ଉଦାର ମଣିଷ ଡି.ପ୍ରକାଶ ରାଓ

Selfless man D.Prakash Rao

ଭାଇଚାରା ସମ୍ପର୍କ ଡୋରିରେ ବାନ୍ଧି ହୋଇ ବର୍ଷ ବର୍ଷ ଧରି ଏକାଠି ଚଳି ଆସୁଛନ୍ତି ବିଭିନ୍ନ ଅଞ୍ଚଳରୁ ଆସି ସ୍ଥାୟୀଭାବେ ଅବସ୍ଥାନ କରୁଥିବା କଟକ ବାସିନ୍ଦା । ସ୍ୱେଚ୍ଛାକୃତ ଭାବେ ଅନ୍ୟର ସେବା କରି ଭଲ ପାଇବାର ମଞ୍ଜି ବୁଣିଥାନ୍ତି କଟକର ସାହି ବସ୍ତୀ ଲୋକେ । ଚା’ ଦୋକାନର ଜୀବିକା ଭିତରେ ଗରିବ ଓ ଅସହାୟଙ୍କୁ ସହଯୋଗ କରିବାର ଉନ୍ୱେଷ ଘଟେ ଭାଇଚାରା ସଂସ୍କୃତିରୁ । ରକ୍ତଦାନ, ରୋଗୀସେବା ଓ ବସ୍ତି ପିଲାଙ୍କୁ ପାଠ ପଢ଼ାଇବାର ମହତ କାମ ପାଇଁ ଡି.ପ୍ରକାଶ ରାଓ ଆଜି ଜଣେ ଆଦର୍ଶ ମଣିଷର ପରିଚୟ ସୃଷ୍ଟି କରିଛନ୍ତି ।
କଟକ ବକ୍ସିବଜାର ନିକଟସ୍ଥ ତେଲୁଗୁ ବସ୍ତିରେ ଦୁଇ ଝିଅ ଓ ପତ୍ନୀଙ୍କ ସହ ରହନ୍ତି ଡି.ପ୍ରକାଶ ରାଓ । ବକ୍ସିବଜାର ଗୋପବନ୍ଧୁ ଭବନ ନିକଟସ୍ଥ ରାଧାନାଥ ବଜାରରେ ରହିଛି ପ୍ରକାଶଙ୍କର ଛୋଟ ଚା’ ଦୋକାନ । ସକାଳୁ ସକାଳୁ ତାଙ୍କ ଦୋକନରୁ କପେ ଚାହା ପିଇବା ପାଇଁ ଲୋକଙ୍କ ଭିଡ଼ ଜମେ । ପିଲାଟି ଦିନୁ ବାପାଙ୍କୁ ଚାହା ଦୋକାନରେ ସହଯୋଗ କରିଆସୁଥିବା ପ୍ରକାଶ ତାହାକୁ ନିଜର ବେଉଷା କରିନେଇଛନ୍ତି । ପରିବାର ଚଳାଇବା ଓ ବାପାଙ୍କୁ ଚା’ ଦୋକନରେ ସହଯୋଗ କରିବା ପାଇଁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା ତାଙ୍କୁ ।
୧୯୭୬ ମସିହାରେ ପ୍ରକାଶଙ୍କ ମେରୁଦଣ୍ଡରେ ଟ୍ୟୁମର ହେବା ଫଳରେ ତାଙ୍କର ଅଧା ଶରୀର ଅକାମି ହୋଇଗଲା । ଚିକିତ୍ସା ସମୟରେ ଜଣେ ସହୃଦୟ ବ୍ୟକ୍ତି ତାଙ୍କ ଚିକିତ୍ସା ପାଇଁ ରକ୍ତଦାନ କରିବାରୁ ସେ ସୁସ୍ଥ ହେଲେ । ଏହି ଘଟଣା ପ୍ରକାଶଙ୍କୁ ବେଶ ଅନୁପ୍ରାଣୀତ କରିଥିଲା । ସେ ଶପଥ ନେଲେ ଯେ ବଞ୍ଚିଥିବା ଯାଏଁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବେ । ସେବେଠୁଁ ଆଜି ଯାଏଁ ସେ ୨୦୦ରୁ ଅଧିକ ଥର ରକ୍ତଦାନ କରିସାରିଲେଣି । ଖାଲି ସେତିକି ନୁହେଁ ଏହି ରକ୍ତଦାନ ଅଭିଯାନରେ ତାଙ୍କ ସ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଖବର ପାଇ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ସେ ଓ ତାଙ୍କ ସ୍ତ୍ରୀ ରକ୍ତଦାନ କରିବାରେ ବିଳମ୍ବ କରନ୍ତି ନାହିଁ ।
ପ୍ରକାଶଙ୍କ ବାପା ଡି. କ୍ରିଷ୍ଣ ମୂର୍ତ୍ତୀ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଜଣେ ଲଢ଼ୁଆ ସୈନିକ ଥିଲେ । ତାଙ୍କ ଅଣଅଜା ଥିଲେ ମଧୁବାବୁଙ୍କ ଉତ୍କଳ ଟାନେରୀ ଜଣେ ପରିଚାଳକ । ଆଉ ସେଥିପାଇଁ ପ୍ରକାଶଙ୍କ ଶରୀରରେ ପ୍ରବାହିିତ ହେଉଥିଲା ସେବା ଓ ସ୍ୱାଭିମାନର ରକ୍ତ । ୧୮ ବର୍ଷ ବୟସରୁ ରକ୍ତଦାନ କରିଆସୁଥିବା ପ୍ରକାଶ ରୋଗୀ ସେବା ଭଳି ମହାନ ବ୍ରତକୁ ମଧ୍ୟ ଆଦରି ନେଲେ । ଡାକ୍ତରଙ୍କ ସହ ସୁସମ୍ପର୍କ ଥିବା ଦୃଷ୍ଟିରୁ ହସପିଟାଲରେ ଗରିବ ଅସହାୟ ରୋଗୀଙ୍କୁ ଚିକିତ୍ସାଗତ ସହାୟତା ଯୋଗାଇବାରେ ସେ ପଛଘୁଞ୍ଚା ଦିଅନ୍ତିନାହିଁ ।

