ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାର ପାଇଥିଲେ ଏହି ବାଳକ

Harish Chandra Mehra was the first recipient of the bravery award

ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରିଥିବା ଦେଶର କିଛି ବଛାବଛା ବାଳକବାଳିକାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଏ । କିନ୍ତୁ ଜାଣନ୍ତି କି, ଏହି ପୁରସ୍କାର ପ୍ରଦାନ କେବେ ଠାରୁ ଓ କାହିଁକି ଆରମ୍ଭ ହୋଇଥିଲା? କିଏ ପାଇଥିଲେ ପ୍ରଥମ ସାହସିକତା ପୁରସ୍କାର? ଆଜି ଶିଶୁ ଦିବସରେ ଆସନ୍ତୁ ଜାଣିବା ସେହି ସାହସୀ ବାଳକଙ୍କ କଥା, ଯିଏ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୀବନ ରକ୍ଷା କରି ପ୍ରଥମ ସାହସିକତା ପୁରସ୍କାରର ଅଧିକାରୀ ହୋଇଥିଲେ ।

୧୯୫୭ ମସିହା ଅକ୍ଟୋବର ୨ ତାରିଖ । ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନରେ ରାମଲୀଳା ଦେଖିବାକୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଉପସ୍ଥିତ ଥା’ନ୍ତି ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁ । ଜମା ହୋଇଥାନ୍ତି ହଜାରହଜାର ସାଧାରଣ ଜନତା । ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ଆରମ୍ଭ ହେଲା ଆତସବାଜି କାର‌୍ୟ୍ୟକ୍ରମ । କିନ୍ତୁ ହଠାତ୍ ଏକ ବାଣ ନେହରୁ ବସିଥିବା ଭିଆଇପି ମଞ୍ଚ ସାମିଆନାରେ ପଡ଼ିବାରୁ ତାହା ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ଚାରିଆଡ଼େ ଆତଙ୍କ ଖେଳିଗଲା । ଯିଏ ଯେଉଁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । ସେହି ସମୟରେ ସ୍କାଉଟରେ ଅଂଶଗ୍ରହଣ କରିଥିବା ଜଣେ ୧୪ ବର୍ଷୀୟ ବାଳକ ଅତି ସାହସର ସହ ସେହି ସାମିଆନା ଭିତରେ ପଶି ଏକ ୨୦ ଫୁଟ୍ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ନିଆଁ ଲାଗିଥିବା କପଡ଼ାକୁ କାଟିବାରେ ଲାଗିଲା । ଫଳରେ ମାତ୍ର ୫ ମିନିଟ ଭିତରେ ଅତିଥି ମାନେ ସୁରକ୍ଷିତ ଭାବେ ତା ଭିତରୁ ବାହାରି ଆସିଲେ ।

ଏଭଳି ଅଦମ୍ୟ ସାହସ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିବା ସେହି ୧୪ ବର୍ଷୀୟ ବାଳକଙ୍କ ନାଁ ହରିଶ ଚନ୍ଦ୍ର ମେହେରା । ସେ ଏବେ ଦିଲ୍ଲୀର ଚାନ୍ଦିନୀ ଚୌକରେ ରହୁଛନ୍ତି । ସେତେବେଳେ ଏହି ବୀରତ୍ବପୂର୍ଣ୍ଣ କାର‌୍ୟ୍ୟ ସମୟରେ ତାଙ୍କ ହାତ ନିଆଁରେ ପୋଡ଼ିଯାଇଥିଲା । ସେ କିଛି ଦିନ ପାଇଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ସେ ପୁଣି ଥରେ ସ୍କୁଲ ଯିବା ଆରମ୍ଭ କଲେ । ହଠାତ୍ ଦିନେ ସ୍କୁଲର ଅଧ୍ୟକ୍ଷ ଦୌଡ଼ି ଦୌଡ଼ି ତାଙ୍କ ଶ୍ରେଣୀଗୃହକୁ ଆସିଲେ ଓ ସମସ୍ତଙ୍କ ଆଗରେ ଘୋଷଣା କଲେ ଯେ, ହରିଶ ପ୍ରଧାନମନ୍ତ୍ରୀଙ୍କ ଠାରୁ ସ୍ବତନ୍ତ୍ର ଜାତୀୟ ଗ୍ୟାଲେଣ୍ଟ୍ରି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ୧୯୫୮ ଫେବୃୟାରୀ ୪ ତାରିଖରେ ତିନ ମୂର୍ତ୍ତି ଭବନରେ ସେ ଏହି ପୁରସ୍କାର ନେହରୁଙ୍କ ହାତରୁ ଗ୍ରହଣ କଲେ । ସେହି ସମୟରେ ହରିଶଙ୍କ ବୀରତ୍ବର କାହାଣୀ ଅନେକ ଗଣମାଧ୍ୟମରେ ସ୍ଥାନ ପାଇଥିଲା ଓ ପ୍ରଶଂସିତ ହୋଇଥିଲା । ଏହା ଥିଲା ଭାରତର ପ୍ରଥମ ସାହସିକତା ପୁରସ୍କାର ।

Previous ଶିଳ୍ପ ସମୃଦ୍ଧ ଓଡ଼ିଶାର ସଂକଳ୍ପ ଓ ସ୍ୱପ୍ନ
Next ସହରୀଙ୍କ ଖର୍ଚ୍ଚ କମାଉଛି କିଚେନ ଗାର୍ଡେନ

No Comment

Leave a reply

Your email address will not be published. Required fields are marked *