ହାତୀ ଆକ୍ରମଣରେ ୨ଟି ଗାଁର ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଅନୁଗୁଳ ଜିଲ୍ଲା ତାଳଚେରର ଷଣ୍ଢ ଓ ସନ୍ଥପଡା ଗାଁରେ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ବ୍ରାହ୍ମଣୀନଦୀ ପାର ହୋଇ ଷଣ୍ଢ ଗ୍ରାମରେ ପହଞ୍ଚିବା ସହ ସେଠାରେ ହାତୀ ପଲ ଘର ବାହାରେ ଶୋଇଥିବା ଗୋଟିଏ ପରିବାରର ଚାରି ଜଣଙ୍କୁ କଚାଡି ମାରିଦେଇଥିଲେ। ସେମାନେ ସଂପର୍କରେ ବାପା, ଦୁଇ ଝିଅ ଓ ପିଉସୀ ବୋଲି କୁହାଯାଉଛି। ଗୋଟିଏ ଝିଅର ବୟସ ୪, ଅନ୍ୟ ଝିଅର ବୟସ ୧୨, ବାପାର ବୟସ ୪୦ ଓ ପିଉସୀର ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି । ଗରମ ପଡ଼ିଥିବାରୁ ସେମାନେ ଗତରାତିରେ ଘର ବାରନ୍ଦାରେ ଶୋଇଥିଲେ। ସେମାନଙ୍କ ଘର ପାଲଲହଡ଼ା ଅନ୍ତର୍ଗତ ଗୋବିନ୍ଦପୁରରେ। ଇଟାଭାଟି ଶ୍ରମିକ ଭାବେ ସେମାନେ ଏ ଅଞ୍ଚଳରେ କାମ କରୁଥିଲେ। ତାପରେ ସନ୍ଥପଡା ଗ୍ରାମର ଜଣେ ବୃଦ୍ଧ ଶୌଚ ପାଇଁ ଯିବା ବେଳେ ଦନ୍ତା ହାବୁଡ଼ରେ ପଡିବାରୁ ତାଙ୍କୁ ମଧ୍ୟ ହାତୀ କଚାଡି ମାରି ଦେଇଥିଲେ । ମୃତକଙ୍କ ନାମ ଭ୍ରମର ସାମଲ । ଘଟଣା ପରେ ଖବର ପାଇ ସ୍ଥାନୀୟ ପୁଲିସ ଓ ବନ ବିଭାଗ ପହଞ୍ଚି ନିହତ ବ୍ୟକ୍ତିମାନଙ୍କର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତାଳଚେର ଡାକ୍ତରଖାନାକୁ ପଠାଇଛନ୍ତି। ବନ ବିଭାଗର କର୍ମଚାରୀମାନେ ହାତୀ ପଲକୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ କର୍ମଚାରୀ ହାତୀ ପଲକୁ ଠାବ କରି ପାରି ନାହାଁନ୍ତି ।
ହାତୀ ଆକ୍ରମଣରେ ୨ଟି ଗାଁର ପାଞ୍ଚ ଜଣ ମୃତ
elephant herd kills five in odisha talcher

No Comment