ବିଶ୍ୱଜିତଙ୍କ ନିଆରା ପ୍ରେମ, ପ୍ରୀତି ଉପହାର

Nature lover Biswajit

ଦେଖିବାକୁ ଜଣେ ସାଧାସିଧା ଯୁବକ, କିନ୍ତୁ ମନରେ ବସାବାନ୍ଧିଛି ଅନେକ ଆଶା। ଗୁଜୁରାଣ ମେଣ୍ଟାଇବା ପାଇଁ ସାଧାରଣ ଚାକିରିଟିଏ କରିଥିଲେ ମଧ୍ୟ ନିଜର ଲକ୍ଷ୍ୟ ହାସଲ ପାଇଁ ସେ ଅବସର ସମୟକୁଉତ୍ସର୍ଗ କରିଛନ୍ତି।ସେହି ଉଦଯୋଗୀ ଯୁବକ ଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବୋଲକଣାର ବିଶ୍ୱଜିତ ପରିଡ଼ା, ଆଉ ତାଙ୍କ ଜୀବନର ଏକମାତ୍ର ଉଦ୍ଦେଶ୍ୟ ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁରକ୍ଷା କରିବା ।

ବିଶ୍ୱଜିତ କହନ୍ତି, “ଗ୍ଲୋବାଲ୍ ୱାର୍ମିଂ କାରଣରୁ ଦିନକୁ ଦିନ ତାପମାତ୍ରା ବଢ଼ୁଛି, ପରିବେଶ ସନ୍ତୁଳନ ବିଗିଡ଼ି ଯାଉଛି ଏବଂ ଅନେକ ଜୀବଜନ୍ତୁ ଲୋପ ପାଇବାରେ ଲାଗିଛନ୍ତି । ମନୁଷ୍ୟ ନିଜ ସ୍ୱାର୍ଥସାଧନ ପାଇଁ ପରିବେଶ ନଷ୍ଟ କରି ଏହି ସମସ୍ୟା ସୃଷ୍ଟି କରିଛି । ମାତ୍ର ଏତେବଡ଼ ସମସ୍ୟାର ସମାଧାନ ଆମ ହାତମୁଠାରେ। ଆମେ ଯଦି ନିଜେ ଯଥାସମ୍ଭବ ଗଛ ଲଗାଇବା, ତେବେ ପରିବେଶ ସୁରକ୍ଷା କରାଯିବା ସହ ଆମ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ ।”

ପିଲା ବେଳୁ ନିଜ ବାଡିବଗିଚାରେ ଫଳ, ଫୁଲ ଓ ପନିପରିବା ଗଛ ଲଗାଇବା ବିଶ୍ୱଜିତଙ୍କ ସଉକ ଥିଲା । ସମୟକ୍ରମେ ଏହି ସଉକ ବଦଳିଗଲା ନିଶାରେ । ଯେଉଁଠି ଫାଙ୍କା ଜାଗାଟିଏ ପାଇଲେ, ସେଇଠି ଚାରାଟିଏ ଆଣି ଲଗାଇଲେ ବିଶ୍ୱଜିତ । ତା ଚାରିପଟେ ବାଡ଼ ବୁଲାଇ, ନିୟମିତ ପାଣି ଦେଇ ଚାରାଟି ବଡ଼ ହେବା ପର୍ଯ୍ୟନ୍ତ ସେ ତାହାର ଯତ୍ନ ନିଅନ୍ତି । ଡେଲାଙ୍ଗ ଅଞ୍ଚଳର ବେରୋବୋଇ ଠାରୁ ଧାନକେରା ଯାଇଥିବା ରାସ୍ତାକଡ଼ରେ 300ରୁ ଅଧିକ ବର, ଅଶ୍ୱତ୍ଥ, କଦମ୍ବ ଓ ପେସ୍ତା ବାଦାମ ଗଛ ଲଗାଇଛନ୍ତି ବିଶ୍ୱଜିତ । ଏହିସବୁ ଗଛ ବାୟୁମଣ୍ଡଳକୁ ଅଧିକ ଅମ୍ଳଜାନ ଦିଏ କିନ୍ତୁ ଏହାର କାଠ କୌଣସି କାମରେ ଆସୁନଥିବାରୁ କାଠଚୋରଙ୍କ ଭୟ ରହେନାହିଁ ବୋଲି ସେ କହନ୍ତି ।

