ଫ୍ଲାଇଂ ସ୍କ୍ୱାଡଙ୍କୁ ଆକ୍ରମଣ ଘଟଣା :ଗିରଫ ହେଲେ ପ୍ରଦୀପ ମହାରଥୀ

bjd mla pradeep maharathi arrested

ଚଢ଼ାଉ ସମୟରେ ଫ୍ଲାଇଂ ସ୍କ୍ବାଡ୍‌କୁ ଆକ୍ରମଣ କରିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମହଙ୍ଗା ପଡ଼ିଛି। ଗତକାଲି ରାତିରେ ପିପିଲିରେ ନିର୍ବାଚନ କମିସନଙ୍କ ଫ୍ଲାଇଂସ୍କ୍ଵାଡ ଓ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ ଉପରେ ଆକ୍ରମଣ ଘଟଣାରେ ଆଜି ଗିରଫ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ ମହାରାଥୀ। କର୍ତ୍ତବ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ଆଧାରରେ ପୁଲିସ ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଡାକି ପଚରାଉଚରା କରିବା ପରେ ଗିରଫ କରିଛି। ତେବେ ମହାରଥୀଙ୍କ ବିରୋଧରେ ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ୧୨୩ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିର ଘଟଣାକୁ ନେଇ ପିପିଲିରେ ଉତ୍ତେଜନା ସୃଷ୍ଟି ହେବା ସହ ସେଠାରେ ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ସୂଚନାଯୋଗ୍ୟ, ରବିବାର ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କ ନେତୃତ୍ଵରେ ଏହି ଚଢ଼ାଉ ହୋଇଥିଲା। କିନ୍ତୁ ଫ୍ଲାଇଂ ସ୍କ୍ବାଡ୍‌କୁ ସେଠାରେ ମହାରଥୀ ଏବଂ ତାଙ୍କ ସମର୍ଥକଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା। ମହାରଥୀ ନିଜେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିବା ମାଜିଷ୍ଟ୍ରେଟ୍‍ ଅଭିଯୋଗ କରିଥିଲେ। ଆକ୍ରମଣରେ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ମାଜିଷ୍ଟ୍ରେଟ୍‍ ବିଜୟ କୁମାର କରଙ୍କ ହାତରେ ଆଘାତ ଲାଗିଥିଲା। ଏଥିସହ ପୁଲିସ ଏଏସ୍‍ଆଇ ବିନୟ କୁମାର ଦାସ, ଭିଡିଓଗ୍ରାଫର ଦୀପକ ପ୍ରଧାନ, ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଆହତ ମାଜିଷ୍ଟ୍ରେଟ୍‍ ରବିନାରାୟଣ ପାତ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା।

Previous ୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
Next ଶ୍ରୀଲଙ୍କାରେ ମଧ୍ୟରାତ୍ରୀରୁ ଲାଗୁହେବ ଜରୁରୀ ସ୍ଥିତି !

No Comment

Leave a reply

Your email address will not be published. Required fields are marked *