ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ: ଭାରତୀୟ ଛାତ୍ର ସଂସଦ ପକ୍ଷରୁ ସମ୍ମାନିତ

Naveen Gets Ideal CM Honour

ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁନେସ୍ଥିତ ଏମ୍ଆଇଟି-ୱାର୍ଲଡ୍ ପିସ୍ ୟୁନିଭରସିଟିରେ ସୋମବାର ଆୟୋଜିତ ଭବ୍ୟ ସମାରୋହରେ ତାଙ୍କୁ 2018 ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଓ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ । ଶାନ୍ତ ଓ ସରଳ ସ୍ୱଭାବର ବ୍ୟକ୍ତି ନବୀନବାବୁଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ କହିଥିବା ବେଳେ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ମଧ୍ୟ କହିଛନ୍ତି ଯେ, ‘ନବୀନ ଜଣେ ସ୍ୱଚ୍ଛ ରାଜନେତା ହୋଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଉଛି । ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶା ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି । ‘

ଏହି ସମାରୋହରେ ଯୋଗଦେଇଥିବା 10 ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଶାସନ, ବ୍ୟବସ୍ଥା ଓ ରାଜନୀତି ସମ୍ପର୍କରେ କହିଛନ୍ତି । ନବୀନ କହିଛନ୍ତି ଯେ, ‘ରାଜନୀତି ଏତେ ଜଟିଳ ନୁହେଁ । ରାଜନୀତି ହେଉଛି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସବୁଠାରୁ ବଳିଷ୍ଠ ମାଧ୍ୟମ । ମନୋବୃତ୍ତି ଓ ଉଦ୍ୟମରେ ଯଦି ଜନସାଧାରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତି, ତେବେ ଏଥିରେ ଜଟିଳତା ନାହିଁ ।’ ଉତ୍ତମ ପ୍ରଶାସନ ଓ ନିସ୍ୱାର୍ଥପର ଜନସେବା ଗଣତନ୍ତ୍ରର ଦୃଢ଼ ସ୍ତମ୍ଭ ବୋଲି ଉଲ୍ଲେଖ କରିବା ସହ କେମିତି ପ୍ରଶାସନ ଓ ଜନସେବାକୁ ସୁଦୃଢ଼ କରାଯିବ, ତାହା ଆଜିର ଯୁବ ସମାଜ ପାଖରେ ସବୁଠାରୁ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର କାଳରେ ଦେଶର ସର୍ବାଧିକ ଦାରିଦ୍ର୍ୟ ଦୂରିକରଣ ସମ୍ଭବ ହୋଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ବିଗତ ଦଶନ୍ଧିରେ ରାଜ୍ୟର 80ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିପାରିଛନ୍ତି, ଯାହାକି ଏକ ସର୍ବକାଳୀନ ରେକର୍ଡ । ଏଥିସହ ଗତ 10 ବର୍ଷ ମଧ୍ୟରେ ଚାଷୀଙ୍କ ରୋଜଗାର ଦୁଇଗୁଣ ବଢ଼ାଇବାରେ ସାରା ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଉଭା ହୋଇଛି । ରାଜ୍ୟ ସରକାର ବାସହରାଙ୍କୁ ପକ୍କାଘର ଯୋଗାଇଦେବାରେ ମଧ୍ୟ ସଫଳତା ହାସଲ କରିଛନ୍ତି । ବିଗତ ମାତ୍ର 4 ବର୍ଷ ଭିତରେ 10ଲକ୍ଷ 40 ହଜାର ପରିବାର ମୁଣ୍ଡ ଉପରେ ପକ୍କାଛାତ ତିଆରି ହୋଇପାରିଛି, ଯାହାକି ଭାରତରେ ଓଡ଼ିଶାର ସ୍ଥାନକୁ ଶୀର୍ଷରେ ରଖିଛି । ଗତବର୍ଷ ଭୁବନେଶ୍ୱର ଓ କଟକରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବର ସଫଳ ଆୟୋଜନ କରି ଏହା ଭାରତର ଏକ ଉଦୀୟମାନ କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି । ଫାଇଲିନ ସମେତ ଅନ୍ୟ ଦୈବ ଦୁର୍ବିପାକ ସମୟରେ ଉଦ୍ଧାରକାର୍ଯ୍ୟ ଓ ଧନଜୀବନ ରକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇ ଓଡ଼ିଶା ମିଳିତ ଜାତିସଂଘ ଦ୍ୱାରା ସ୍ୱୀକୃତ ହୋଇଛି । ‘ମାନୁଫାକଚରିଂ ସେକ୍ଟର ଇନଭେଷ୍ଟମେଣ୍ଟ’ ଏବଂ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍’ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରପ୍ତାନୀ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ମିଳିଛି ଉଲ୍ଲେଖନୀୟ ସଫଳତା, ଯାହା ଦେଶର ଅଭିବୃଦ୍ଧି ହାର ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Previous ଚିନ୍ତା ବଢ଼ାଉଛି ‘ଗୁଡ୍ ମର୍ଣ୍ଣିଂ’, ଗୁଗଲ୍ ବି ସ୍ତବ୍ଧ
Next ଅଭୁଲା ସ୍ମୃତିରେ ବନ୍ଧା ଟିଭି ସିରିଏଲ

No Comment

Leave a reply

Your email address will not be published. Required fields are marked *