ଗୁଗଲ୍ ଅଫିସରୁ ସାଇକେଲ୍ ଚୋରି: ନିଜ ସାଇକେଲ୍ ଖୋଜି ପାଉନି ଦୁନିଆଯାକର ତଥ୍ୟ ଖୋଜୁଥିବା ସର୍ଚ୍ଚ୍ ଇଞ୍ଜିନ୍

Google Searching Its Bikes

ଏବେ ଇଣ୍ଟରନେଟରେ ଯିଏ ଯେଉଁ ତଥ୍ୟ ଖୋଜିଲେ ବି ପ୍ରଥମେ ଗୁଗଲ୍ ସର୍ଚ୍ଚ୍ କରୁଛି । ଗୋଟିଏ କ୍ଲିକରେ ଦୁନିଆଯାକର ତଥ୍ୟ ଖୋଜି ଆପଣଙ୍କ ହାତମୁଠାକୁ ନେଇ ଆସୁଥିବା ଏହି ଶକ୍ତିଶାଳୀ ସର୍ଚ୍ଚ୍ ଇଞ୍ଜିନର ଏବେ କିନ୍ତୁ ଅକଲ୍ ଗୁଡ଼ୁମ୍ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଗୁଗଲ୍ ଅଫିସରୁ ସାଇକେଲ ଚୋରି ହେଉଥିବା ବା ହଜି ଯାଉଥିବା ଜଣାପଡ଼ିବା ପରେ ସାଇକେଲ ଖୋଜିବାକୁ ଯାଇ ଗୁଗଲର ଅକଲ୍ ଗୁଡ଼ୁମ ହୋଇଯାଇଛି । କଥା ଏତେ ଗୁରୁତର ହୋଇଛି ଯେ, ଗୁଗଲ୍ ଏଥିପାଇଁ ଏକ ୩୦ ଜଣିଆ ଟିମ୍ ଗଠନ କରି ସାଇକେଲ ଖୋଜିବାରେ ନିୟୋଜିତ କରିଛି ।

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମାଉଣ୍ଟେନ୍ ଭିୟୁରେ ଗୁଗଲ୍ ମୁଖ୍ୟାଳୟ ରହିଛି । ଏହି ବିଶାଳ କ୍ୟାମ୍ପସ୍ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ ଗୁଗଲ୍ ପକ୍ଷରୁ କର୍ମଚାରୀଙ୍କ ସୁବିଧା ପାଇଁ ପ୍ରାୟ ୧୧୦୦ଟି ମାଗଣା ସାଇକେଲ ବା ଜି-ବାଇକ୍ ବ୍ୟବସ୍ଥା କରାଯାଇଥିଲା । ଏହାକୁ ନେଇ ସେମାନେ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିଲେ । କିନ୍ତୁ ପ୍ରାୟ ୧୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ଏବେ ଏକ ସମସ୍ୟା ସୃଷ୍ଟି ହୋଇଛି । ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ସାଇକେଲ୍ ଗୁଡ଼ିକ ବହୁ ସଂଖ୍ୟାରେ ଚୋରି ହେବାରେ ଲାଗିଛି । ଗୋଟିଏ ଗୋଟିଏ ସପ୍ତାହରେ ୧୦୦ରୁ ୨୫୦ଟି ସାଇକେଲର ପତ୍ତା ମିଳୁନାହିଁ । ଫଳରେ ଗୁଗଲର ଚିନ୍ତା ବଢ଼ିଯାଇଛି ।
ବହୁ ସଂଖ୍ୟାରେ ସାଇକେଲ୍ ଚୋରି ହେଉଥିବା ବା ପତ୍ତା ମିଳୁନଥିବା ଖବର ପାଇବା ପରେ ଗୁଗଲ୍ ଏହାର ଖୋଳତାଡ଼ ଆରମ୍ଭ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେହି ସାଇକେଲ ଗୁଡ଼ିକୁ କିଛି ସ୍ଥାନୀୟ ଲୋକ ଘରକୁ ନେଇଯାଉଛନ୍ତି ଓ ପାର୍କିଂ ସ୍ଥାନରେ ନରଖି ଏହାକୁ ପୁଣି ପରଦିନ ବ୍ୟବହାର କରିବା ପାଇଁ ରାତିରେ ନିଜ ଘରେ ରଖିଦେଉଛନ୍ତି । ଏହା ସେମାନେ ଚୋରି ବୋଲି ଭାବୁନାହାନ୍ତି । ବରଂ ଗୋଷ୍ଠୀ କଲ୍ୟାଣ ଯୋଜନା ଭାବେ ଗୁଗଲ୍ ସେମାନଙ୍କ ସୁବିଧା ପାଇଁ ମାଗଣାରେ ଏହି ସାଇକେଲ ବ୍ୟବସ୍ଥା କରିଥିବା ଏବଂ ଏହାକୁ ସେମାନେ ଚାହିଁଲେ ନିଜ ସାଇକେଲ ଭଳି ଘରେ ରଖିପାରିବେ ବୋଲି ଭାବୁଥିବା କହିଛନ୍ତି । କେତେକ ପରିବାରର ସମସ୍ତ ସଦସ୍ୟ ନିଜନିଜ ପାଇଁ ଗୋଟିଏ ଲେଖାଏଁ ଏହି ସାଇକେଲ୍ ନେଇଥିବା ଜଣାପଡ଼ିଛି । କେବଳ ଗୁଗୁଲ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ସାଇକେଲକୁ ଥରେ ସ୍ଥାନୀୟ ମେୟର୍ ମଧ୍ୟ ବ୍ୟବହାର କରିଥିବା କହିଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଏହି ସାଇକେଲ୍ ବ୍ୟବହାର ଘଟଣା ଜଣାପଡ଼ିବା ପରେ ଗୁଗଲ୍ ପକ୍ଷରୁ ସାଇକେଲ ଗୁଡ଼ିକରେ ଜିପିଏସ୍ ଲଗାଯାଇଥିଲା । ତାହାକୁ ଟ୍ରାକିଂ କରିବା ପରେ ଆହୁରି ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଲା । କିଛି ଜି-ବାଇକ୍ ମେକ୍ସିକୋ ଓ ଆଲାସ୍କା ଭଳି ଦୂରଦୂରାନ୍ତ ସ୍ଥାନରେ ଥିବା ଜଣାପଡ଼ିଥିଲା । ଏବେ ଚୋରି ରୋକିବା ପାଇଁ ଗୁଗଲ୍ ନିଜ କର୍ମଚାରୀଙ୍କ ସ୍ମାର୍ଟଫୋନ ସାହାଯ୍ୟରେ ସାଇକେଲ ଖୋଲିବା ପାଇଁ ବ୍ୟବସ୍ଥା କରୁଛି । ଏଥିସହ ଚୋରି ହୋଇଥିବା ସାଇକେଲ ଉଦ୍ଧାର କରିବା ପାଇଁ ୩୦ ଜଣ ଠିକା କର୍ମଚାରୀଙ୍କୁ ଦାୟିତ୍ୱ ଦେଇଛି । ସେମାନେ ୫ଟି ଗାଡ଼ିରେ ବିଭିନ୍ନ ସ୍ଥାନରେ ବୁଲି ଏହି ସାଇକେଲ ଗୁଡ଼ିକୁ ଉଦ୍ଧାର କରୁଛନ୍ତି ।

Previous ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ(Noun & Pronoun Errors)
Next ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ (Adjective Errors)

No Comment

Leave a reply

Your email address will not be published. Required fields are marked *