‘ସମାଜ ବିକାଶର କେନ୍ଦ୍ରବିନ୍ଦୁ ଉନ୍ନୟନମୂଳକ ସାମ୍ବାଦିକତା’

Radhanath Rath Memorial Lecture on DEVELOPMENT JOURNALISM

ରାଧାନାଥ ରଥ ଥିଲେ ଉନ୍ନୟନମୂଳକ ସାମ୍ବାଦିକତାର କର୍ଣ୍ଣଧାର । ସେ ସାମ୍ବାଦିକଙ୍କୁ ତାଲିମ ଦେଉଥିଲେ ଓ ପରିପୂର୍ଣ୍ଣ କରି ଗଢି ତୋଳୁଥିଲେ । ସେ କେବଳ ‘ସମାଜ’ ଖବର କାଗଜର ସମ୍ପାଦକ ନଥିଲେ ବରଂ ପୁରା ସମାଜର ଦିଗଦର୍ଶକ ଥିଲେ କହିଲେ ଭୁଲ ହେବ ନାହିଁ । କୌଣସି କାର୍ଯ୍ୟ ସମ୍ପାଦନା ହେଉ ଅବା ନିଜର ମତ ରଖିବା ହେଉ ସବୁବେଳେ ରାଧାନଥ ରଥ(ବାବୁଜୀ) ସମସ୍ତଙ୍କୁ ସୁଯୋଗ ଦେଉଥିଲେ ବୋଲି ଆଜି ସଂକଳ୍ପ ମିଡ଼ିଆ ଓ କନଭେନଶନରେ ରାଧାନାଥ ରଥ ସ୍ମାରକ ପ୍ରକାଶନର “ବିକାଶ ସାଂବାଦିକତା-କିଛି ଦୃଷ୍ଟିଭଂଗୀ” ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତପନ ମିଶ୍ର କହିଥିଲେ । ଏହା ସହ ‘ସମାଜ’କୁ ଆଗକୁ ବଢାଇ ନେବାରେ ରାଧାନାଥ ରଥଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଅତ୍ୟନ୍ତ ବିଚକ୍ଷଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ଶ୍ରୀ ମିଶ୍‌ର ନିଜ ଅଭିଜ୍ଞତାରୁ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଶିଷ୍ଟ ଗଣମାଧ୍ୟମ ବିଶେଷଜ୍ଞ ଡ଼.ଉମାକାନ୍ତ ମିଶ୍ର ଦିନକୁ ଦିନ ଉନ୍ନୟନମୂଳକ ଖବରର ଗୁରୁତ୍ୱ ହ୍ରାସ ପାଉଛି । ତାହାକୁ ପୁନଃପ୍ରତିଷ୍ଠା ପାଇଁ ସାମ୍ବାଦିକମାନେ ଓ ଏହି କ୍ଷେତ୍ର ସହ ଜଡ଼ିତ ଅନୁଷ୍ଠାନଗୁଡ଼ିକ ଚେଷ୍ଟା କରିବା ଉଚିତ ବୋଲି ସେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ଜନସଂଚାର ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ କହିଥିଲେ ଯେ ‘ଆମ ସ୍ଥିତିର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଉଛି ବିକାଶ, ଉନ୍ନୟନମୂଳକ ସାମ୍ବାଦିକତା ମୁଖ୍ୟତଃ ସମବେଦନା ଓ ବୁଝାମଣା ଉପରେ ନିର୍ଭର କରିଥାଏ’ । ସେହିଭଳି ବରିଷ୍ଠ ଟିଭି ପ୍ରଯୋଜକ ବିରେନ ଦାସ ଯୋଗ ଦେଇ କହିଥିଲେ ଯେ ଏବେ ମିଡ଼ିଆ ଅନୁଷ୍ଠାନ ବଢିଛି ହେଲେ ବିକାଶ ଯୋଗାଯୋଗ ଓ ସାମ୍ବାଦିକତାର ମାନ କମୁଛି । ବିକାଶମୂଳକ ସାମ୍ବାଦିକତା ବା ଯୋଗାଯୋଗ କ୍ଷେତ୍ରରେ ଅନେକ ସୁଯୋଗ ରହିଛି, ଏଥିପାଇଁ ସମସ୍ତେ ଉଦ୍ୟମ କରିବା ସହିତ ନିଜ ଚିନ୍ତାଧାରାକୁ ବଦଳାଇବା ଦରକାର । ସେହିଭଳି ବିଶିଷ୍ଟ ଅର୍ଥନିତୀଜ୍ଞ ତଥା ରାଧାନାଥ ରଥଙ୍କ ପୁତ୍ର ପ୍ରଫେସର ନୀଳକଣ୍ଡ ରଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଖବର ସଂଗ୍ରହ ସମୟରେ ସାମ୍ବାଦିକଟିକୁ ସାଧାରଣ ଜ୍ଞାନ ପ୍ରୟୋଗ କରିବା ଉଚିତ । ଏହାସହ ଉନ୍ନୟନମୂଳକ ସାମ୍ବାଦିକତା ପ୍ରକାଶ ବା ପ୍ରସାରଣ ଦ୍ୱାରା ଅନେକ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । କିଏ କଣ ପାଇଁ ସେହି କାର୍ଯ୍ୟ କରିଲା ଓ କଣ ଫଳ ପାଇଲା ତାହା ଅନେକ ଜାଣିବା ପାଇଁ ଆଗ୍ରହୀ ହେବା ସହ ତାହାକୁ ଆପଣାଇବେ । ସେହିଭଳି ବରିଷ୍ଠ ଟିଭି ପ୍ରଯୋଜକ ବିବୁ ଦାସ ସାମିଲ ହୋଇ କହିଥିଲେ ଯେ ଗତାନୁଗତିକ ଖବର ଓ ବିକାଶମୂଳକ ଖବର ଭିତରେ ଅନେକ ଫରକ ରହିଛି । ଗତାନୁଗତିକ ଖବର ସିମିତ ସମୟ ମଧ୍ୟରେ ମୂଲ୍ୟହୀନ ହୋଇପାରେ ହେଲେ ବିକାଶମୂଳକ ଖବର ସବୁବେଳେ ଅନ୍ୟ ପାଇଁ ପ୍ରେରଣା ଦାୟୀ ହୋଇପାରିବ । ଗତାନୁଗତ ଖବରର ଗୋଟିଏ ବା ଦୁଇଟି ଦିଗ ରହିଥାଏ । ହେଲେ ଉନ୍ନୟନମୂଳକ ଖବରର ଅନେକ ଗୁଡ଼ାଏ ଦିଗ ରହିଥାଏ ।
ସେହିଭଳି ପ୍ରତିଷ୍ଠିତ ସ୍ତମ୍ଭକାର ତଥା ଲେଖକ ଦାଶ ବେନୁହୁର ଯୋଗ ଦେଇ କହିଥିଲେ ଯେ ସାମ୍ବାଦିକ ସତ୍ୟବାଦି ହେବା ଉଚିତ୍‌, ସେମାନେ ମିଛ କହିଲେ ସମାଜର ବିକାଶ ହେବ ନାହିଁ । ଏହାସହ ବିକାଶର ତିନୋଟି ଦିଗ ଯଥା ଭବିଷ୍ୟତ କାରକ, ମାନବିକ କାରକ, ପାରମ୍ପରିକ କାରକ ଗୁଡ଼ିକୁ ଆଖିଆଗରେ ରଖି ବିକାଶ କରିବା ଉଚିତ୍ । ସେହିଭଳି କିଟ୍ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଫେସର ଅନୁରାଗ ସାହୁ ଯୋଗଦେଇ କହିଥିଲେ ଯେ ଉନ୍ନୟନ ଏକ ଜଟିଲ ପ୍ରକ୍ରିୟା ଏବଂ ଏହାକୁ ବୁଝିବା କଷ୍ଟକର । ଆମ ମନ ଭିତରର ତୃଷ୍ଣା ପାଇଁ ଆମେ ଆଗକୁ ବଢିପାରୁଛୁ । ବିକାଶୀଳ ରାଜ୍ୟ ତଥା ଦେଶ ପାଇଁ ଉନ୍ନୟନ ଖବର ବା ସାମ୍ବାଦିକତାର ଆବଶ୍ୟକତା ରହିଛି । ଏହାସହ କିପରି ବିକାଶମୂଳକ ସାମ୍ବାଦିକତାର ମାନ କମୁଛି ସେ ବିଷୟରେ ନିଜର ମତ ରଖିଥିଲେ । ସେହିଭଳି ସମାଜସେବୀ ଋକ୍ମୁଣି ପଣ୍ଡା କହିଥିଲେ ଯେ ଲିଙ୍ଗଗତ ସମ୍ମାନତା ବିନା ସମାଜରେ ବିକାଶ ଅସମ୍ଭବ । ଶିକ୍ଷା,ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ସମ୍ପତିଗତ ଅଧିକାର ପର୍ଯ୍ୟନ୍ତ ଲିଙ୍ଗଗତ ସମ୍ମାନତା ରଖିବା ଜରୁରୀ । ସେହିଭଳି ବରିଷ୍ଠ ବିଜ୍ଞାପନ ବିଶେଷଜ୍ଞ ଅରବିନ୍ଦ ମହାନ୍ତି ଯୋଗ ଦେଇ କହିଥିଲେ ଯେ ବିଜ୍ଞାପନ ଓ ସାମ୍ବାଦିକତା ପରସ୍ପର ପରିପୁରକ । ବିଜ୍ଞାପନ ଓ ସାମ୍ବାଦିକତା ଏକା ସଙ୍ଗରେ ରହିଲେ ବିକାଶ ସମ୍ଭବ । ସେହି ଭଳି ସଂକଳ୍ପ ଟିଭିର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଅଶୋକ ଦାସ ଉନ୍ନୟନମୂଳକ ସାମ୍ବାଦିକତା କେବଳ ଅନ୍ୟକୁ ପ୍ରେରଣା ଦିଏ ତାହା ନୁହେଁ, ଏହା ଜଣେ ସାମ୍ବାଦିକକୁ ଆତ୍ମତୃପ୍ତି ଦେଇଥାଏ ବୋଲି କହିଥିଲେ । ଏହାସହ ବର୍ତ୍ତମାନ ଯନ୍ତ୍ରପାତି ବା ବୈଷୟିକ ଜ୍ଞାନକୌଶଳରେ ଯେଉଁ ଅଗ୍ରଗତି ହୋଇଛି ତାହାକୁ ଉପଯୋଗ କରି ବିକାଶ ସାମ୍ବାଦିକତାକୁ ଆଗକୁ ବଢାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲେଖିକା ମନୋରମା ମହାପାତ୍ର, ବରିଷ୍ଠ ସାମ୍ବାଦିକ କାନନ ଦାଶ, ବରିଷ୍ଠ ସାମ୍ବାଦିକା କସ୍ତୁରୀ ରାୟ, ଡଃ ଅଭୟ ତିଳକ ପ୍ରମୁଖ ଉପସ୍ଥିତ ରହି ବିକାଶ ସାମ୍ବାଦିକତା ସମାଜରେ କଣ ପରିବର୍ତ୍ତନ ଆଣି ପାରେ ଓ ଏହା ପାଇଁ ଜଣେ ସାମ୍ବାଦିକ ତଥା ଅନୁଷ୍ଠାନଗୁଡ଼ିକର ଦାୟିତ୍ୱ କଣ ତାହା ଉପରେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମ୍ବାଦିକତା ଓ ଗଣଯୋଗାଯୋଗ ଅନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Previous Management of Fall Army Worm in Maize
Next ରାଜ୍ୟ ବଜେଟ୍ ଅଧିବେସନ ଆରମ୍ଭ

No Comment

Leave a reply

Your email address will not be published. Required fields are marked *