ମାନବ ସେବା ହିଁ ମାଧବ ସେବା ଭାବୁଥିବା ପ୍ରକାଶ ଖାଲି ରୋଗୀ ସେବା ନୁହେଁ ବସ୍ତିର ପିଲାଙ୍କୁ ପାଠ ପଢ଼ାଇବାର ମହତ କାର୍ଯ୍ୟ ମଧ୍ୟ କରୁଛନ୍ତି । ଆଖପାଖ ବସ୍ତିର ପିଲାଙ୍କୁ ପାଠ ପଢ଼ାଇ ମଣିଷ ପରି ମଣିଷଟିଏ କରିବାର ତାଙ୍କର ସ୍ୱପ୍ନ ରହିଛି । ଅର୍ଥ ଅଭାବରୁ ପାଠ ପଢ଼ିପାରୁନଥିବା ପିଲାଙ୍କୁ ସେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏଁ ମାଗଣାରେ ପାଠ ପଢ଼ାଉଛନ୍ତି । ଆଶା ଆଶ୍ୱାସନା ନାମରେ ଗଢ଼ିଥିବା ତାଙ୍କ ସ୍କୁଲରେ ଏବେ ପାଖାପାଖି ୭୦ଜଣ ପିଲା ପାଠ ପଢ଼ୁଛନ୍ତି । ପ୍ରକାଶଙ୍କ ପାଖରେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିସାରିବା ପରେ ସେମାନଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ସେ ଯୋଗାଇ ଦେଇଥାନ୍ତି । ସବୁଠାରୁ ବଡ଼ କଥା ହେଲା, ଚାହା ଦୋକାନରୁ ମିଳୁଥିବା ରୋଜଗାରରୁ ଅଧା ଟଙ୍କା ସେ ପିଲାଙ୍କ ପାଠ ପଢ଼ା ବାବଦରେ ଖର୍ଚ୍ଚ କରିଥାନ୍ତି । ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ସେ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପ୍ରସଂଶିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଜଣେ ନିଆରା ସେବକ ଆଉ ଜଣେ ଉଦାର ମଣିଷର ପରିଚୟ ପାଇ ଜୀବନ କାଟୁଥିବା ଡି.ପ୍ରକାଶ ରାଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ହେବ ନିଶ୍ଚୟ ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

 

Previous ସ୍ୱପ୍ନର ମତ୍ସ୍ୟକନ୍ୟା ସୋନିକା
Next ଗୋପାଳପୁର ବିଚ୍ ଫେଷ୍ଟିଭାଲରେ ଯୋଗ ଦେବେ ନେହା କକ୍କର

No Comment

Leave a reply

Your email address will not be published. Required fields are marked *