ଆମ ଜାତୀୟ ପତାକାର ଜନ୍ମଜାତକ

Evolution of Tricolour

ଜାତୀୟ ପତାକା ପ୍ରତ୍ୟେକ ସ୍ୱାଧୀନ ଦେଶର ଏକ ପ୍ରତୀକ । ‘ତ୍ରିରଙ୍ଗା’କୁ ଆମ ଦେଶର ଜାତୀୟ ପତାକା ଭାବେ ସ୍ୱାଧୀନତାର ମାତ୍ର କିିଛିଦିନ ପୂର୍ବରୁ 1947 ମସିହା ଜୁଲାଇ 22 ତାରିଖରେ ସମ୍ବିଧାନ ପରିଷଦ ସଭାରେ ଗୃହିତ ହୋଇଥିଲା । ତେବେ ଏହା ଆମ ଦେଶର ପ୍ରଥମ ଜାତୀୟ ପତାକା ନୁହେଁ  । ଅନୌପଚାରିକ ଭାବେ ହେଲ ମଧ୍ୟ ଏହାପୂର୍ବରୁ ଅନେକ ପ୍ରକାରର ଜାତୀୟ ପତାକା ତିଆରି କରାଯାଇଥିଲା ଏବଂ ଏହାକୁ ସଭାସମିତିରେ ପ୍ରଦର୍ଶନ କରାଯାଉଥିଲା ମଧ୍ୟ । ସ୍ୱାଧୀନତା ସଂଗ୍ରାମ ସମୟରୁ ଏଗୁଡ଼ିକର ସୃଷ୍ଟି ହୋଇଥିଲା ଏବଂ ସମୟ ବଦଳିବା ସହ ଏଥିରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ ଆସିଥିଲା । ତ୍ରିରଙ୍ଗାର ଡିଜାଇନରେ ପରିବର୍ତ୍ତନ ଭାରତର ରାଜନୈତିକ ଉତ୍ଥାନପତନର ମଧ୍ୟ ସୂଚନା ଦିଏ ।

ପ୍ରଥମ ଜାତୀୟ ପତାକା: 1906 ମସିହା ଅଗଷ୍ଟ 7ରେ କୋଲକାତାର ପାର୍ସି ବାଗାନ୍ ସ୍କୋୟାର୍ ବା ଗ୍ରୀନ ପାର୍କରେ ଏହି ପତାକା ଉତ୍ତୋଳନ ହୋଇଥିଲା । ଏଥିରେ ଭୂସମାନ୍ତରାଳ ଭାବେ 3ଟି ରଙ୍ଗ ନାଲି, ହଳଦିଆ ଓ ସବୁଜ ରହିବା ସହିତ ଉପରେ 8ଟି ପଦ୍ମ ଏବଂ ତଳେ ବାମପଟେ ଗୋଟିଏ ଅର୍ଦ୍ଧଚନ୍ଦ୍ର ଓ ଡାହାଣ ପଟେ ଗୋଟିଏ ସୂର୍ଯ୍ୟର ଚିହ୍ନ ରହିଥିଲା । ମଝି ହଳଦିଆ ପଟିରେ ଲେଖାଯାଇଥିଲା ବନ୍ଦେ ମାତରମ୍ ।

ବର୍ଲିନ୍ କମିଟି ପତାକା: ଭାରତର ଦ୍ୱିତୀୟ ପତାକା ପ୍ୟାରିସରେ 1907 ମସିହାରେ ଉତ୍ତୋଳନ ହୋଇଥିଲା । ପତାକା ଉତ୍ତୋଳନ କରିଥିଲେ ଭିକାଇଜି କେମା । ପରେ ଏହା ବର୍ଲିନର ସାମାଜିକ ସମ୍ମିଳନୀରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ମଧ୍ୟ ଭୂସମାନ୍ତରାଳ ଭାବେ କମଳା, ହଳଦିଆ ଓ ସବୁଜ ରଙ୍ଗ ରହିଥିଲା । ତେବେ ଉପର କମଳା ରଙ୍ଗ ଉପରେ ଗୋଟିଏ ପଦ୍ମ ଓ 7ଟି ତାରା (ସପ୍ତର୍ଷିଙ୍କ ପ୍ରତୀକ ଭାବେ) ଚିହ୍ନ ଥିଲା । ମଝିରେ ବନ୍ଦେ ମାତରମ୍ ଲେଖାଯାଇଥିଲା ଏବଂ ତଳେ ବାମ ପଟେ ସୂର୍ଯ୍ୟ ଏବଂ ଡାହାଣ ପଟେ ଅର୍ଦ୍ଧଚନ୍ଦ୍ର ଉପରେ ଗୋଟିଏ ତାରା ଥିବା ଚିହ୍ନ ଥିଲା ।

