ଗୁଜରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଣ୍ଟରରେ ଗତକାଲି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣ ଛାତ୍ରଙ୍କ ପ୍ରାଣ ହାନି ହୋଇଛି ଏବଂ ବହୁସଂଖ୍ୟକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କେତେକ ଛାତ୍ର ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଆଉ କେତେକ ଛାତ୍ର ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ସୁରଟର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଳା କମ୍ପ୍ଲେକ୍ସର ତୃତୀୟ ଏବଂ ଚତୁର୍ଥ ମହଲାରେ ଏକ କୋଚିଂ ସେଣ୍ଟର ରହିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କୋଚିଙ୍ଗ୍ ସେଣ୍ଟର ପାଖରେ ଥିବା ଇଲେକ୍ଟ୍ରିକ୍ ଖମ୍ବ ପାଖରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଖମ୍ବ ପାଖରେ କିଛି ବାଇକ୍ ଏବଂ କାର୍ ପାର୍କ ହୋଇଥିଲା । ସେଗୁଡ଼ିକରେ ପ୍ରଥମେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଥିବା ଗାଡି ମଧ୍ୟରୁ ଗୋଟିଏରେ ବ୍ଲାଷ୍ଟ ହୋଇ ସମ୍ପୂର୍ଣ୍ଣ ବିଲଡିଙ୍ଗ୍ କୁ ନିଆଁ ଧରିଥିଲା ଧୀରେ ଧୀରେ । ନିଆଁ ଲାଗିବା ସମୟରେ ବିଲଡିଙ୍ଗ୍ ଭିତରେ ୫୦ ଜଣ ଛାତ୍ରଛାତ୍ରୀ ଥିଲେ । କୋଚିଙ୍ଗ୍ ସେଣ୍ଟରରେ ଯିବା ଆସିବା ପାଇଁ କେବଳ ଗୋଟିଏ ରାସ୍ତା ଥିବା ବେଳେ ସର୍ଟ ସର୍କିଟରେ ଯେଉଁ ଗାଡିରେ ନିଆଁ ଲାଗିଯାଇଥିଲା ତାହା ବିଲ୍ଡିଙ୍ଗ୍ ଆଗରେ ହିଁ ପାର୍କ ହୋଇଥିଲା, ତେଣୁ ଯିବା ଆସିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ପିଲାମାନେ ଜୀବନ ବିକଳରେ ବିଲଡିଙ୍ଗ୍ ରୁ ଡେଇଁବା ଆରମ୍ଭ କରିଦେଇଥିଲେ । ଡେଉଁଥିବା ପିଲାଙ୍କ ମଧ୍ୟରୁ ଘଟଣାସ୍ଥଳରେ କିଛି ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ଅହମ୍ମଦାବାଦ ସରକାର ସବୁ କୋଚିଙ୍ଗ୍ କ୍ଲାସ୍ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ସହ କୋଚିଂ ସେଂଟର ପରିଚାଳକଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ଏହାସହ ଦୁର୍ଘଟଣାର ତଦନ୍ତ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ନିର୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଯାହା ଜଣାପଡ଼ିଛି ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାର ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ନିଆଁ ଲିଭାଇବା କାର୍ଯ୍ୟରେ ୧୯ଟି ଦମକଳ ଗାଡ଼ି ସମେତ ଦୁଇଟି ହାଇଡ୍ରୋଲିକ୍ ଗାଡ଼ି ବ୍ୟବହାର କରାଯାଇଥିଲା। ଉକ୍ତ କୋଠା ପାଇଁ ଅଗ୍ନି ନିରାପତ୍ତା ସମେତ ଅନ୍ୟାନ୍ୟ ଅନୁମତି ରହିଥିଲା କି ନାହିଁ ତାହାର ଅନୁଧ୍ୟାନ ସୁରଟ ମହାନଗର ନିଗମ କରୁଛି।
କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା: ପରିଚାଳକଙ୍କୁ ଅଟକ ରଖିଲା କ୍ରାଇମବ୍ରାଂଚ, ଗଲାଣି ୨୦ ଜୀବନ
20 dead in fire at coaching center in surat

No Comment