ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରସୋର ନିର୍ବାଚନ ପ୍ରଚାର

cm naveen patnaik plays farmers card in bargarh

ଆସନ୍ତା ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାରେ ଜୋରସୋର ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ରୋଡ ସୋ’ କରିଛନ୍ତି। ଅତାବିରା ଓ ପଦ୍ମପୁରରେ ନବୀନ ନିଜ ସରକାରର ସଫଳତା ବଖାଣିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି ବୋଲି ସେ କହିଥିଲେ। ପଦ୍ମପୁରରେ ନିଜ ଅଭିଭାଷଣରେ ନବୀନ ପ୍ରଥମେ ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି, କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି, ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ ବୋଲି ସେ କହିଥିଲେ । ଆମ ସରକାର ଆସିବାର ପ୍ରଥମ ଦିନ ବାକି ଚାଷୀମାନଙ୍କୁ ୧୦ ହଜାର ଲେଖାଏଁ ‘କାଳିଆ’ ଟଙ୍କା ଦିଆଯିବ। ଏହାସହ ନବୀନ କହିଥିଲେ ଏନ୍‌ଏସ୍‌ପି ଦୁଇଗୁଣ କରାବା ପାଇଁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା, ଦୀର୍ଘ ଦିନ ଅପେକ୍ଷା କଲୁ; ଚିଠି ଲେଖିଲୁ କିଛି ସୁଫଳ ମିଳିଲା ନାହିଁ। ଦୁଇ ବର୍ଷ ଅପେକ୍ଷା କରିବା ପରେ ସମସ୍ୟା ଜଣାଇବାକୁ ଚାଷୀ ଓ ମନ୍ତ୍ରୀ ଦିଲ୍ଲୀ ଗଲେ, କିନ୍ତୁ କେନ୍ଦ୍ର ସରକାର ତାଙ୍କ ପାଇଁ ୨ ମିନିଟ୍‌ ସମୟ ଦେଲେ ନାହିଁ। କେନ୍ଦ୍ରରେ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଥାଇ ସୁଦ୍ଧା ନିରବ ରହିଲେ। କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ରକୁ କହିଥିଲୁ। ସେଥିରେ ମଧ୍ୟ ସେ ଚୁପ୍‌ ରହିଲେ ବୋଲି ନବୀନ କହିଥିଲେ। ଏବେ ଭୋଟ୍‌ ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଚାଲି ଆସୁଛନ୍ତି। ମୁଁ ଆପଣମାନଙ୍କ ସହ ରହିଛି। ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରୁଥିବି। ଏଥିସହ ସେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳର ପ୍ରାର୍ଥୀ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କୁ ଜିତାଇବା ଲାଗି ନିବେଦନ କରିଥିଲେ। ନବୀନ ପାଟଣାଗଡ଼ ପରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ଲୋଇସିଂହାରେ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଆଜି ରାଉରକେଲାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଠାରେ ଆୟୋଜିତ ସାଧାରଣ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Previous ମଙ୍ଗୁଳି ଜେନା ହତ୍ୟା ଘଟଣା : ବିଜେପି ପକ୍ଷରୁ ୬ ଘଣ୍ଟିଆ ଖୋର୍ଦ୍ଧା ବନ୍ଦ
Next ଏପ୍ରିଲ ୧୮ରୁ ଖରା ଛୁଟି

No Comment

Leave a reply

Your email address will not be published. Required fields are marked *