ମହେନ୍ଦ୍ରଙ୍କ ସ୍ୱାବଲମ୍ବୀ ଗ୍ରାମ ଗଠନ ଅଭିଯାନ


ପାଠପଢା ପରେ ଚାକିରି । ଆଉ ତାପରେ ସାଂସାରିକ କର୍ମଜଞ୍ଜାଳରେ ବ୍ୟସ୍ତତା । ଏସବୁରୁ ଊଦ୍ଧ୍ୱର୍କୁ ଯାଇ ସମାଜ ପାଇଁ କିଛି କରିବାର ପ୍ରୟାସ ଖୁବ୍ କମ୍ ଲୋକଙ୍କଠାରେ ପରିଲକ୍ଷିତ ହୋଇଥାଏ । ଏହି ପରିବର୍ତ୍ତନ ପ୍ରୟାସୀ ଯୁବକଙ୍କ ମଧ୍ୟରେ ମହେନ୍ଦ୍ର କୁମାର ନାୟକ ଅନ୍ୟତମ । ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ଗାଁ । ସମାଜସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କ ତରଫରୁ ମିଳିଛି ନ୍ୟାସନାଲ ୟୁଥ୍ ଆୱାର୍ଡ । ଗତ ମେ ମାସରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ହୋଇଥିବା ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଭାରତୀୟ ପ୍ରତିନିଧି ଦଳର ଜଣେ ସଦସ୍ୟ ଭାବରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସେ ।

ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା, ଜନସଚେତନତା ମାଧ୍ୟମରେ ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ, ପାରିବେଶିକ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ, ନାରୀ ଶିକ୍ଷାର ପ୍ରସାର, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ, ଜନସଚେତନତା ମାଧ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ଆଦି ଗଠନମୂଳକ କାର୍ଯ୍ୟର ନେତୃତ୍ୱ ନେଇ ସେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଏତଦବ୍ୟତିତ ସେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ସଫଳ ପରିଚାଳନା, ଯୁବକ ଓ ମହିଳା ସଶକ୍ତିକରଣ, ଜଳ ଓ ପରିମଳ ପରିଚାଳନା, ସବୁ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା କିପରି ପହଞ୍ଚିପାରିବ ସେ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି । ନବରଙ୍ଗପୁର ଜିଲ୍ଲାରେ ୨୫୦ଟି ୟୁଥ୍ ଏବଂ ୪୧ଟି ମହିଳା କ୍ଲବ, ୬୨ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୫ଟି ବେସରକରାରୀ ସଙ୍ଗଠନ ଓ ୩ଟି ଟ୍ରଷ୍ଟ ଗଠନରେ ମୁଖ୍ୟ କର୍ଣ୍ଣଧାର ହେଉଛନ୍ତି ମହେନ୍ଦ୍ର । ତାଙ୍କ ଉଦ୍ୟମରେନବରଙ୍ଗପୁର ଜିଲ୍ଲାର ମହିଳାମାନଙ୍କୁ ବିଭିନ୍ନ ପ୍ରକାରର ସ୍ୱଳ୍ପ ଓ ଦୀର୍ଘକାଳୀନ ତାଲିମ ପ୍ରଦାନ କରାଯାଇଛି। ସିଲେଇ, ପାମ୍ପଡ, ବଡି,ମହମବତୀ ଓ ଅଗରବତୀ ପ୍ରସ୍ତୁତି, କମ୍ପ୍ୟୁଟର ଶିକ୍ଷା ଏବଂ ଛତୁ ଚାଷ ସମ୍ବନ୍ଧରେ ତାଲିମ ନେଇ ନବରଙ୍ଗପୁର ଜିଲ୍ଲାର ପ୍ରାୟ ୮୦୦ ମହିଳା ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ମହେନ୍ଦ୍ରଙ୍କ ପ୍ରୟାସ ଯୋଗୁଁ ସେବା ଏନ୍ଜିଓ ନବରଙ୍ଗପୁରର ଦୁର୍ଗମ ଅଞ୍ଚଳରେ ସୋଲାର ଲାଇଟ୍ ବିତରଣ କରିଛି । ବିଜୁଳି ସୁବିଧା ନଥିବା ଦୁର୍ଗମ ଗାଁଗୁଡିକରେ ଏହି ଏନଜିଓ ତରଫରୁ ୧୬୦୦ଟି ସୋଲାର ଲାଇଟ୍ ଲଗାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ତାଲିମ କେନ୍ଦ୍ରରେ ପିଲାଙ୍କୁ ଶିକ୍ଷାଦାନ କରିଛନ୍ତି ମହେନ୍ଦ୍ର । ସହରକୁ ନଯାଇ ଗାଁରେ ରହି ଆତ୍ମନିର୍ଭରଶୀଳ ହେବା ମନ୍ତ୍ରରେ ସେ ନିଜ ଅଞ୍ଚଳର ଗ୍ରାମୀଣ ଯୁବପିଢିକୁ ଦୀକ୍ଷିତ କରିଛନ୍ତି । ସେହିଭଳି ରୋଗ ଘେନି ଲୋକଙ୍କ ଭିତରେ ଥିବା ଅନ୍ଧବିଶ୍ୱାସ ଦୂର କରି ସେମାନେ କିଭଳି ଉତ୍ତମ ଚିକିତ୍ସା ସୁବିଧା ପାଇପାରିବେ ସେ ସମ୍ପର୍କରେ ସେ ସଚେତନତା ସୃଷ୍ଟି କରିପାରିଛନ୍ତି ।   ଏ ଦିଗରେ ଜିଲ୍ଲା ପ୍ରଶାସନର ସହାୟତାରେ ଆରମ୍ଭ ହୋଇଥିବା ସଚେତନତା ଅଭିଯାନକୁ ନବରଙ୍ଗପୁର ଜିଲ୍ଲାର ୧୦୦ଟି ଗାଁରେ ସଫଳ କରାଇବାରେ ମହେନ୍ଦ୍ରଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ଏତଦ୍ବ୍ୟତୀତ କନ୍ୟା ସୁରକ୍ଷା ଯୋଜନା ଏବଂ ଅପପୁଷ୍ଟି ନିରାକରଣ କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କେବଳ ଜାତୀୟ ଯୁବ ପୁରସ୍କାର ନୁହେଁ ରାଜ୍ୟସ୍ତରୀୟ ସମାଜସେବା ସମ୍ମାନ, ପ୍ରକୃତିବନ୍ଧୁ, ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ଭଳି ଏକାଧିକ ପୁରସ୍କାର ଓ ସ୍ୱୀକୃତି ମହେନ୍ଦ୍ର କୁମାର ନାୟକଙ୍କୁ ମିଳିଛି ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ଗରିବଙ୍କ ପୁଷ୍ଟିଯୁକ୍ତ ଖାଦ୍ୟ ମୁଗ ଡାଲି
Next ସମନ୍ୱିତ ଫସଲର ସୁଯୋଗ ସୃଷ୍ଟି କଲା କୃଷି ପୋଖରୀ

No Comment

Leave a reply

Your email address will not be published. Required fields are marked *