କରୋନାକୁ ହରେଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କସରତ୍

Coronavirus in India: Odisha CM announces Rs 2,200 crore package for poor people

ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଥିବା କରୋନା ରୋଗକୁ ସବୁ ଦେଶ ଆତଙ୍କିତ ଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଦେଶରେ ୭୫୦ ରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଜଣଙ୍କ ଜୀବନ ଗଲାଣି। ସେହି ଭଳି ସାରା ବିଶ୍ୱରେ ୨୩ ହଜାର ଲୋକ ଏହି ରୋଗରେ ମଲେଣି। ଯେପରି ଆଗାମୀ ଦିନରେ ରୋଗ ଅଧିକ କ୍ଷତି ନକରେ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷପ ମାନ ନେଉଛନ୍ତି। ସାରା ଦେଶ ଲକ୍ ଡାଉନ୍ ହୋଇଛି। ତେବେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା କେତେକ ପଦକ୍ଷେପ ଓ କରୋନା ଅପଡେଟ ବିଷୟରେ ଆସନ୍ତୁ ଜାଣିବା….

ଡ୍ରିମ୍ସ କଲେଜ ପରିସରକୁ ସ୍ଥାନାନ୍ତର କରାଯିବା ଏସସିବି କରୋନା ୱାର୍ଡ:
କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଥିବା କରୋନା ୱାର୍ଡକୁ ଟାଙ୍ଗୀର ଡ୍ରିମ୍ସ କଲେଜର ପରିସରକୁ ସ୍ଥାନାନ୍ତର କରାଯିବା ପାଇଁ ଏସସିବି ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଡ୍ରିମ୍ସ କଲେଜ ପରିସରରେ ଏକ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲାଯିବା ନେଇ ଆଜି ସୂଚନା ଦେଇଛନ୍ତି ଏସସିବି ଓ ଜିଲ୍ଲା ପ୍ରଶାସନ । ଏହି କରୋନା ହସ୍ପିଟାଲରେ ୫୦୦ ବେଡ ଓ ୫୦ଟି ଆଇସିୟୁ ରହିବ ବୋଲି ଜଣାପଡିଛି।
ଏଥି ପାଇଁ ବାଳକ ଛାତ୍ରାବାସର ୩୦୪ଟି କୋଠରି ଓ ବାଳିକା ଛାତ୍ରାବାସର ୧୩୦ଟି କୋଠରି କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶାସନ ହାତକୁ ନେଇଛି। ପ୍ରଶାସନିକ ଭବନରେ ଥିବା ଗୋଟିକିଆ କୋଠରିକୁ ଆଇସିୟୁ କରାଯିବ । ଡ୍ରିମ୍ସ ପରିସରରେ ଓପିଡି କାଉଣ୍ଟର, ପରୀକ୍ଷାଗାର, ଡାକ୍ତର ଏବଂ ମେଡିକାଲ ଷ୍ଟାଫଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି। ଖୁବ୍ ଶୀଘ୍ର କାମ ସଂପୂର୍ଣ୍ଣ କରାଯିବ ।

କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୨୦୦ କୋଟିର ପ୍ୟାକେଜ ଘୋଷଣା:
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨୦୦ କୋଟି ଟଙ୍କାର ପ୍ୟା‌କେଜ ଘୋଷଣା କରିଛନ୍ତି। କରୋନା କଟକଣା ଯୋଗୁ ଗରିବମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ କଲ୍ୟାଣ ଲାଗି ଏହି ୨୨୦୦ କୋଟି ଟଙ୍କାର ପ୍ୟା‌କେଜ ଘୋଷଣା କରାଯାଇଛି। ଏଥିରେ ଖାଦ୍ୟ ସୁରକ୍ଷା ଯୋଜନା‌ ଅଧିନରେ ଥିବା ୯୪ଲକ୍ଷ ଲୋକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏଥିଲାଗି ରାଜ୍ୟ ସରକାର ୯୪୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ବିଭିନ୍ନ ଭତ୍ତା ପାଉଥିବା ୪୮ ଲକ୍ଷ ଲୋକଙ୍କୁ ୪ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବ। ଏ ବାବଦରେ ୯୩୨କୋଟି ଟଙ୍କା ବ୍ୟୟ କରିବେ ଓଡ଼ିଶା ସରକାର। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ଏ ନେଇ ରାଜ୍ୟ ସରକାର ୩୩୦ କୋଟି ଟଙ୍କା ଖର୍ଚ୍ଚ କରିବେ।
କରୋନା ପାଇଁ ତିନି ମାସର ପିଡିଏସ୍‌ ସାମଗ୍ରୀ ଆଗୁଆ ଦିଆଯିବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା ମଧ୍ୟ କରିଛନ୍ତି । ଏପ୍ରିଲ୍‌, ମେ’ ଓ ଜୁନ୍ ମାସର ଚାଉଳ, ଗହମ ଓ କିରାସିନି ଏପ୍ରିଲ୍‌ ପହିଲାରୁ ମେ’ ୧୫ ତାରିଖ ଭିତରେ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ତାଲିକାଭୁକ୍ତ ୩.୨୬ କୋଟି ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ୪.୫ ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ। କରୋନାର ସତର୍କତାମୂଳକ ପଦ‌କ୍ଷେପ ଭାବେ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଗହଳି ନ ଜମାଇ ହିତାଧିକାରୀମାନେ ଯେପରି ରାସନ୍ ସାମଗ୍ରୀ ଉଠାଇ ପାରିବେ, ସେଥି ପାଇଁ ୪୫ ଦିନର ସମୟ ଦିଅ‌ାଯାଇଛି। ଏହି ବଣ୍ଟନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଇ-ପସ୍ ମେସିନ୍ ଜରିଆରେ ‌ରାସନ୍ ସାମଗ୍ରୀ ବଣ୍ଟନ ସମୟରେ ହିତାଧିକାରୀଙ୍କ ଟିପ ଚିହ୍ନ ଅଥବା ଚକ୍ଷୁ ଡୋଳା ତନଖିର ଆବଶ୍ୟକତାକୁ ବାଦ୍ ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।ସେହିପରି ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଏକା ସଙ୍ଗେ ୪ ମାସର ଭତ୍ତା ମିଳିବ। ‌କରୋନା ମୁକାବିଲା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍‌ରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସର ଭତ୍ତା ଅଗ୍ରୀମ ଆକାରରେ ଏକାଥରେ ଦିଆଯିବ। ଏ ସମ୍ପର୍କରେ ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

କରୋନାଭାଇରସ୍ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପ୍ରସ୍ତୁତ ପାଇଁ ୩୦% ଆର୍ମି ଫିଲଡ୍ ହସପିଟାଲ୍ ସଜାଗ ହୋଇ ରହିଛ: ସେନା ମୁଖ୍ୟ

