ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିବା ‘ଆଇ ଆମ୍ କାଲାମ୍’ ଭଳି ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ପୁଣି ଚର୍ଚ୍ଚାରେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର-2016 ଘୋଷଣା ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ନୀଳମାଧବଙ୍କ ପାଇଁ ଗର୍ବିତ ହୋଇଛି ଓଡ଼ିଶା ମାଟି । ତାଙ୍କ ଆଗାମୀ ଫିଲ୍ମ ‘କଡ଼ୱି ହୱା’ ଫିଚର ଫିଲ୍ମ ବିଭାଗରେ ସ୍ପେଶାଲ ମେନସନ୍ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହାର ଅନ୍ୟତମ ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ସଫଳ ଓଡ଼ିଆ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା । ‘କଡ଼ୱି ହୱା’କୁ ଏହି ସଫଳତା ମିଳିବା ପରେ ନୀଳମାଧବ ତାଙ୍କ ପରିବାର ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଟ୍ୱିିଟରରେ ଏହି ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି ।
‘କଡ଼ୱି ହୱା’ର କାହାଣୀ ସମ୍ପର୍କରେ ନୀଳମାଧବ ପଣ୍ଡା କହିଛନ୍ତି, ଏହି ଫିଲ୍ମ ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଉପରେ ପର୍ଯ୍ୟବେଷିତ । ଚମ୍ବଲରେ ଏହାର ସୁଟିଂ ହୋଇଛି । ପ୍ରତିବର୍ଷ ଓଡ଼ିଶା ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯୟର ସମ୍ମୁଖୀନ ହେଉଥିବା ବେଳେ, ଏହି ସମସ୍ୟାକୁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀରେ ସ୍ଥାନ ଦିଆଯାଇଛି । ଜଣେ ଦୃଷ୍ଟିହୀନ ବୃଦ୍ଧ ଏବଂ ଋଣ ଅର୍ଥ ଅସୁଲ କରିବାକୁ ଆସିଥିବା ବ୍ୟାଙ୍କର ଜଣେ ଯୁବ ଏଜେଣ୍ଟଙ୍କୁ ନେଇ ‘କଡ଼ୱି ହୱା’ର କାହାଣୀ ଗତିଶୀଳ ହୋଇଛି । ଏଥିରେ ଦୃଷ୍ଟିହୀନ ବୃଦ୍ଧଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ସଞ୍ଜୟ ମିଶ୍ର । ଫିଲ୍ମରେ ରଣବୀର ସୋରେ ଏବଂ ତିଳୋତ୍ତମା ସୋମଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ପୂର୍ବରୁ ଶିଶୁ ଶ୍ରମିକ ପ୍ରସଙ୍ଗରେ ‘ଆଇ ଆମ୍ କଲାମ୍’, କନ୍ୟା ଭୃଣ ହତ୍ୟା ପ୍ରସଙ୍ଗରେ ‘ଜଲପରୀ’ ଏବଂ ଜଳାଭାବ ସମସ୍ୟା ପ୍ରସଙ୍ଗରେ ‘କୌନ କିତନେ ପାନିମେ’ ଭଳି ଫିଲ୍ମ ନିର୍ମାଣ କରି ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ପଦ୍ମଶ୍ରୀ ନୀଳମାଧବ ପଣ୍ଡା । ଅପକମିଂ ଫିଲ୍ମ ‘କଡ଼ୱି ହୱା’ ଆଗକୁ କିଛି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ପରେ ଥିଏଟରରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି ।
No Comment