ଖାକିର ମଣିଷପଣିଆ

Humanity of Police Officer

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ପରିବାର କଥା ଚିନ୍ତା କରିବା ତ ଦୂରର କଥା, ଅନ୍ୟମାନଙ୍କ ବିଷୟରେ ଭାବିବା ପାଇଁ କାହା ପାଖରେ ସମୟ ବି ନାହିଁ । ସମୟର ଅଭାବ କୁହନ୍ତୁ ଅବା ସ୍ୱାର୍ଥପରତା, ଏହାରି ଭିତରେ ଆମ ଭିତରୁ ମଣିଷପଣିଆ କେଉଁଠି ହଜିଯାଉଛି । ଏହି ସ୍ୱାର୍ଥପର ଦୁନିଆରେ ଏମିତି କିଛି ସହୃଦୟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଃସ୍ୱାର୍ଥପର କର୍ତ୍ତବ୍ୟପରାୟଣ ହୋଇ ଜଣେ ଆଦର୍ଶ ମଣିଷର ପରିଚୟ ସୃଷ୍ଟି କରୁଛନ୍ତି । ଆମେ ଏମିତି ଦୁଇଜଣ ପୋଲିସ ଅଧିକାରୀଙ୍କ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ, ଯେଉଁମାନେ ନିଜ କର୍ତ୍ତବ୍ୟକୁ ଭଲଭାବେ ତୁଲାଇବା ସହ ନିଜ ମଣିଷପଣିଆ ଦେଖାଇ ପାରିଛନ୍ତି ।
ବାଙ୍ଗାଲୁରୁର ଜଣେ ପୋଲିସ ଅଧିକାରୀ ଶଶିଧର । ନିଜ ଡ୍ୟୁଟି ସାରି ଜିପରେ ଫେରିବା ବେଳେ ରାସ୍ତାକଡ଼ର ଗୋଟିଏ ନବଜାତ ଶିଶୁ କନ୍ୟାର କାନ୍ଦିବା ସ୍ୱର ଶୁଣି ଅଟକିଥିଲେ ସେ । ଶିଶୁଟିକୁ ଜନ୍ମପରେ କେହି ଜଣେ ସେଠି ଛାଡ଼ି ଚାଲିଯାଇଥିଲେ । ନିଃସହାୟ ଶିଶୁଟିର ବ୍ୟାକୁଳ କାନ୍ଦ ସହିନପାରି ତୁରନ୍ତ ତାକୁ କୋଳେଇ ନେଇ ନିକଟସ୍ଥ ବେସରକାରୀ ଚିକିତ୍ସାଳୟରେ ପହଞ୍ଚିଲେ । ଅଧରାତିରେ ଚିକିତ୍ସାଳୟ କର୍ମଚାରୀଙ୍କୁ ଶିଶୁକନ୍ୟାର ଚିକିତ୍ସା ପାଇଁ ସେ ପରାମର୍ଶ ଦେଲେ । ଶିଶୁ କନ୍ୟାର ଶ୍ୱାସନଳୀରେ ସଂକ୍ରମଣ ହେବା ଯୋଗୁଁ ଚିକିତ୍ସା ପାଇଁ ୨୩ ଦିନ ଆଇସିୟୁରେ ରହିବା ପରେ କ୍ରମଶଃ ସୁସ୍ଥ ହୋଇଥିଲା । ଚିକିତ୍ସା ବାବଦ ଖର୍ଚ୍ଚ ୫ଲକ୍ଷ ଟଙ୍କା ଦେବାକୁ ପଛଘୁଞ୍ଚା ଦେଇନଥିଲେ ଶଶିଧର । ତାଙ୍କର କିଛି ଅର୍ଥ ଏବଂ ସ୍ଥାନୀୟ ଏନ୍ ଜି ଓ ସହଯୋଗରେ ଶିଶୁକନ୍ୟା ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଥିଲା । ଶଶିଧର ଓ ତାଙ୍କ ପତ୍ନୀ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର ନିଷ୍ପତ୍ତି ନେଇଥିଲେ । ହେଲେ ମୁମ୍ବାଇର ଜନୈକ ନିଃସନ୍ତାନ ଦମ୍ପତି ଶିଶୁକନ୍ୟାକୁ ଆଦରି ନେଇଛନ୍ତି ।


ଶଶିଧରଙ୍କ ଭଳି ମହାରାଷ୍ଟ୍ରର ଜଣେ ପୋଲିସ ଅଧିକାରୀଙ୍କ ମଣିଷପଣିଆ ଚର୍ଚ୍ଚାର ବିଷୟ ପାଲଟିଛି । ସାଙ୍ଗଲୀନଗର ଥାନା ହାଜତରେ ଅନିକେତ କୋଥଲେ ନାମକ ଜଣେ ୨୬ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ହେବାପରେ ତାଙ୍କର ୩ ବର୍ଷର ଛୋଟ ଝିଅ ‘ପ୍ରାଞ୍ଜଲ’ ବାପଛେଉଣ୍ଡ ହୋଇଗଲା । ଏହି ଘଟଣା ଘଟିବା ପରେ ସେ ଅଞ୍ଚଳର ଡି ଏସ୍ ପି ସୁଜାତା ପାଟିଲ ପ୍ରାଞ୍ଜଲର ପାଠପଢ଼ା ଦାୟିତ୍ୱ ବହନ କରିଛନ୍ତି । ବିନା କୌଣସି ସ୍ୱାର୍ଥ ଓ ସହାୟତାରେ ନିଜ ମାନବିକତା ଦୃଷ୍ଟିରୁ ପ୍ରାଞ୍ଜଲର କଲ୍ୟାଣ ଓ ଭବିଷ୍ୟତ ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ।
ଅନେକେ କୁହନ୍ତି ଯେ, ଖାକି ପୋଷାକ ପିନ୍ଧିଥିବା ମଣିଷଙ୍କ ପାଖରେ ପଣିଷପଣିଆ ନଥାଏ । ହେଲେ ଶଶିଧର ଏବଂ ସୁଜାତାଙ୍କ ଭଳି ପୋଲିସ ଅଧିକାରୀଙ୍କ ଏହି ମହତ କାମ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେବ ନିଶ୍ଚୟ ।

Previous ମୋହାଲିରେ ହିଟ୍ ମ୍ୟାନ ଶର୍ମା ଶୋ
Next ଏସିଆର କନ୍ଦର୍ପ ଶାହିଦ

No Comment

Leave a reply

Your email address will not be published. Required fields are marked *