ହୋମ୍ ରୁଲ୍ ମୁଭମେଣ୍ଟ୍: 1917ରେ ଆନି ବେଶାନ୍ତ ଏବଂ ଲୋକମାନ୍ୟ ବାଳଗଙ୍ଗାଧର ତିଳକଙ୍କ ହୋମ ରୁଲ୍ ଆନ୍ଦୋଳନ ବେଳେ ଏହି ପତାକାର ବ୍ୟବହାର ହୋଇଥିଲା । ଏଥିରେ 5ଟି ନାଲି ଓ 4ଟି ସବୁଜ ରଙ୍ଗର ଭୂସମାନ୍ତରାଳ ପଟି ଗୋଟିଏ ପରେ ଅନ୍ୟଟି ଥିବା ବେଳେ ମଝିରେ ସପ୍ତର୍ଷିର ପ୍ରତୀକ ଭାବେ 7ଟି ତାରା, ଉପରେ ବାମ କୋଣରେ ୟୁନିୟନ ଜ୍ୟାକ୍ ଏବଂ ଉପର ଡାହଣପଟ କୋଣରେ ଗୋଟିଏ ଅର୍ଦ୍ଧଚନ୍ଦ୍ର ଓ ତାରାର ଚିହ୍ନ ଥିଲା ।

ଅରଟ ଥିବା ପ୍ରଥମ ଅନୌପଚାରିକ ଭାବେ ଗୃହିତ ପତାକା: 1921ରେ ବେଜୱାଡ଼ା (ବର୍ତ୍ତମାନର ବିଜୟୱାଡ଼ା)ରେ ସର୍ବଭାରତୀୟ କଂଗ୍ରେସ କମିଟି ସମ୍ମିଳନୀ ସମୟରେ ଏହି ପତାକା ପ୍ରଦର୍ଶିତ ହୋଇଥିଲା । ଏହାକୁ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ତିଆରି କରି ମହାତ୍ମା ଗାନ୍ଧିଙ୍କୁ ଦେଇଥିଲେ । ସେଥିରେ ଦୁଇ ମୁଖ୍ୟ ଧର୍ମ ହିନ୍ଦୁ ଓ ମୁସଲମାନର ପ୍ରତୀକ ଭାବେ ନାଲି ଓ ସବୁଜ ରଙ୍ଗର ଭୂସମାନ୍ତରାଳ ପଟି ଥିଲା । ପରେ ମହାତ୍ମା ଗାନ୍ଧି ସେଥିରେ ଦେଶର ଅନ୍ୟ ଧର୍ମର ଲୋକଙ୍କ ପ୍ରତୀକ ଭାବେ ଧଳା ରଙ୍ଗ ଯୋଡ଼ିବାକୁ ଏବଂ ଦେଶର ବିକାଶର ପ୍ରତୀକ ଅରଟ ଚିତ୍ରକୁ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ ।

ପ୍ରଥମ ତ୍ରିରଙ୍ଗା: 1931 ମସିହାରେ ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରିବାକୁ ଏକ ସଂକଳ୍ପ ପାରିତ ହେଲା । ଏଥିରେ କେଶରୀ, ଧଳା ଓ ସବୁଜ ରଙ୍ଗ ସହ ମଝିରେ ଅରଟ ଚିହ୍ନ ରହିଲା ।

 

ତ୍ରିରଙ୍ଗା : ଜୁଲାଇ 22, 1947 ମସିହାରେ ସମ୍ବିଧାନ ପରିଷଦ ଏହାକୁ ଆମ ଜାତୀୟ ପତାକା ଭାବେ ଗ୍ରହଣ କଲା । ପୂର୍ବ ପତାକା ସହ ଏହାର ରଙ୍ଗ ସମାନ ରହିଲେ ମଧ୍ୟ ଅରଟ ପରିବର୍ତ୍ତେ ମଝିରେ ନୀଳ ରଙ୍ଗର ଅଶୋକ ଚକ୍ରକୁ ସ୍ଥାନିତ କରାଗଲା । ଏହାକୁ ପିଙ୍ଗାଲି ଭେଙ୍କୟା ତିଆରି କରିଥିଲେ ।

 

Previous ଖାଆନ୍ତୁ କୀଟନାଶକମୁକ୍ତ ପରିବା, ଆପଣାନ୍ତୁ ଏହି ସରଳ ଉପାୟ
Next 'ସୀମା ଭବାନୀ'ରେ 6 ଓଡ଼ିଆ ମହିଳାଙ୍କ ଚମତ୍କାର ବାଇକ୍ ଷ୍ଟଣ୍ଟ୍

No Comment

Leave a reply

Your email address will not be published. Required fields are marked *