ମୋ ପୋଖରୀ ଯୋଜନାରେ ମାଛଚାଷ


fish-cultivation-krushi-odisha

ରାଜ୍ୟ ସରକାର ମତ୍ସ୍ୟ ସମ୍ପଦ ବିକାଶ କ୍ଷେତ୍ରରେ ଯେଉଁ “ମତ୍ସ୍ୟ ପୋଖରୀ ଯୋଜନା” କାର୍ଯକାରୀ କରିଛନ୍ତି ତାହା ବେଶ୍ ଆଦୃତି ଲାଭ କରିଛି । ଏହି ଯୋଜନାରେ ବାର୍ଷିକ ୧୦୫୯ ହେକ୍ଟର ନୂଆ ପୋଖରୀ ସୃଷ୍ଟି କରି ମାଛ ଚାଷ କରିବା ସହିତ ୨୦୦ ହେକ୍ଟର ପୋଖରୀରେ ଆଙ୍ଗୁଳିକା ଜାଆଁଳ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥି ଲାଗି ୨୦୧୭-୧୮ରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୯୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆକଳନ ଅନୁସାରେ ଉକ୍ତ ଯୋଜନାରେ ବାର୍ଷିକ ଅତିରିକ୍ତ ୪୨୦୦ ମେଟ୍ରିକ୍ ଟନ୍ ମଧୁର ଜଳ ମାଛ ଏବଂ ୫୦୦ ଟନ୍ ଆଙ୍ଗୁଳିକା ଜାଆଁଳ ଉତ୍ପାଦନ କରାଯାଇପାରିବ । ଉଲ୍ଲେଖ ଥାଉ କି, ରାଜ୍ୟ ସରକାର ୨୦୧୭-୧୮ ଆର୍ଥିକ ବର୍ଷରୁ ରାଜ୍ୟରେ ମାଛ ଚାଷର ବିକାଶ, ମାଛ ଉତ୍ପାଦନ ବୃଦ୍ଧି ତଥା ଆଗ୍ରହୀ ମାଛଚାଷୀ ଓ ଉଦ୍ୟେଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉପରୋକ୍ତ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।
ଯୋଜନାରେ ଥିବା ବ୍ୟବସ୍ଥା:
-ନୂଆ ପୋଖରୀ ଖୋଳା ଓ କାମଚଳା ପୁଞ୍ଜି ପାଇଁ ହେକ୍ଟର୍ ପ୍ରତି ୮ ଲକ୍ଷ ୫୦ ହଜାର ଟଙ୍କାର ପ୍ରକଳ୍ପ ମୂଲ୍ୟ ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ ବ୍ୟବସ୍ଥା ।
– ମତ୍ସ୍ୟଚାଷୀମାନେ ସର୍ବନିମ୍ନ ୦.୨ ହେକ୍ଟର ଓ ସର୍ବାଧିକ ୨.୦୦ ହେକ୍ଟର ପର୍ଯ୍ୟନ୍ତ ଜଳରାଶି କ୍ଷମତା ଥିବା ଅଞ୍ଚଳରେ ପୋଖରୀ ଖୋଳି ପାରିବେ ।
– ୧୦୦ ଗ୍ରାମ ଓ ତଦୁର୍ଦ୍ଧ୍ୱ ଜାଆଁଳ ବା ଅଙ୍ଗୁଳିକା ଜାଆଁଳ ଉତ୍ପାଦନ କ୍ଷେତ୍ରରେ ଆଗ୍ରହୀ ଚାଷୀଙ୍କର ୦.୧୦ରୁ ୧.୦୦ ହେକ୍ଟର ପର୍ଯ୍ୟନ୍ତ ପୋଖରୀ ଥିବା ଆବଶ୍ୟକ ।
– ଏକ ଏକର ବା ତଦୁର୍ଦ୍ଧ୍ୱ ପରିମିତ ଜମିରେ ପୋଖରୀ ଖନନ କ୍ଷେତ୍ରରେ ଅନ୍ୟୁନ ଶତକଡା ୧୦ ଭାଗ ଅଞ୍ଚଳରେ ଅଙ୍ଗୁଳିକା ଜାଆଁଳ ଉତ୍ପାଦନ ପାଇଁ ପୋଖରୀ ଖୋଳିବା ବାଧ୍ୟତାମୂଳକ ଅଟେ ।
– ହିତାଧିକାରୀଙ୍କର ସମ୍ପୃକ୍ତ ଜମିର ମାଲିକାନା ସତ୍ତ୍ୱ ଥିବା ଆବଶ୍ୟକ ।
– କୌଣସି ବ୍ୟାଙ୍କ ବା ଅର୍ଥ ଲଗାଣକାରୀ ସଂସ୍ଥାରେ ସମ୍ପୃକ୍ତ ଜମି ବନ୍ଧା ପଡିନଥିବ ।
– ହିତାଧିକାରୀ କୌଣସି ବ୍ୟାଙ୍କ ବା ଅର୍ଥ ଲଗାଣକାରୀ ସଂସ୍ଥା ଦ୍ୱାରା ଋଣ ଖିଲାପି ହୋଇନଥିବେ ।
– ହିତାଧିକାରୀ ୫ ବର୍ଷ ପର୍ଯନ୍ତ ଉକ୍ତ ପୋଖରୀକୁ ବିକ୍ରି କରିପାରିବେ ନାହିଁ କି ବନ୍ଧା ରଖି ପାରିବେ ନାହିଁ ।
– ପୂର୍ବରୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯୋଜନାରେ ମାଛଚାଷ ପାଇଁ ସହାୟତା ପାଇଥିବା ଚାଷୀ ଏହି ଯୋଜନାରେ ସାମିଲ୍ ହୋଇପାରିବେ ନାହିଁ ।
– କୌଣସି ଅର୍ଥ ଲଗାଣକାରୀ ସଂସ୍ଥା ବା ବ୍ୟାଙ୍କ ଦ୍ୱାରା ହିତାଧିକାରୀ ଦେବାଳିଆ ଘୋଷିତ ହୋଇନଥିବେ ।
– ପେଖରୀ ହୁଡାରେ ସମ୍ପୃକ୍ତ ହିତାଧିକାରୀ ନିଜ ଖର୍ଚ୍ଚରେ ଉଦ୍ୟାନ କୃଷି କରି ଅଧିକ ଲାଭବାନ ହୋଇପାରିବେ ।
ପ୍ରକାଶ ଥାଉ କି, ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହିତାଧିକାରୀ ଚୟନ କମିଟି ଜରିଆରେ ଆଗ୍ରହୀ ଚାଷୀଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବ । ଏ କ୍ଷେତ୍ରରେ ଆଗ୍ରହୀ ଚାଷୀମାନେ ନିଜ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ କିମ୍ବା ବ୍ଲକରେ ଅବସ୍ଥାପିତ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ନିକଟରେ ଉପଯୁକ୍ତ କାଗଜପତ୍ର ଥାଇ ଆବେଦନ କରିପାରିବେ ।

Previous ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ନେଇ ବାଟ ଫିଟିଲା
Next ଫୋନରୁ ଗୀତ ଶୁଣି ଜିତିଲେ ‘ଇଣ୍ଡିଆନ ଆଇଡ଼ଲ ସିଜନ-୧୧’

No Comment

Leave a reply

Your email address will not be published. Required fields are marked *