ବଜେଟ୍ 2018: 20ଟି ପଏଣ୍ଟରେ ଜାଣନ୍ତୁ ପ୍ରମୁଖ ଘୋଷଣା

Union Budget 2018-19

ଆଜି ସଂସଦରେ 2018-19 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ବଜେଟରେ ସାଧାରଣ ଜନତା ଓ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବଜେଟର କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଗୁଡ଼ିକ ହେଲା:
  1. ବଜେଟରେ ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକ ପାଇଁ ରାଷ୍ଚ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଘୋଷଣା କରାଯାଇଛି । ଏହା ଅଧୀନରେ ଦେଶର 10 କୋଟି ପରିବାରର 50 କୋଟି ଲୋକ ଲାଭବାନ ହେବେ । ପ୍ରତି ପରିବାର ପାଇଁ ବାର୍ଷିକ 5ଲକ୍ଷ ଟଙ୍କା ନଗଦବିହୀନ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ । ଯକ୍ଷ୍ମା ଆକ୍ରାନ୍ତଙ୍କ ପାଇଁ 600 କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଛି ।
  2. ଗରିବଙ୍କ ପାଇଁ ଆବାସ ଯୋଜନା ଅଧୀନରେ 2022 ସୁଦ୍ଧା ଦେଶରେ 51 ଲକ୍ଷ ନୂଆ ଘର ନିର୍ମାଣ ହେବ ବୋଲି ଘୋଷଣା କରାଯାଇଛି ।
  3. ଉଜ୍ଜ୍ୱଳା ଯୋଜନା ଅଧୀନରେ 8କୋଟି ଗରିବ ମହିଳାଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବ ।
  4. ବ୍ୟକ୍ତିଗତ ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । 2017-18 ଆର୍ଥିକ ବର୍ଷରେ 85.51 ଲକ୍ଷ ନୂଆ କରଦାତା ସାମିଲ ହୋଇଛନ୍ତି । ଫଳରେ ପ୍ରତ୍ୟକ୍ଷ କରରେ ଗତବର୍ଷ 12.6% ବୃଦ୍ଧି ହୋଇଛି ।
  5. ପୁଣି ଥରେ ଆରମ୍ଭ ହେବ ଷ୍ଟାଣ୍ଡାର୍ଡ ଡିଡକସନ୍ ପ୍ରକ୍ରିୟା । ଆୟରୁ ୪୦ ହଜାର ପର୍ଯ୍ୟନ୍ତ ଷ୍ଟାଂଡାର୍ଡ ଡିଡକସନ୍ ପ୍ରକ୍ରିୟାରେ ଟିକସ୍ ଲାଗୁ କରାଯିବ । ସମସ୍ତ ବେତନଭୋଗୀଙ୍କୁ ଆୟରୁ 40 ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ ପ୍ରକ୍ରିୟାରେ ଟିକସ୍ ଦେବାକୁ ପଡ଼ିବ ବୋଲି ଘୋଷଣା ହୋଇଛି ।
  6. ବରିଷ୍ଠ ନାଗରିକମାନଙ୍କୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ କରଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।
  7. ଉଡ଼ାନ ଯୋଜନା ଅଧୀନରେ ଦେଶରେ ଆକାଶପଥ ଯୋଗାଯୋଗକୁ ବ୍ୟାପକ କରିବା ପାଇଁ 56ଟି ବିମାନବନ୍ଦର ଓ 31ଟି ହେଲିପ୍ୟାଡ୍ ନିର୍ମାଣ କରାଯିବ । ଉଡ଼ାନ ଯୋଜନାରେ ସାଧାରଣ ଲୋକଙ୍କୁ ଯୋଡ଼ିବା ପାଇଁ ଉଦ୍ୟମ ହେବା ସହ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ 10ଟି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳ ନିର୍ମାଣ ପାଇଁ ମଧ୍ୟ ଘୋଷଣା ହୋଇଛି ।
  8. ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦରମା ବଢିବ । ରାଷ୍ଟ୍ରପତିଙ୍କ ଦରମା ୫ଲକ୍ଷକୁ ବୃଦ୍ଧି କରାଯାଇଥିବା ବେଳେ ରାଜ୍ୟପାଳଙ୍କ ଦରମା ୩.୫ଲକ୍ଷ ଓ ଉପରାଷ୍ଟ୍ରପତିଙ୍କ ଦରମା ୪ ଲକ୍ଷ ଟଙ୍କା ହେବ । ପ୍ରତି ୫ବର୍ଷରେ ସାଂସଦଙ୍କ  ଭତ୍ତା ବଢିବ । ସୁନା ପାଇଁ ନୂଆ ନୀତି ଆସିବ ।
  9. ବିଟ୍ କଏନ୍ ଭଳି ଅର୍ଥବ୍ୟବସ୍ଥା ଭାରତରେ ବେଆଇନ ଏବଂ କ୍ରିପ୍ଟୋକରେନ୍ସି ଆଦିର କାରବାର ଆଇନ ସମ୍ମତ ନୁହେଁ ବୋଲି କହିଛନ୍ତି ଜେଟଲୀ ।
  10. ଜିଏସଟି ବ୍ୟବସ୍ଥା ଲାଗୁ ହେବା ଫଳରେ 41 ପ୍ରତିଶତ ଅଧିକ ଆୟକର ରିଟର୍ଣ୍ଣ ଫାଇଲ୍ ହୋଇଛି । 90 ହଜାର କୋଟି ଟଙ୍କାର ଅତିରିକ୍ତ ଟିକସ ଆଦାୟ ହୋଇଛି ।
