ସାବଧାନ, କୁକୁଡ଼ାଙ୍କୁ ଦିଆଯାଉଛି ବିପଜ୍ଜନକ ଆଣ୍ଟିବାୟୋଟିକ୍ !

Chickens in India are dosed with toxic antibiotics

ଭାରତରେ କୁକୁଡ଼ାକୁ ଦିଆଯାଉଛି ଏକ ବିଷାକ୍ତ ଆଣ୍ଟିବାୟୋଟିକ୍, ଯାହାକୁ ଅତି ସଂକଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଫାର୍ମରେ କୁକୁଡ଼ାଙ୍କୁ ରୋଗମୁକ୍ତ ରଖିବା ପାଇଁ ଓ ସେମାନଙ୍କ ଓଜନ ବଢ଼ାଇବା ପାଇଁ ଏହି ଆଣ୍ଟିବାୟୋଟିକ୍ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି । ଦି ବ୍ୟୁରୋ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍ ନାମକ ଏକ ସଂସ୍ଥା ପକ୍ଷରୁ ହାଇଦ୍ରାବାଦ ନିକଟସ୍ଥ ରଙ୍ଗାରେଡ୍ଡି ଜିଲ୍ଲାରେ ଏହି ଗବେଷଣା କରାଯାଇଥିଲା । ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ସେଠାରେ କୁକୁଡ଼ାଙ୍କୁ ରୋଗମୁକ୍ତ ରଖିବା ପାଇଁ ଏବଂ ଶୀଘ୍ର ତାହାର ଓଜନ ବଢ଼ାଇବା ଅଧିକ ଲାଭ ଅର୍ଜନ କରିବା ପାଇଁ ବ୍ୟବସାୟୀ ମାନେ  କୋଲିଷ୍ଟିନ୍ ନାମକ ଏକ ଏହି ବିପଜ୍ଜନକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି । ଅତି ସଂକଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ କ୍ଷେତ୍ରରେ ଅନ୍ୟ କୌଣସି ଔଷଧ କାମ ନକଲେ ଡାକ୍ତରମାନେ ସେମାନଙ୍କ ଚିକିତ୍ସା ପାଇଁ ଏହି କୋଲିଷ୍ଟିନ୍ ଆଣ୍ଟିବାୟୋଟିକ୍ ବ୍ୟବହାର କରିଥାନ୍ତି । କିନ୍ତୁ ସୁସ୍ଥ ମଣିଷ ପାଇଁ ଏହା କ୍ଷତିକାରକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହି ଗବେଷଣାରୁ ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ, 2016ରେ ଭାରତ ସମେତ ଭିଏତନାମ, ରୁଷ୍, ଦକ୍ଷିଣ କୋରିଆ ଆଦି ଦେଶକୁ ହଜାର ହଜାର ଟନ୍ ପରିମାଣରେ କୋଲିଷ୍ଟିନ୍ ଆମଦାନୀ ହୋଇଛି । ଭାରତରେ ଔଷଧ ପ୍ରସ୍ତୁତ କରୁଥିବା 2ଟିି କମ୍ପାନୀ ସେହିବର୍ଷ 150 ଟନ୍ କୋଲିଷ୍ଟିନ୍ କିଣିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନୁଷ୍ୟର ଚିକିତ୍ସା ପାଇଁ ଏହାକୁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଔଷଧ କୁହାଯାଉଥିଲେ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି ଯେ, ପଶୁପକ୍ଷୀଙ୍କ କ୍ଷେତ୍ରରେ ଏବଂ ଶରୀର ବର୍ଦ୍ଧକ ଭାବେ ଏହାର ବ୍ୟବହାର ନିଷିଦ୍ଧ ।

କୁକୁଡ଼ା ଫାର୍ମରେ କୋଲିଷ୍ଟିନ ଅଧିକ ମାତ୍ରାରେ ବ୍ୟବହାର ହେଲେ ଏହାର କୋଲିଷ୍ଟିନ୍ ପ୍ରତିରୋଧକ ବ୍ୟାକ୍ଟେରିଆର ବଂଶବୃଦ୍ଧି ଘଟିବ ଏବଂ ଏହା ମାଂସ, ଫାର୍ମରେ କାମ କରୁଥିବା କର୍ମଚାରୀ, କୁକୁଡ଼ା ମଳ, ମାଛି ଆଦି ମାଧ୍ୟମରେ ଚାରିଆଡ଼େ ବ୍ୟାପିଯିବ । ଫଳରେ ଏହା ଦ୍ୱାରା ସୁସ୍ଥ ମଣିଷ ଓ ରୋଗୀମାନେ ସଂକ୍ରମିତ ହେଲେ କୋଲିଷ୍ଟିନ୍ ଆଣ୍ଟିବାୟୋଟିକ୍ ମଧ୍ୟ କାମ କରିବ ନାହିଁ । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଔଷଧ ପ୍ରତିରୋଧକ ବ୍ୟାକ୍ଟେରିଆ ପାଇଁ ବିଶ୍ୱରେ ପ୍ରତିବର୍ଷ ପ୍ରାୟ 7ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ, ଯାହାକି ଭବିଷ୍ୟତରେ ଏକ ଭୟଙ୍କର ପରିସ୍ଥିତିକୁ ସୂଚାଉଛି ।

Previous ଧୋବ ଫରଫର ଦାନ୍ତ ପାଇଁ 5ଟି ସରଳ ଫର୍ମୁଲା
Next ସଫଳତାର ୭ଟି ମନ୍ତ୍ର: ଶୋଇବା ଆଗରୁ କରନ୍ତୁ ଏହିସବୁ କାମ

No Comment

Leave a reply

Your email address will not be published. Required fields are marked *