ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ସନା ଖିଲୋ


କୋରାପୁଟ ଜିଲ୍ଲାର ଦୁରକାଗୁଡା ଏକ ଆଦିବାସୀ ଅଧ୍ୟୁଷିତ ଗାଁ । ଏଠାରେ ୫୭ କନ୍ଧ ପରିବାର ଏବଂ ଗୋଟିଏ ପରଜା ପରିବାର ବାସ କରନ୍ତି । ପାହାଡ ତଳେ ଥିବା ଏହି ଗାଁକୁ ସହରୀ ସଭ୍ୟତା ଆଦୌ ଛୁଇଁନି । ଏବେବି ଗାଁ ଲୋକେ ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ବୁଡି ରହିଛନ୍ତି । ଖୋଲାରେ ମଳତ୍ୟାଗ କରିବା ଅଭ୍ୟାସ ଯୋଗୁଁ ଡାଇରିଆ ଓ ମ୍ୟାଲେରିଆ ଭଳି ରୋଗ ସଂକ୍ରମଣ ଗାଁ ଲୋକଙ୍କ ଚିର ସହଚର । ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ଟିମ୍ ଦୁରକାଗୁଡା ପରିଦର୍ଶନରେ ଆସି ଏହି ଗାଁକୁ ସମ୍ପୂର୍ଣ୍ଣ ଖୋଲାରେ ମଳ ତ୍ୟାଗ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କଲେ । ଗାଁର କିଛି ପୁରୁଖା ପୁରୁଷ ଓ ମହିଳାଙ୍କୁ ନେଇ ନିଗ୍ରାନି କମିଟି ଗଢାହେଲା । ଏହି କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରକୃତି ବନ୍ଧୁ କୁହାଗଲା । ଏମାନଙ୍କ ମଧ୍ୟରୁ ସନା ଖିଲୋଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ । ତାଙ୍କ ପ୍ରଚେଷ୍ଟାରେ ଦୁରକାଗୁଡା ଗାଁ ଏବେ ସମ୍ପୂର୍ଣ୍ଣ ଖୋଲା ମଳ ତ୍ୟାଗ ମୁକ୍ତ ।

ଜିଲ୍ଲା ଜଳ ଓ ପରିମଳ ମିଶନର ସମ୍ପୂର୍ଣ୍ଣ ପରିମଳ ଅଭିଯାନ ଦୁରକାଗୁଡାରେ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଲୋକେ ଗାଁଠାରୁ ବହୁ ଦୂରରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ମଳତ୍ୟାଗ ପାଇଁ ଯାଉଥିଲେ । ଜଙ୍ଗଲି ହିଂସ୍ର ଜନ୍ତୁଙ୍କୁ ଭୟ କରି ରାତ୍ରି କାଳୀନ ଶୌଚ ପାଇଁ ଲୋକେ ବାହାରକୁ ଯାଉନଥିଲେ । ଯାହାକି ବିଭିନ୍ନ ପ୍ରକାର ପେଟ ବେମାରୀର ମୁଖ୍ୟ କାରଣ ହୋଇଥିଲା । ସକାଳୁ ଏଥିଲାଗି ବହୁ ଦୂରକୁ ଯିବାକୁ ପଡୁଥିବାରୁ ସମୟ ଅପଚୟ ହେଉଥିଲା । ପଡୋଶୀ ବନ୍ଦଗୁଡା ଗାଁ ସମ୍ପୂର୍ଣ୍ଣ ଖୋଲା ମଳତ୍ୟାଗ ମୁକ୍ତ ଗାଁ ଭାବେ ମାନ୍ୟତା ପାଇଥିବା ଜାଣିବା ପରେ ଦୁରକାଗୁଡା ଅଧିବାସୀ ସୁସ୍ଥ ଜୀବନଯାପନ ପାଇଁ ପରିମଳର ଗୁରୁତ୍ୱ ମର୍ମେମର୍ମେ ଉପଲବ୍ଧି କଲେ । ଗାଁକୁ ସମ୍ପୂର୍ଣ୍ଣ ଖୋଲା ମଳତ୍ୟାଗ ମୁକ୍ତ କରିବା ପାଇଁ ଏଠାକାର ଲୋକେ ଜିଲ୍ଲା ଜଳ ଓ ପରିମଳ ମିଶନର ସହଯୋଗ ଲୋଡିଲେ । ସେମାନଙ୍କ ଏକ ଟିମ୍ ଗାଁ ପରିଦର୍ଶନରେ ଆସି ସନା ଖିଲୋଙ୍କୁ ଦୁରକାଗୁଡା ଗାଁରେ ପ୍ରତିଟି ଘରେ ଶୌଚାଳୟ ନିର୍ମାଣର ଦାୟିତ୍ୱ ଅର୍ପଣ କଲେ । ସେ ସାପ୍ତାହିକ ବୈଠକ ଡକାଇ ଗାଁ ଲୋକଙ୍କୁ ସଚେତନ କରିବା ସହ ଶୌଚାଳୟ ନିର୍ମାଣରେ ସକ୍ରିୟ ଭାବରେ ଅଂଶଗହଣ କରିବାକୁ ପ୍ରବର୍ତ୍ତାଉଥିଲେ । ନିଜସ୍ୱ ସମ୍ବଳ ଏବଂ ପାଇଖାନା ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ଥିବା ପରିବାର ନିଜେ ପାଇଖାନା ନିର୍ମାଣ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ଏହି ପ୍ରକୃତି ବନ୍ଧୁ । ଦୁରକାଗୁଡା ଗାଁର ୨୦ଟି ପରିବାର ନିଜ ଅର୍ଥରେ ପାଇଖାନା ଘର ନିର୍ମାଣ କରିଥିବାବେଳେ ଅନ୍ୟ ୩୮ଟି ପରିବାରର ପାଇଖାନା ନିର୍ମାଣ ପାଇଁ ସନା ଖିଲୋ କିଛି ଆର୍ଥିକ ସାହାଯ୍ୟ ଦେଇଥିଲେ । ଏବେ ଦୁରକାଗୁଡା ଗାଁ ସମ୍ପୂର୍ଣ୍ଣ ଖୋଲା ମଳତ୍ୟାଗ ମୁକ୍ତ । ୟୁନିସେଫ୍ ଭଳି ଆନ୍ତର୍ଜାତିକ ସଙ୍ଗଠନର କର୍ମକର୍ତ୍ତା ଏହି ଗାଁ ପରିଦର୍ଶନ କରି ସାରିଛନ୍ତି । ସନା ଖିଲୋ ତାଙ୍କର ଏହି ମହନୀୟ କାର୍ଯ୍ୟ ପାଇଁ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନିକଟରୁ ସାମାଜିକ ପରିବର୍ତ୍ତନର ନେତୃତ୍ୱ ନେଇଥିବାରୁ ପ୍ରକୃତି ବନ୍ଧୁ ହିସାବରେ ସମ୍ମାନିତ ହୋଇଛନ୍ତି ।

ସୌଜନ୍ୟ -ଓଡ଼ିଶା ପଞ୍ଚାୟତ ସମାଚାର

Previous ସ୍ୱାସ୍ଥ୍ୟପ୍ରଦ ଲଙ୍କା
Next ଜ୍ୟୋତି ହେଲେ ପରିବାରର ଆଲୋକ ବର୍ତ୍ତିକା

No Comment

Leave a reply

Your email address will not be published. Required fields are marked *