ଗ୍ରାମୀଣ ସାମର୍ଥ୍ୟ ବୃଦ୍ଧିର ବାର୍ତ୍ତାବହ ଝୁନୁବାଳା


ନାରୀ ଆଉ ଘର ଚାରିକଡରେ ଆବଦ୍ଧ ହୋଇ ରହିନାହିଁ । ଘରର ଏରୁଣ୍ଡିବନ୍ଧ ଡେଇଁ ଶିକ୍ଷା, ବିଜ୍ଞାନ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଅଭିନୟ, ସମାଜସେବା ଆଦି କ୍ଷେତ୍ରରେ ସେ ନିଜର ଉକ୍ରର୍ଷତା ପ୍ରତିପାଦନ କରିପାରିଛି । ଦେଶରେ ଏଭଳି କିଛି ଆଦର୍ଶ ନାରୀ ଅଛନ୍ତି ଯେଉଁମାନେ ତୃଣମୂଳସ୍ତରରେ ଲୋକଙ୍କ ସହିତ ଯୋଡିହୋଇ ଗାଁ ଗୁଡିକର ବିକାଶର ମଙ୍ଗ ଧରିଛନ୍ତି । ଗ୍ରାମୀଣ ଜୀବନଶୈଳୀରେ ପରିବର୍ତ୍ତନର ବାର୍ତ୍ତାବହ ମଧ୍ୟ ସାଜିଛନ୍ତି । ସେହିଭଳି ଜଣେ ଆଦର୍ଶ ସ୍ଥାନୀୟ ମହିଳା ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁମାରୀ ଗାଁର ଝୁନୁବାଳା ଦାସ । ସେ ଏବେ ଓଡିଶା ଜୀବିକା ମିଶନରେ ଜଣେ କମ୍ୟୁନିଟି ରିସୋର୍ସ ପର୍ସନ ଭାବେ କାର୍ଯ୍ୟରତ ।

ପିଲାଟିବେଳୁ ସମାଜସେବା ଓ ଗଛ ଲଗାଇବାରେ ଝୁନୁବାଳାଙ୍କର ପ୍ରବଳ ଆଗ୍ରହ ରହିଥିଲା । ୧୯୯୯ ମସିହାରେ ସଂଘଟିତ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାରେ ଝୁନୁଙ୍କ ଗାଁର ଅନେକ ଗଛ ଭାଙ୍ଗିପଡିବା ସହ ବହୁ ଧନ ଜୀବନ ନଷ୍ଟ ହୋଇଥିଲା । ବାତ୍ୟା ପ୍ରପୀଡିତ ଲୋକଙ୍କ ଶୋଚନୀୟ ଅବସ୍ଥା ଓ ଗଛ ଗୁଡିକ ଭୁଇଁରେ ଲୋଟି ପଡିବାର ଦୃଶ୍ୟ ଦାରୁଣ ଦୁଃଖ ଦେଇଥିଲା ତାଙ୍କୁ । ସ୍କୁଲରେ ପଢୁଥିବା ସମୟରେ ସ୍କୁଲ ସାଥୀ ଓ ପରିବାର ଲୋକଙ୍କୁ ନେଇ ସେ ଆରମ୍ଭ କଲେ ବୃକ୍ଷ ରୋପଣ ଓ ସ୍ୱଚ୍ଛତା ଅଭିଯାନ । ସ୍ନାତକ ପଢି ସାରିବା ପରେ ଗାଁରେ ଅଙ୍ଗନବାଡି କର୍ମୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ମିଳେ ଝୁନୁବାଳାଙ୍କୁ । କୁମାରୀ ଗାଁରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ଗ୍ରହଣ କରିଥିଲେ ସେ । ଟିକାକରଣଠାରୁ ଆରମ୍ଭ କରି ସଦ୍ୟଜାତ ଶିଶୁଙ୍କର ଯତ୍ନ ଓ ଗର୍ଭବତୀ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ନିମନ୍ତେ ଜନ ସଚେତନତା ସୃଷ୍ଟି କରୁଥିଲେ ଝୁନୁବାଳା ।

ଓଡିଶା ଜୀବିକା ମିଶନ ଅଧୀନରେ ଜଣେ ଜୀବିକା ସହାୟକ ହିସାବରେ ବହୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଝୁନୁଙ୍କ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୪୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଛି । ମଶାରି ବ୍ୟବହାର, ସ୍ୱଳ୍ପ ମୁଲ୍ୟରେ ଲଣ୍ଠନ ନିର୍ମାଣ, ଟିକାକରଣ, ମହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ମୁଦ୍ରା ଯୋଜନା, ଗ୍ରାମ କଲ୍ୟାଣ ସମିତି ଓ ଜନନୀ ସୁରକ୍ଷା ଯୋଜନା ସମ୍ବନ୍ଧରେ ଗୋଷ୍ଠୀର ସଦସ୍ୟଙ୍କୁ ସେ ବୁଝାଇଥାନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଗୁଡିକର ସୁଦୃଢୀକରଣ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଝୁନୁଙ୍କର ଭୂମିକା ବାସ୍ତବିକ ସମାଜର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାଦାୟକ ।
ମହିଳା ସଶକ୍ତିକରଣ ସକାଶେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାୟ ୮୦ଟି ତାଲିମ କାର୍ଯ୍ୟକ୍ରମ ଝୁନୁବାଳାଙ୍କ ପ୍ରୟାସରେ ଆୟୋଜିତ ହୋଇଥିଲା । ଏହି ତାଲିମ କର୍ମଶାଳାରେ ତାଲିମ ନେଇ ୫୦୦ ରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗ୍ରାମୀଣ ଯୁବକଙ୍କ ଦକ୍ଷତା ବିକାଶ ନିମନ୍ତେ ୩୯ଟି ତାଲିମ କର୍ମଶାଳା ଆୟୋଜନ କରାଯାଇଥିଲା । ଝୁନୁବାଳା ଗାଁ ଯୁବକଙ୍କୁ ସେଥିରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି କର୍ମଶାଳାରେ ନିୟମିତ ତାଲିମ ନେଇ ୮୫୦ ରୁ ଅଧିକ ଗ୍ରାମୀଣ ଯୁବକ ନିଜ ଗୋଡରେ ନିଜେ ଛିଡା ହୋଇପାରିଛନ୍ତି । ତୃଣମୂଳସ୍ତରରେ ପ୍ରଗତିର ବାହକ ସାଜିଥିବା ଝୁନୁବାଳାଙ୍କୁ ଓଡିଶା ଜୀବିକା ମିଶନ ତରଫରୁ ଶ୍ରେଷ୍ଠ ସ୍ୱେଚ୍ଛସେବୀ ପୁରସ୍କାର ମିଳିଛି । ଏତଦ୍ବ୍ୟତୀତ ତାଙ୍କୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରାଳୟ, ୟୁନେସ୍କୋ ଓ ସମାଜ ଲୋକ ସେବକ ମଣ୍ଡଳ ମଧ୍ୟ ସମ୍ମାନିତ କରିଛି ।

ସୌଜନ୍ୟ -ଓଡ଼ିଶା ପଞ୍ଚାୟତ ସମାଚାର

Previous ସମନ୍ୱିତ ଫସଲର ସୁଯୋଗ ସୃଷ୍ଟି କଲା କୃଷି ପୋଖରୀ
Next ସ୍ୱାସ୍ଥ୍ୟପ୍ରଦ ଲଙ୍କା

No Comment

Leave a reply

Your email address will not be published. Required fields are marked *