  11. 2018-19 ଆର୍ଥିକ ବର୍ଷ ପାଇଁ 2.95 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପିତ ହୋଇଛି ।
  12. ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବଜେଟରେ 3073 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଗ୍ରାମାଞ୍ଚଳରେ ଇଣ୍ଟରନେଟ ସୁବିଧା ଉପଲବ୍ଧ କରାଇବା ପାଇଁ 5ଲକ୍ଷ ୱାଇଫାଇ ହଟସ୍ପଟ୍ ନିର୍ମାଣ ହେବ ବୋଲି ଘୋଷଣା ହୋଇଛି ।
  13. ରେଳବାଇ ପାଇଁ ସରକାର 1.48 ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି । 3600 କିଲୋମିଟର ରେଳପଥର ନବୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
  14. 600 ରେଳ ଷ୍ଟେସନର ଆଧୁନିକୀକରଣ କରାଯିବା ସହ ୩ଶହ ନୂଆ ରେଳ ଇଞ୍ଜିନ ନିର୍ମାଣ ହେବ । ସବୁ ରେଳ ନେଟଓ୍ଵାର୍କକୁ ବ୍ରଡ ଗଜ ପରିଣତ କରାଯିବ । ସବୁ ଟ୍ରେନରେ ସିସିଟିଭି ଓ ଓ୍ଵାଇଫାଇ ସେବା ଉପଲବ୍ଧ ହେବ ବୋଲି ଘୋଷଣା ହୋଇଛି ।
  15. ଜବାହର ନବୋଦୟ ବିଦ୍ୟାଳୟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ‘ଏକଲବ୍ୟ’ ମଡେଲ୍ ଆବାସିକ ବିଦ୍ୟାଳୟ ଖୋଲାଯିବ । 2022 ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ‘ରାଇଜ୍’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବ ।
  16. ଶିକ୍ଷକଙ୍କ ପାଇଁ ଏକକ ବିଏଡ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ସ୍କୁଲର ଆଧିନିକୀକରଣ ସହିତ ବ୍ଲାକ୍ ବୋର୍ଡ ପରିବର୍ତ୍ତେ ସ୍ମାର୍ଟବୋର୍ଡ ବ୍ୟବସ୍ଥା ହେବ । ଏଥିପାଇଁ ଆଗାମୀ 4ବର୍ଷ ମଧ୍ୟରେ 1ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।
  17. ପ୍ରତି 3ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ମେଡିକାଲ୍ କଲେଜ ଖୋଲାଯିବାର ଯୋଜନା ରହିଛି । ଚଳିତବର୍ଷ 24ଟି ନୂଆ ମେଡିକାଲ କଲେଜ ଖୋଲିବାକୁ ସରକାର ଘୋଷଣା କରିଛନ୍ତି ।
  18. କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ୧୧ ଲକ୍ଷ କୋଟି ଟଙ୍କାର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ । ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ହେବ । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ ବୋଲି ଜେଟଲି କହିଛନ୍ତି ।
  19. ଆଳୁ, ପିଆଜ ଓ ଟମାଟୋ ଚାଷୀଙ୍କ ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ ହେବ । ଏଗୁଡ଼ିକର ଉତ୍ପାଦନ ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିସହ ୪୨ଟି ମେଗା ଫୁଡ୍ ପାର୍କ ନିର୍ମାଣ ପାଇଁ ଘୋଷଣା କରାଯାଇଛି । ପଶୁପାଳନ ଓ ମତ୍ସଚାଷ ପାଇଁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ । ଏ ବାବଦକୁ ଦୁଇଟି ଫାଣ୍ଠି ଜରିଆରେ ୧୦ କୋଟି ଖର୍ଚ୍ଚ କରାଯିବ ।
  20. ସୌଭାଗ୍ୟ ଯୋଜନା ମାଧ୍ୟମରେ 4କୋଟି ଗରିବ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯିବ । ଆଗାମୀ ଆର୍ଥିକ ବର୍ଷରେ 2କୋଟି ଶୌଚାଳୟ ନିର୍ମାଣ ହେବ ।
Previous ବିଶ୍ୱର ଧନୀ ଦେଶ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ
Next ବଜେଟ୍ 2018: କ'ଣ ଶସ୍ତା, କ'ଣ ମହଙ୍ଗା?

No Comment

Leave a reply

Your email address will not be published. Required fields are marked *