ଆଜି ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ଼ ‘ପେଥାଇ’। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ‘ପେଥାଇ’ ସ୍ଥଳଭାଗ ଛୁଇଁଛି । ୮୦ କିମି ବେଗରେ ପବନ ଓ ବର୍ଷା ସହିତ‘ପେଥାଇ’ ଅନ୍ଧ୍ରରେ ପ୍ରବେଶ କରିବା ସହ ଗଛ ବିଦ୍ୟୁତ ଖୁଣ୍ଟଭାଙ୍ଗି ଟାଣ୍ଡବ ରଚିଛି । ତେବେ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ରରେ ଏହା ଅନେକ ପରିମାଣରେ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି। ବାତ୍ୟା ତିତଲି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଜପତି ଜିଲ୍ଲାରେ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ପେଥାଇକୁ ମୁକାବିଲା କରିବା ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ତତ୍ପର ହୋଇଛନ୍ତି। ୧୨ଟି NDRF ଟିମ୍ ମହଜୁଦ ରହିବା ସହ ୬ଟି ଜିଲ୍ଲାର ୩୫୦ ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଦକ୍ଷିଣ କେନ୍ଦ୍ରୀୟ ରେଳ ସଂସ୍ଥା ପକ୍ଷରୁ ୫୦ଟି ଟ୍ରେନ୍ ବାତିଲ କରାଯାଇଛି। ସେହିଭଳି ଓଡ଼ିଶାର ପେଥାଇ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ଟି ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଦିଆଯାଇଥିବାବେଳେ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ଭଦ୍ରକ,ବଲାଙ୍ଗିର,ସମ୍ବଲପୁର ସମେତ ରାଜ୍ୟର କେତେକ ସ୍ଥାନରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ପାଣିପାଗ ବିଭାଗର ସତର୍କ ସୂଚନା ଆଧାରରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ୧୧ ହଜାର ୬୦୦ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ମୋଟ ୧୭୪ଟି ଆଶ୍ରୟ ସ୍ଥଳରେ ଏମାନଙ୍କୁ ରଖାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଏହା ପୂର୍ବରୁ ଆସିଥିବା ସାମୁଦ୍ରିକ ଝଡ଼ ‘ତିତ୍ଲି’ ପ୍ରଭାବରେ ଗଜପତି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। କିମି
No Comment