ଓଡିଶାର ମମତା ଦଳାଇ ଓ ପଙ୍କଜ ମୋହାନ୍ତ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅତି କମ୍ ବୟସରେ ଅଭୁତପୂର୍ବ ସାହସ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏଦୁହେଁ ।
୧୮ ଜଣ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛି ଭାରତୀୟ ଶିଶୁ କଲ୍ୟାଣ ପରିଷଦ । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଝିଅ ଏବଂ ୧୧ ଜଣ ପୁଅ । ଏହି ୧୮ ଜଣ ଶିଶୁଙ୍କ ମଧ୍ୟରେ ଆମ ରାଜ୍ୟ ଓଡିଶାରୁ ସ୍ଥାନ ପାଇଛନ୍ତି ମମତା ଓ ପଙ୍କଜ । ଗତ ବର୍ଷ କୁମ୍ଭୀର ମୁହଁରୁ ସମ୍ପର୍କୀୟ ଭାଇକୁ ରକ୍ଷା କରି ଚର୍ଚ୍ଚାକୁ ଆସିଥିଲା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବାଙ୍କୁଆଳ ଗାଁର ୭ ବର୍ଷର ଝିଅ ମମତା । ବୈତରଣୀ ନଦୀରେ ବୁଡି ଯାଉଥିବା ତିନି ଜଣ ମହିଳାଙ୍କ ଜୀବନରକ୍ଷା କରି ଅଭୁତପୂର୍ବ ସାହସ ପ୍ରଦର୍ଶନ କରିଥିଲା କେଉଁଝର ଜିଲ୍ଲାର ୧୪ ବର୍ଷୀୟ ପଙ୍କଜ । ଜାନୁଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୮ ଜଣ ସାହସୀ ଶିଶୁଙ୍କୁ ସମ୍ବର୍ଦ୍ଧିତ କରିବେ । ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ପ୍ୟାରେଡ କାର୍ଯ୍ୟକ୍ରମରେ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ ଏମାନେ ।
No Comment