ସେ ବୁଝିଛନ୍ତି, ଏକ୍ଷେତ୍ରରେ ତାଙ୍କର ନିଜସ୍ୱ ଉଦ୍ୟମ ଯଥେଷ୍ଟ ନୁହେଁ । ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ସେ ଆଖପାଖ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାନ୍ତି । ଏଥିସହ ବିଭିନ୍ନ ଗାଁରେ ସଭା ଆୟୋଜନ କରି ଗଛ କାଟିବା ବଦଳରେ ଗଛଟିଏ ଲଗାଇବା ପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରାନ୍ତି । ବାଇକ କିମ୍ବା ଅନ୍ୟ ଗାଡ଼ି ମୋଟରରୁ ବାହରୁଥିବା ଧୂଆଁରେ ପରିବେଶ ପ୍ରଦୁଷଣ ହେଉଥିବାରୁ ସେ ନିଜେ ସାଇକେଲ ଚଲାନ୍ତି । ସେହି ସାଇକେଲ୍ ଆଗରେ ଲାଗିଥିବା ବୋର୍ଡରେ ଲେଖାଯାଇଛି “ଗ୍ଲୋବାଲ ୱାର୍ମିଂ କମାଇବା ପାଇଁ ଦୟାକରି ଗଛଟିଏ ଲଗାନ୍ତୁ”। ଏଥିସହ ଖବରକାଗଜରେ ଯେଉଁମାନଙ୍କର ଲେଖା ବାହାରେ ସେମାନେ ବିଶ୍ୱଜିତଙ୍କ ଅଜଣା ହୋଇଥିଲେ ମଧ୍ୟ “ଆପଣଙ୍କ ଲେଖାଟି ଭଲ ଲାଗିଲା, ଦୟାକରି ଗଛଟିଏ ଲଗାନ୍ତୁ ” ଲେଖି ସେମାନଙ୍କ ଠିକଣାରେ ଚିଠିଟିଏ ପଠାଇ ଦିଅନ୍ତି ।

ତାଙ୍କର ଆଉ ଏକ ଅଭିନବ ପଦକ୍ଷେପ କଥା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବିଶ୍ୱଜିତଙ୍କୁ କେହି ବନ୍ଧୁ କିମ୍ବା ସମ୍ପର୍କୀୟ ବାହାଘର ଭଳି କୌଣସି ଉତ୍ସବକୁ ଡାକିଲେ, ସେ ତାଙ୍କୁ ଗୋଟିଏ ଫଳଗଛ ଚାରା ଉପହାର ଦିଅନ୍ତି । ଯେକୌଣସି ଉପହାର ଦେଲେ ତାହା ଦିନେ ସରିଯିବ, ଭାଙ୍ଗିଯିବ, ହଜିଯିବ କିମ୍ବା ନଷ୍ଟ ହୋଇଯିବ । କିନ୍ତୁ ସେ ଉପହାରରେ ଦେଉଥିବା ଚାରାଟି ଲଗାଇ ଯଦି ଯତ୍ନର ସହ ବଡ଼ କରାଯାଏ, ତେବେ ସେଥିରୁ ବହୁ ବର୍ଷ ପର୍ଯ୍ୟନ୍ତ ଫଳ ମିଳିପାରିବ । ଏପରିକି ନବବିବାହିତ ଦମ୍ପତି ଗଛଟିକୁ ଲଗାଇଲେ ଏହା ତାଙ୍କ ବାହାଘରର ସ୍ମୃତି ବହନ କରିବା ସହ ତାଙ୍କ ଆଗାମୀ ପିଢ଼ି ପାଇଁ ମଧ୍ୟ ଲାଭଦାୟକ ହେବ ଏବଂ ପରିବେଶ ସୁରକ୍ଷାରେ ସହାୟକ ହେବ ବୋଲି ବିଶ୍ୱଜିତ କହନ୍ତି । ପରିବେଶ ସୁରକ୍ଷା ଦିଗରେ ଏହିସବୁ କାର୍ଯ୍ୟ ପାଇଁ ତାଙ୍କୁ 2016 ମସିହାରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି ।

Previous ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ମୋବାଇଲ
Next ବିଜେଡିରେ ବିଦ୍ରୋହର ପୂର୍ବାଭାସ !

No Comment

Leave a reply

Your email address will not be published. Required fields are marked *