‘ମୋ ସାଇକେଲ୍‌’

Mo Cycle-Public Bicycle Sharing’

ରାଜଧାନୀରେ ଆରମ୍ଭ ହୋଇଛି ‘ମୋ ସାଇକେଲ୍‌’ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । ଏହି ସେବା ଆରମ୍ଭ ହେବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ‘ମୋ ସାଇକେଲ୍’ ଆପ୍‌ରେ ବୁକିଂ କଲେ ମିଳୁଛି ସାଇକେଲ୍ ଚଳାଇବାର ସୁବିଧା। ସହରର ବିଭିନ୍ନ ଅଞ୍ଚଳରେ ୨୦୦୦ ସାଇକେଲ୍ ଗଡ଼ିବ। ଘଣ୍ଟାକୁ  ଭଡ଼ା ୫ ଟଙ୍କା ରଖାଯାଇ ଥିବାବେଳେ ପ୍ରଥମ ୫ଦିନ ସମସ୍ତଙ୍କ ପାଇଁ ମାଗଣାରେ ସାଇକେଲ୍ ଉପଲବ୍ଧ, ଏହାପରେ ଭଡ଼ା ଦେବାକୁ ପଡ଼ିବ। ଯେଉଁମାନେ ସଦସ୍ୟ ଭାବେ ପଞ୍ଜୀକୃତ ହେଉଛନ୍ତି ବା ହେବେ ସେମାଙ୍କୁ ପ୍ରତିଦିନ ମାଗଣାରେ ଅଧଘଣ୍ଟା ସାଇକେଲ୍ ଚଳାଇବାର ସୁବିଧା ମିଳିବ । ରାଜଧାନୀରେ ପ୍ରଥମ ପର‌୍ୟ୍ୟାୟରେ ୧୨୦ଟି ସ୍ଥାନରେ ପ୍ରାୟ ୧୪୦୦ ସାଇକେଲ୍‌ ଉପଲବ୍ଧ ହେଉଛି । ଡିସେମ୍ବର ୧ରୁ ୨୦୦୦ ସାଇକେଲ୍ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗଡ଼ିବାକୁ ଥିବା ୨୦୦୦ ସାଇକେଲ୍‌ରୁ ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍‌ ଯୋଗାଇଛନ୍ତି।

ସାଇକେଲ୍ ଚାଳକଙ୍କ ଯାତାୟାତରେ ଯେପରି କିଛି ସମସ୍ୟା ନଉପୁଜିବ ସେଥିପାଇଁ ମଧ୍ୟ ସ୍ଵତନ୍ତ୍ର ସାଇକେଲ୍‌ ଟ୍ରାକ୍ ନିର୍ମାଣ ହୋଇଛି। ସାଇକେଲ୍ ଯୋଗାଇ ଥିବା ତିନିଟି ସଂସ୍ଥା ପକ୍ଷରୁ ପୃଥକ ପୃଥକ ମେମ୍ବରସିପ୍ କାର୍ଡ ମିଳିବ। ଏଥିରେ ୟାନା ଓ ହେକ୍ସି ସଂସ୍ଥାର ମେମ୍ବରସିପ୍ ଫି’ ମାସକୁ ୧୦୦ଟଙ୍କା ରଖାଯାଥିବା ବେଳେ ଏଥିରେ ସାଇକେଲ୍ ଚଳାଇଲେ ପ୍ରଥମ ଅଧ ଘଣ୍ଟା ମାଗଣା ସେବୁ ମିଳିବ । ଏହାପରେ ପ୍ରତି ଅଧଘଣ୍ଟା ପାଇଁ ୫ଟଙ୍କା ଫି’ ଦେବାକୁ ପଡ଼ିବ। ଭଡା ଟଙ୍କା ‘ମୋ ସାଇକେଲ୍‌’ ଆପ୍‌ରେ ଥିବା ୱାଲେଟ୍‌ରୁ କଟିବ। ସର୍ବନିମ୍ନ ଦେୟ ୫ଟଙ୍କା ରଖାଯାଇଛି। ସେହିପରି ୟୁଲୁର ମେମ୍ବରସିପ୍ ନେଲେ ଦିନକ ମଧ୍ୟରେ ଯେତେ ସମୟ ସାଇକେଲ୍‌ ଚଳାଇଲେ ବି ଅଧଘଣ୍ଟା ମାଗଣା ‌ହିସାବ କରାଯିବ। ତା’ପରେ ଅଧଘଣ୍ଟାକୁ ୫ଟଙ୍କା ଫି’ ଆଦାୟ ହେବ। ଏହାର ମେମ୍ବରସିପ୍ ଫି’ ମାସକୁ ୧୪୯ଟଙ୍କା ରହିଛି। କେବଳ ଏତିକି ନୁହେଁ ଯଦି ସାଇକେଲ୍ ଚଳାଇବା ସମୟରେ କୌଣସି ତ୍ରୁଟି ଦେଖାଯାଏ ବା ସାଇକେଲ୍ ଚକା ଲିକ୍ ହୋଇଯାଏ ତେବେ ସେହିଠାରେ ହିଁ ସାଇକେଲ୍ ଛାଡ଼ି ପଳାଇବେ, କେବଳ ସଂସ୍ଥାକୁ ଗୋଟିଏ କଲ୍‌ କରିବାକୁ ପଡ଼ିବ। ଏହାପରେ ସଂସ୍ଥାର ମେକାନିକ୍ ସାଇକେଲ୍ ସଜାଡ଼ି ନେଇଯିବେ। ଅନ୍ୟ ସମୟରେ ମଧ୍ୟ ସାଇକେଲ୍ ଯେ କୌଣସି ସ୍ଥାନରେ ଛାଡ଼ି ଯାଇପାରିବେ। ଏବେ ରାଜଧାନୀର ସମସ୍ତ ପ୍ରମୁଖ ସ୍ଥାନରେ ସାଇକେଲ୍ ଡକିଂ ସେଣ୍ଟର କରାଯାଇଛି। ଇନଫୋସିଟିରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ପର‌୍ୟ୍ୟନ୍ତ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ‘ମୋ ସାଇକେଲ୍‌’ ସେବା ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳିଛି। ସକାଳ ଭ୍ରମଣ ଠାରୁ ଆରମ୍ଭ କରି କଲେଜ ଯିବାପାଇଁ ଏହାର ସାହାଯ୍ୟ ନେଉଛନ୍ତି ଯୁବପିଢ଼ି । ସେହିଭଳି ନିଜକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ବୟସ୍କମାନେ ସାଇକେଲ ଚଳାଉଛନ୍ତି, କେହିକେହି କାର୍ଯ୍ୟାଳୟ ଯିବା ପାଇଁ ମଧ୍ୟ ଏହି ସେବା ନେଉଛନ୍ତି । ସହରର ଟ୍ରଫିକି ସମସ୍ୟା ଓ ପ୍ରଦୂଷଣକୁ ରୋକିବାରେ ‘ମୋ ସାଇକେଲ୍‌’ ବେଶ ସହାୟ ହେବ ବୋଲି ଆଶା କରାଯାଉଛି।

Previous ବୋତଲରୁ ସର୍ଜନା
Next ଆଜି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ: ପ୍ରବେଶ ପାଇଁ ୯ଟି ଗେଟ୍‌ ଖୋଲା

No Comment

Leave a reply

Your email address will not be published. Required fields are marked *