ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ ଅବ୍ୟବସ୍ଥା ଦେଖାଯିବା ସହ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରଲ,ଓଏମ୍ଆର୍ ସିଟ୍ ଚୋରି, ବ୍ୟପାକ କପି ହେବାର ନଜରକୁ ଆସିଥିଲା। ହେଲେ ଆସନ୍ତା ବର୍ଷ ଅର୍ଥାତ ୨୦୨୦ରେ ଯେପରି ଏହିଭଳି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପାଇଁ ନୂଆ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା ହେବ । ଓଏମ୍ଆର୍ ସିଟ୍ ତଥା ମଲ୍ଟିପୁଲ ଚଏସ୍ ପ୍ରଶ୍ନୋତ୍ତର ବ୍ୟବସ୍ଥା ବଦଳରେ ପ୍ରଶ୍ନପତ୍ରରେ ୫୦ ମାର୍କର ଅବ୍ଜେକ୍ଟିଭ୍ ଓ ୫୦ ମାର୍କ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । ୨୦୧୯-୨୦ ଶିକ୍ଷାବର୍ଷରେ ଏହି ସଂସ୍କାର ଆଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ ଦଶମ ଶ୍ରେଣୀ ପାଠ୍ୟପୁସ୍ତକରେ ସାମାନ୍ୟ ପରିବର୍ତନ ଆଣିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବିଜ୍ଞାନ, ଇଂରାଜୀ, ଓଡ଼ିଆ ପରି ବିଷୟରେ ଗୋଟିଏ ଦୁଇଟି ଚାପ୍ଟର ଅଦଳ ବଦଳ ହୋଇ ପାରେ। ଏହାସହ କେତେକ ଚାପ୍ଟର ପାଠ୍ୟକ୍ରମରୁ ବାହାର କରାଯାଇ ନୂଆ ଚାପ୍ଟରକୁ ସଂଯୋଗ କରାଯିବ ବୋଲି ସୂଚନା ରହିଛି । ୨୦୨୦ ମାଟ୍ରିକ୍ ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନପତ୍ର ଢାଞ୍ଚାରେ ଅଭ୍ୟାସ ପାଇଁ ସବ୍ଜେକ୍ଟିଭ୍ ପ୍ରଶ୍ନ ରହିବ । ଶିକ୍ଷକମାନେ ମଧ୍ୟ ନୂଆ ଢାଞ୍ଚାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ରେ ପଢ଼ାଇବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଓଏମ୍ଆର୍ ସିଟ୍ ବଦଳରେ ଏକ/ଦୁଇ ମାର୍କ ବିଶିଷ୍ଟ ବିଭିନ୍ନ ପ୍ରଶ୍ନ ରହିବ। ଯେପରିକି ‘ଗୋଟିଏ ଶବ୍ଦ ବା ବାକ୍ୟରେ ଅର୍ଥ ଲେଖ’, ‘ଶୂନ୍ୟସ୍ଥାନ ପୂରଣ କର’, ‘ଗୋଟିଏ ବାକ୍ୟରେ ଉତ୍ତର ଲେଖ’, ‘ଠିକ୍ ଓ ଭୁଲ୍ ବାଛିବା’, ‘କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ଯୋଗ’, ‘ଏକ ପଦରେ ଅର୍ଥ ପ୍ରକାଶ’, ପରି ପ୍ରଶ୍ନଗୁଡ଼ିକ ଆସିବ ଓ ଛାତ୍ରଛାତ୍ରୀ ତାହାର ଉତ୍ତର ଲେଖିବେ । ୨୦୨୦ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଚଳିତବର୍ଷ ୯ମ ଶ୍ରେଣୀ ପରୀକ୍ଷାରେ ନୂଆ ଢାଞ୍ଚାକୁ ଲାଗୁ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ନୂଆ ଢାଞ୍ଚାରେ ପରୀକ୍ଷା ଦେଉଛନ୍ତି। ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍ କହିଛନ୍ତି ଯେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍ସିଇଆରଟି) ପକ୍ଷରୁ ପ୍ରସ୍ତୁତ ହେଉଥିବା ନ୍ୟାସନାଲ କରିକୁଲମ୍ ଫ୍ରେମ୍ୱାର୍କ ନ ଆସିବା ପର୍ଯ୍ୟନ୍ତ ଓଡ଼ିଶାରେ ବହି ବଦଳିପାରିବ ନାହିଁ।
ଆସନ୍ତା ବର୍ଷରୁ ନୂଆ ଢାଞ୍ଚାରେ ହେବ ମାଟ୍ରିକ୍ ପରୀକ୍ଷା !
new pattern for matric exam

No Comment