ଭାରତର ସର୍ବକନିଷ୍ଠ ସିଇଓ ଭ୍ରାତା

Youngest CEO in India

ଆମର ନିତିଦିନିଆ ବ୍ୟସ୍ତବହୁଳ ଜୀବନକୁ ସହଜ ଓ ସରଳ କରିବାରେ ସ୍ମାର୍ଟଫୋନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ମାର୍ଟଫୋନରେ ନୂଆ ନୂଆ ମୋବାଇଲ୍ ଆପ୍ ବ୍ୟବହାର କରି ସବୁ କାମ ସୁବିଧାରେ କରାଯାଇ ପାରୁଛି । ଆଜିର ଏହି 4G ଯୁଗରେ ସ୍ମାର୍ଟଫୋନ ବ୍ୟବହାରକରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ମୋବାଇଲ ଆପ୍ ପ୍ରସ୍ତୁତ କରି ଭଲ ରୋଜଗାର ପାଇଲେଣି । ସେହିଭଳି କିଛି ମୋବାଇଲ୍ ଆପ୍ ପ୍ରସ୍ତୁତ କରି ଅଳ୍ପ ବୟସରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି ନିଜ କମ୍ପାନୀରେ ସିଇଓ ଭାବେ କାର୍ଯ୍ୟରତ ଦୁଇ ଭ୍ରାତା ।
ଚେନ୍ନାଇରେ ନିଜ ପରିବାର ସହ ରୁହନ୍ତି ଦୁଇ ଭାଇ ଶ୍ରବଣ କୁମାରନ୍ (୧୪ ବର୍ଷ) ଓ ସଞ୍ଜୟ କୁମାରନ୍ (୧୨ ବର୍ଷ) । ଏହି କୁମାରନ୍ ଭ୍ରାତା ନିଜ କମ୍ପାନୀ ‘Go Dimensions’ ରେ କୋ-ଫାଉଣ୍ଡର ତଥା ସିଇଓ ଭାବେ କାର୍ଯ୍ୟରତ । ୨୦୧୨ ମସିହାରେ ଏହି ଦୁଇ ଭାଇ ନିଜର ପ୍ରଥମ ମୋବାଇଲ ଆପ୍ ପ୍ରସ୍ତୁତ କରିଥିଲେ । ‘କ୍ୟାଚ୍ ମି କପ୍’ ଥିଲା ଦୁଇ ଭ୍ରାତାଙ୍କର ପ୍ରଥମ ମୋବାଇଲ ଆପ୍ । ଏହାପରେ ଧିରେଧିରେ ସେମାନେ ଗୋଟିକ ପରେ ଗୋଟିଏ ଲୋକଙ୍କ ମନପସନ୍ଦର ଆପ୍ ପ୍ରସ୍ତୁତ କରି ସଫ୍ଟୱେର ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଚାଲିଛନ୍ତି । ଦୁଇ ଭ୍ରାତାଙ୍କ ଦ୍ୱାରା ପ୍ରସ୍ତୁତ ‘ଆଲ୍ଫାବେଟ୍ ବୋର୍ଡ’ ଆପ୍ ଷ୍ଟୋରରେ ୫ ଷ୍ଟାର ରେଟିଙ୍ଗ୍ ପାଇଛି । ଗତ ୫ ବର୍ଷ ମଧ୍ୟରେ ସେମାନେ ତିଆରି କରିଥିବା ୧୧ଟି ଆପ୍ ୭୦ ହଜାରରୁ ଅଧିକଥର ଡାଉନଲୋଡ୍ ହୋଇସାରିଛି ।


ଏହି ଦୁଇ ଭାଇ ବିଲ୍ ଗେଟ୍ସ ଏବଂ ଷ୍ଟିଭ୍ ଜବ୍ସଙ୍କୁ ନିଜର ଆଦର୍ଶ ମାନନ୍ତି । ଶ୍ରବଣ ଓ ସଞ୍ଜୟ କୁହନ୍ତି ‘ଜଣେ ଭଲ ବ୍ୟବସାୟୀ ବା ବିଜନେସମ୍ୟାନ୍ ହେବା ପାଇଁ ଉନ୍ନତ ଚିନ୍ତା, ଦୃଢ଼ ଆତ୍ମବିଶ୍ୱାସ, ସଠିକ୍ ଯୋଜନା ଏବଂ ଆର୍ଥିକ ବଳ ଆବଶ୍ୟକ’ । ନିଜେ ପ୍ରସ୍ତୁତ କରିଥିବା ମୋବାଇଲ ଆପ୍ ଯେଭଳି ଦେଶର ୫୦% ମୋବାଇଲଧାରୀଙ୍କ ପକେଟରେ ପହଞ୍ଚିବା ଓ ସେଥିରୁ ମିଳିବା ଅର୍ଥରୁ ୧୫% ଅର୍ଥ ଗରିବ ପିଲାଙ୍କ ଶିକ୍ଷାରେ ବିନିଯୋଗ କରିବା ଏହି ଦୁଇ କନିଷ୍ଠ ସିଇଓଙ୍କ ଲକ୍ଷ୍ୟ । ଏତେ ଛୋଟ ବୟସରୁ ଉନ୍ନତ ଚିନ୍ତାଧାରା ରଖିଥିବା ଦୁଇ ଭାଇଙ୍କର ପ୍ରୟାସ ସଫଳ ହେଉ ସଂକଳ୍ପ ପରିବାରର ଏହା ହିଁ କାମନା ।

ଦିପ୍ତିରଞ୍ଜନ ବେହେରା
Previous ଅଦ୍ୱିତୀୟ ଅଭିଷେକ
Next ଗଣିତ - ସରଳ ସହସମୀକରଣ

No Comment

Leave a reply

Your email address will not be published. Required fields are marked *