ଭୁବନେଶ୍ୱର ତମାଣ୍ଡୋରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶାରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସ୍ୱତନ୍ତ୍ର ବିମାନରେ ଦିନ ୧୦ଟା ୪୫ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାହୁଲ । କଂଗ୍ରେସର ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ରାହୁଲ ପ୍ରଥମ ଥର ଓଡ଼ିଶା ଆସିଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଜୟଦେବ ଜେନା, ସାଂସଦ ରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଶରତ ରାଉତ ପ୍ରମୁଖ ବିମାନବନ୍ଦରରେ ରାହୁଲଙ୍କୁ ସ୍ୱାଗତ ଜଣାଇଥିଲେ। ବିମାନବନ୍ଦରରୁ ସେ ପ୍ରଥମେ ହୋଟେଲକୁ ଯିବେ, ସେଠାରୁ ସମାଜର ଟାଉନହଲ୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ବୁଦ୍ଧିଜୀବୀ ଓ କିଛି ଦଳୀୟ କର୍ମୀଙ୍କ ସହ ମତ ବିନିମୟ କରିବେ ବୋଲି ସୂଚନା ମିଳିଛି । ଅପରାହ୍ନ ୩ଟା ସମୟରେ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପିସିସି ମୁଖ୍ୟାଳୟଠାରେ ସେ ହାଲ୍ ଓ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ସହ ସାକ୍ଷାତ କରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ନିର୍ବାଚନ ପର୍ଯ୍ୟନ୍ତ ରାହୁଲ ପ୍ରତି ମାସରେ ଓଡିଶାରେ ସମାବେଶ କରିବେ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ ଦୁଇଦିନ ତଳେ ସୂଚନା ଦେଇ କହିଛନ୍ତି । ବର୍ତ୍ତମାନ ଓଡ଼ିଶା କଂଗ୍ରେସର ସ୍ଥିତି ଯେଉଁଭଳି ସେଥିରେ ରାହୁଲଙ୍କ ଗସ୍ତ ଓ ଗୁରୁମନ୍ତ୍ର କିଛି ପ୍ରଭାବ ପକେଇବେକି ନାହିଁ ତାହା ଆସନ୍ତା ସାଧାରଣ ନିର୍ବାଚନ କହିବ ।
ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି
AICC president Rahul gandhi in bhubaneswar

No Comment