ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

darshan of deities at puri srimandir to be restricted forf our hours

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ। ଅପରାହ୍ନ ୪ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଏହି ନୀତିରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ଚାରି ବିଗ୍ରହଙ୍କୁ ବନକ ଲାଗି କରାଯାଏ। ଧଳା, କଳା, ନାଲି ଓ ହଳଦିଆ ଭଳି ୪ଟି ପ୍ରାକୃତିକ ରଙ୍ଗରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର କରିବେ। ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ। ଦତ୍ତମାହାପାତ୍ର ସେବକମାନେ ରତ୍ନସିଂହାସନ ଆରୋହଣ ପୂର୍ବକୁ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି। ବନକଲାଗି ନୀତି ସମ୍ପନ୍ନ ହେବା ପରେ ମହାସ୍ନାନ କରାଯାଇ ପୁନଃ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥାଏ ଓ ଅନ୍ୟ ନୀତି ବଢିଥାଏ।

Previous କାଲି ମିଳିବ ‘କାଳିଆ’ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା
Next ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

No Comment

Leave a reply

Your email address will not be published. Required fields are marked *