ପଡିଆ ଜମିରୁ ଆୟର ବାଟ

income-from barren land

ଗତ ତିନି-ଚାରି ବର୍ଷ ଭିତରେ ମୋର ଓଡିଶା ବାହାରେ କେତେ ତରୁଣଂକ ସହିତ ଅପ୍ରତ୍ୟାଶିତ ଦେଖା ହେଲା । ବହୁ ସମୟ ଧରି କଥାରୁ ତାଂକ ଖବର ଜାଣିବାକୁ ମିଳିଲା । ସେ ସମସ୍ତେ ପୁରୁଣା ଗଡଜାତ ଅଂଚଳର । ଘରେ ପାରଂପାରିକ ଚାଷ । ମାତ୍ର ପରିବାର ବଢିଲାରୁ ଆଉ ଚାଷରୁ ଗୁଜୁରାଣ ମେଂଟାଇବା ସହଜ ହେଲାନି । ତେଣୁ ଏ ତରୁଣ, ଚାକିରି ହେଉ ବା ଦିନ ମଜୁରି ହେଉ, କାମ ଖୋଜି ଘରୁ ବାହାରିପଡିଲେ । କାମରେ ଟିକିଏ ଥଇଥାନ ହେଲାପରେ ନିୟମରେ ଘରକୁ ଟଂକା ପଠୋଉଥିଲେ । ଘରେ ବାପାଂକର ବୟସ ବଢିଲାରୁ ଓ ଏଣେ ପୁଅଠାରୁ ନିୟମିତ କିଛି ଟଂକା ଆସୁଥିବାରୁ, ବାପା ଆଉ ସବୁ ଜମି ଚାଷ କରୁ ନାହାଂତି । ଗଡାଣିଆ ଓ ତଳ ଜମିରେ ଧାନ ନିୟମିତ କରଂତି, ଯାହା ବର୍ଷକପାଇଁ କୁଟୁଂବକୁ ଅଂଟିଯାଏ । ଓପରର ଢିପ ଜମିକୁ ଆଉ ଚାଷ କରୁନାହାଂତି । ସେଠାରୁ ପାଣି ଗଡିଯାଉଥିବାରୁ ଓ ମାଟି କ୍ରମେ ଉଡି ଓ ବୋହି ଯିବାରୁ ପତଳା ସ୍ତର। ସାଧାରଣ ବର୍ଷା ବର୍ଷରେ ଏଥିରୁ ଧାନ ଅମଳ କମ୍ । ଅନିଶ୍ଚିତ ବା ତିରୋଟ ବର୍ଷା ବର୍ଷରେ ଫସଲ ପୂରା ମାଡ ଖାଇଯାଏ । ତେଣୁ, ଏବେ ପୁଅଠାରୁ ନିୟମିତ ଟଂକା ଆସୁଥିବାରୁ, ବାପା ଆଉ ସେ ଢିପ ଜମି ଚାଷ କରିବା ଗୋଳମାଳରେ ପଶୁନାହାଂତି । ତାକୁ ପଡିଆ ରଖୁଚଂତି । ତାଂକଠାରୁ ଶୁଣିଲି ଯେ ଅଧିକାଂଶ ବୟସ୍କ ଚାଷୀ ଢିପଜମି ପଡିଆ ରଖିବା ଆରଂଭ କଲେଣି – ବାହାରୁ ଟଂକା ଆସୁ, ନଆସୁ, କାମ କରିବାକୁ ମଣିଷ ଅଭାବ । ତେଣୁ ପଡିଆ ରଖିବା ଛଡା ଉପାୟ ନାହିଁ ।