୬ଘଣ୍ଟିଆ ନୋଟିସ୍ ପାଇବା କ୍ଷଣି କେବଳ କୋଭିଡ୍-୧୯ ରୋଗୀମାନଙ୍କ ନିମନ୍ତେ ୪୫ ଶଯ୍ୟା ଏକାନ୍ତବାସ କୋଠରି ଏବଂ ୧୦ ଶଯ୍ୟା ଆଇସିୟୁ କୋଠରି ପ୍ରସ୍ତୁତି କରିବା ପାଇଁ ଫିଲଡ୍ ହସପିଟାଲଗୁଡ଼ିକୁ କୁହାଯାଇଥିବା କଥା ଆଜି ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ କହିଛନ୍ତି।
ଦେଶର କୋଭିଡ୍-୧୯ ଅଧ୍ୟୁଷିତ ଅଞ୍ଚଳରେ କରୋନାଭାଇରସ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ପ୍ରସ୍ତୁତ କରିବାକୁ ପ୍ରାୟ ୩୦% ଆର୍ମି ଫିଲଡ୍ ହସପିଟାଲ୍ ସଜାଗ ଅଛି ବୋଲି ସେ କହିଛନ୍ତି। କରୋନାଭାଇରସ୍ ସଙ୍କଟର ମୁକାବିଲା କରିବାକୁ ଭାରତୀୟ ସେନାବାହିନୀ ଗ୍ରହଣ କରିଥିବା କେତେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ।
ଗଣମାଧ୍ୟମକୁ ଏକ ଇ-ମେଲ୍ ଉତ୍ତରରେ ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ଏସବୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତରେ କୋଭିଡ୍-୧୯ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ସାଙ୍ଗଠନିକ ଢାଞ୍ଚା ଏବଂ ତାଲିମ ବଳରେ କେତେଗୁଡ଼ିଏ ଜରୁରୀ ପରିସ୍ଥିତି ସହ ମୁକାବିଲା କରିବାକୁ ଭାରତୀୟ ସେନାବାହିନୀର ସହଜାତ ସାମର୍ଥ୍ୟ ରହିଛି ।
୧୫୭ ଲାବୋରେଟୋରୀରେ କରୋନା ଟେଷ୍ଟ୍:
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ଶୁକ୍ରବାର ଘୋଷଣା କରିଛିଯେ ମାରାତ୍ମକ ନୋବେଲ କରୋନାଭାଇରସର ପରୀକ୍ଷା କରିବା ପାଇଁ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦିଆଯାଇଛି। ଏଥିସହ ଭାରତରେ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ପାଇଁ ୩୫ଟି ଘରୋଇ ଲ୍ୟାବ ରହିଛି ବୋଲି ଆଇସିଏମ୍ଆର୍ ନିଜ ୱେବସାଇଟରେ ପ୍ରକାଶ କରିଛି। ୩୫ଟି ଘରୋଇ ଲ୍ୟାବ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କଶ୍ମୀର ଏବଂ ଝାଡଖଣ୍ଡରେ ରହିଥିବା ଜଣାପଡିଛି । ବର୍ତ୍ତମାନ ଉଭୟ ବେସରକାରୀ ଏବଂ ସରକାରୀ ଲାବୋରେଟୋରୀ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଏବେ ଲାବୋରେଟୋରୀ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଉଛି । ଯାହାଦ୍ୱାରା କମ ସମୟ ମଧ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରିହେବ।
୩ ମାସ ପାଇଁ ଦେବାକୁ ପଡ଼ିବ ନାହିଁ ବ୍ୟାଙ୍କ୍ ଇଏମଆଇ:ରିଜର୍ଭ ବ୍ୟାଙ୍କ

କରୋନା ଭାଇରସ ମହାମାରୀ ଯୋଗୁଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦେଶର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ଜରୁରୀ ପଦକ୍ଷେପ ନିଆଯାଇ ବ୍ୟାଙ୍କ ଋଣ କିସ୍ତି ପରିଶୋଧ ସମୟକୁ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି । ଅର୍ଥାତ ଋଣଦାତାମାନଙ୍କ ବ୍ୟାଙ୍କ ଖାତାରୁ ଇଏମଆଇ ୩ ମାସ ପାଇଁ କଟିବ ନାହିଁ ଓ ୩ ମାସ ପରେ ସେମାନେ ଋଣ କିସ୍ତି ପ୍ରଦାନ କରିପାରିବେ ଓ ଏହା ଦ୍ୱାରା ତାଙ୍କର କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ପ୍ରଭାବିତ ହେବ ନାହିଁ ବୋଲି ରିଜର୍ଭବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ମାର୍ଚ୍ଚ ୩୧ରୁ ୩ ମାସ ପାଇଁ ଏହା ଲାଗୁ ହେବ । ଏହି ୩ ମାସିଆ କୋହଳ ସମୟ ବା ମୋରାଟୋରିଅମ ପାଇଁ ଆରବିଆଇ ପକ୍ଷରୁ ଦେଶର ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ୍ ଆଥିର୍କ ସଂସ୍ଥା, ସମବାୟ ବ୍ୟାଙ୍କ ଆଦିମାନଙ୍କୁ ଅନୁମତି ଦିଆଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଗୃହ ଋଣ, ଯାନବାହାନ ଋଣ, ବ୍ୟକ୍ତିଗତ ଋଣ ଆଦି କରିଥିବା ଲୋକ ବିଶେଷକରି ଆତ୍ମନିର୍ଭରଶୀଳ କ୍ଷୁଦ୍ର ବ୍ୟବସାୟୀମାନେ ଉପକୃତ ହେବେ ବୋଲି କୁହା ଯାଉଛି ।

Previous ବଢାନ୍ତୁ ରୋଗପ୍ରତିରୋଧକ ଶକ୍ତି
Next ହାଇଡ୍ରୋପୋନିକ୍ ପଦ୍ଧତିରେ ଘାସ ଚାଷ

No Comment

Leave a reply

Your email address will not be published. Required fields are marked *