’ର ବିଜେତା ସନ୍ନି ହିନ୍ଦୁସ୍ତାନି ବା ସନ୍ନି ମଲିକ୍ । ଅନେକ ପ୍ରତିକୂଳ ପରିସ୍ଥିତି, ଅଭାବ ଅସୁବିଧାର ସମ୍ମୁଖୀନ ହୋଇ ସେ ଆଜି ସଫଳତାର ବିଜୟ ଟିକା ପିନ୍ଧି ପାରିଛନ୍ତି । ନିଜ କଣ୍ଠସ୍ୱରେ କୋଟିକୋଟି ଭାରତୀୟଙ୍କ ମନ ଜିଣିବା ସହ ପ୍ରିୟପାତ୍ର ହୋଇ ପାରିଛନ୍ତି । ସନ୍ନି ଯେଉଁ ସଫଳତା ପାଇଛନ୍ତି ତାହା ଥିଲା ସଂଘର୍ଷପୂର୍ଣ୍ଣ, କଣ୍ଟକିତ । ପଞ୍ଜାବ ଭଟିଣ୍ଡା ଅଞ୍ଚଳର ଅମରପୁରା ବସ୍ତିରେ ସେ ରହୁଥିବା ବେଳେ ମା ସୋମା ଓ ୩ଭଉଣି ଗୋଟିଏ ଭାଇଙ୍କୁ ନେଇ ତାଙ୍କ ପରିବାର । ୨୦୧୪ ମସିହାରେ ଅସୁସ୍ଥ ହୋଇ ବାପାଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ସନ୍ନିଙ୍କ ଉପରକୁ ଆସିଯାଇଥିଲା । ପରିବାର ଚଳାଇବା ପାଇଁ ସେ ମୋଚି କାମକରୁଥିବା ବେଳେ ତାଙ୍କ ମା’ ବେଲୁନ ବିକ୍ରିକରନ୍ତି । ୬ଶ୍ରେଣୀରୁ ପଢା ଛାଡ଼ିବାକୁ ପଡ଼ିଥିଲେ ମଧ୍ୟ ସନ୍ନି ପିଲା ଦିନରୁ ତାଙ୍କ ପ୍ରତିଭା ଦେଖାଇବାରେ ସକ୍ଷମ ହୋଇଥିଲେ । ସ୍କୁଲ ପଢା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ସହ ଗୀତ ବୋଲୁଥିଲେ । ପରେପରେ ନିଜ ଆଖପାଖ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରରେ ଗୀତ ଗାଇ ଲୋକଙ୍କ ପ୍ରଶଂସା ସାଉଁଟିବାକୁ ସକ୍ଷମ ହୋଇଥିଲେ ମଧ୍ୟ ନିଜ ପରିବାରର ଅର୍ôଥକ ଅବସ୍ଥା ତାଙ୍କୁ ଅନେକ ସମୟରେ କଷ୍ଟ ଦେଉଥିଲା । ସବୁପରେ ବି ସେ ଆଗକୁ ବଢିବା ପାଇଁ ନିଜ ମନକୁ ଦୃଢ କରୁଥିଲେ । ଅନ୍ୟପକ୍ଷରେ ତାଙ୍କ ପ୍ରତିଭା ଦେଖି ମା’ ସୋମା ସନ୍ନିଙ୍କୁ ଆଗକୁ ବଢିବା ପାଇଁ ପ୍ରେରିତ କରୁଥିଲେ । ଏହାସହ ଇଣ୍ଡିଆନ ଆଇଡ଼ଲ ସଙ୍ଗୀତ ପ୍ରତିଯୋଗିତାରେ ଅଡିସନ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ସେ କୌଣସି ଗୁରୁଙ୍କଠାରୁ ନୁହେଁ ବରଂ ନିଜ ଫୋନରୁ ଗୀତ ଶୁଣି ଶୁଣି ସଙ୍ଗୀତ ଶିକ୍ଷା କରି ଆଜି ଏହି ସଫଳତା ପାଇପାରିଛନ୍ତି । ଅଡିସନ ସମୟରୁ ନିଜ କଣ୍ଠ ସ୍ୱରରେ ସମସ୍ତଙ୍କୁ ଆକୃଷ୍ଟ କରିପାରିଥିବା ସନ୍ନି କୁହନ୍ତୁ ‘ମୁଁ ଏହି ସଫଳତାରେ ବହୁତ ଖୁସି କେବେବି ଭାବିନଥିଲି ଇଣ୍ଡିଆନ ଆଇଡ଼ଲ ବିଜେତା ହୋଇ ପାରିବି । ମୋ ମା’ ଏଥିରେ ଅନେକ ପ୍ରେରଣା ଦେଇଛନ୍ତି । ସମସ୍ତ ଜଜ୍‌, ମେଣ୍ଟର ଓ ଅଗଣିତ ଶ୍ରୋତାଙ୍କ ପାଖରେ ମୁଁ କୃତଜ୍ଞ’ । ସମସ୍ତଙ୍କ ସହଯୋଗ ଆର୍ଶୀବାଦ ପାଇଁ ମୋର ଏହି ସଫଳତା ସମ୍ଭବ ହୋଇଛି ।

Previous ମୋ ପୋଖରୀ ଯୋଜନାରେ ମାଛଚାଷ
Next ଫେବ୍ରୁୟାରୀ-ମାର୍ଚ୍ଚରେ ଚାଷକରନ୍ତୁ ଏସବୁ ପରିବା

No Comment

Leave a reply

Your email address will not be published. Required fields are marked *