ୟା ଶୁଣି ମୁଁ ଟିକିଏ ଆଶ୍ଚର୍ଯ ହୋଇ ସରକାରୀ ହିସାବ ଖୋଜି ବସିଲି – ୟା ସେଥିରେ ଦିଶୁଚି କି ବୋଲି । ଦେଖିଲି, ପିଲାଂକ କଥା ରାଜ୍ୟ ହିସାବରେ ପ୍ରତିଫଳିତ । 1981
ମସିହାରେ ସାରା ରାଜ୍ୟର (ଜଂଗଲ ଜମିକୁ ଛାଡି) ମୋଟ ଜମିର ପ୍ରାୟ 4.2 ଶତାଂଶ ଜମି, ମାନେ ହାରାହାରିରେ ସାଢେ ଛଅ ଲକ୍ଷ ହେକ୍ଟର ଜମି ପଡିଆ ରହିଥିଲା । 2013-14 ବେଳକୁ ଏହାର ଅନୁପାତ ସାଢେ ସାତରୁ ଆଠ ଶତାଂଶ, ବା ପ୍ରାୟ ସାଢେଆଠରୁ ନଅ ଲକ୍ଷ ହେକ୍ଟର ହୋଇଥିଲା । (ଯୋଉ ଜମି ଲାଗଲାଗ ଚାରିବର୍ଷ ପଡିଆ ରହେ, ତାକୁ ଚଳଂତି ପଡିଆ କହଂତି । ଯାହା ପାଂଚ ବର୍ଷ ବା ତଦୁର୍ଧ ପଡିଆ ରହେ ତାହା ପୁରୁଣା ପଡିଆ) । (ଗତ ଦି ବର୍ଷର, 2014-15, 2015-16 ର ହିସାବ ଷ୍ଟାଟିଷ୍ଟିକଲ୍ ବ୍ୟୁରୋରେ ତିଆରି ହୋଇ ସାରିଥିରଲ ବି, ବଡ ହାକିମ ଅନୁମତି ଦେଉ ନଥିବାରୁ ତାହା ଛପାହୋଇ ଲୋକଂକୁ ଯୋଗାଇ ଦିଆଯାଇ ପାରୁନି । କାରଣ ହାକିମ ଜାଣଂତି) ।

ଜମି ପଡିଆ ରହିବାଟା ଭଲ କଥା ନୁହେଁ । ଚାଷୀର କ୍ଷତି, ମଜୁରିଆର କ୍ଷତି, ଦେଶର କ୍ଷତି । ଯଦି ଗାଁର କେହି ଜଣେ-ଦିଜଣ ତରୁଣ ଏ ଜମିମାଲିକଂକଠାରୁ ସିଧା ପାଂଚ ବର୍ଷପାଇଁ ଲେଖାରେ ଟଂକା ହିସାବରେ ଦିଆଯିବା ସଂଜାରେ ଏ ଜମି ଧରଂତେ ତେବେ, ସେଥିଲେ ଅଳ୍ପ ପାଣିରେ ହେଉଥିବା ହରଡ, ବିରି ଭଳି ଫସଲ ଓ ଗୋରୁ, ଛେଳି ଓ ମେଂଢାଂକ ପାଇଁ ଉତ୍କୃଷ୍ଟ ଘାସ କରି ଭଲ ଉତ୍ପନ୍ନ ମିଳେଇପାରଂତେ । ଏବେ ଅଳ୍ପ ବର୍ଷାରେ ସାଢେ ତିନି ମାସରେ ହେଉଥିବା ଭଲ ହରଡ ବିହନ ଦେଶରେ ଉପଲବ୍ଧ । ବହୁତ କମ୍ ବର୍ଷାରେ ତିଷ୍ଠି ବଢୁଥିବା ଉତ୍ତମ ଘାସର ବିହନ ବି ମିଳୁଚି । ସେଥିରେ ଛେଳି-ମେଂଢା ରଖି ମାଂସର ବ୍ୟବସାୟରୁ ବହୁତ ଲାଭ ହୁଅଂତା । ଏ ପଡିଆ ଜମି ଉତ୍ତମ ଆୟର ବାଟ ଫିଟାଂତା । ଲୋକ ଅନୁଷ୍ଠାନମାନ ଏହା କରିବାପାଇଁ ଗାଁ ଗାଁରେ ତରୁଣଂକୁ ପ୍ରବୃତ୍ତ କରାଇବେକି ? ସରକାରଂକ ବାଟ ଚାହିଁଲେ କିଛି ହୋଇପାରିବ ନାହିଁ ।

ନୀଳକଂଠ ରଥ

ବିଶିଷ୍ଟ ଅର୍ଥନୀତିଜ୍ଞ, ପୁଣେ

Previous ସଜନା ଚାଷ: ଖର୍ଚ୍ଚ କମ୍, ଲାଭ ଅଧିକ
Next ସ୍ମରଣଶକ୍ତି ବଢ଼ାଇବାର କିଛି ଘରୋଇ ଉପାୟ

No Comment

Leave a reply

Your email address will not be published. Required fields are marked *