ଇଣ୍ଡିଆ ଟୁଡ଼େ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପ୍ରେକ୍ଷାପଟ୍ଟରେ ଦେଶବାସୀଙ୍କ ମନୋଭାବ ସମ୍ପର୍କରେ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସଂପର୍କରେ ଜନମତ ଥିବା ବେଳେ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା କ୍ଷୁଣ୍ଣ ହେବ ବୋଲି ଦର୍ଶାଇଛି । ସାମଗ୍ରିକ ଭାବେ ଏନଡ଼ିଏ ୨୮୧ ଆସନ ପାଇ ସରକାର ଗଢିବାର ସମ୍ଭାବନା ଥିବାବେଳେ ସହଯୋଗୀ ଦଳ ଉପରେ ବିଜେପିର ନିର୍ଭରଶୀଳତା ବୃଦ୍ଧି ପାଇବ । ଫଳରେ ସଂସଦରେ ଦଳର ପ୍ରଭାବ ଓ ପତିଆରା ହ୍ରାସ ପାଇବ । ଅନ୍ୟ ପକ୍ଷରେ ୟୁପିଏ ୧୨୨ ଓ ଅନ୍ୟାନ୍ୟ ବିରୋଧୀ ଦଳ ୧୪୦ ଆସନ ପାଇପାରନ୍ତି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।
ସର୍ଭେ ରିପୋର୍ଟକୁ ବିଶ୍ଲେଷଣ କଲେ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ସମର୍ଥନ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଶବାସୀଙ୍କ ପସନ୍ଦ ଅପସନ୍ଦକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ରାହୁଳଙ୍କଠାରୁ ୨୩% ଆଗରେ ମୋଦି ଅଛନ୍ତି ବୋଲି ଜଣାପଡ଼ିଛି । ବିରୋଧୀ ଦଳରୁ ମୋଦିଙ୍କ ଶ୍ରେଷ୍ଠ ବିକଳ୍ପ ରୂପେ ରାହୁଳ ୪୬% ସର୍ମଥନ ପାଇଥିଲେ ହେଁ ଏବେ ମଧ୍ୟ ମୋଦି ଯଥେଷ୍ଟ ଆଗରେ ଅଛନ୍ତି । ତେବେ ଏହି ଲୋକପ୍ରିୟତାର ଧାରା କ୍ରମେ ହ୍ରାସପାଇବା ବିଜେପି ପାଇଁ ନିଶ୍ଚୟ ଚିନ୍ତାର ବିଷୟ । ରାହୁଳଙ୍କ ପିଲାଳିଆମି ଓ ଅପରିପକ୍ୱତା ପାଇଁ ଦେଶବାସୀଙ୍କ ନିକଟରେ ସେ ପପୁ ରୂପେ ପରିଚିତ ଥିଲେ । ତେବେ ସମୟ ବଦଳିବା ସହ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ତାଙ୍କ ନେତୃତ୍ୱର ଗ୍ରହଣୀୟତା କ୍ରମେ ବୃଦ୍ଧି ପାଉଛି । ୨୦୧୬ ଅଗଷ୍ଟରେ ତାଙ୍କ ନେତୃତ୍ୱ ପ୍ରତି ସମର୍ଥନ ହାର ମାତ୍ର ୨୩ ପ୍ରତିଶତ ଥିବା ବେଳେ ତାହା ୨୦୧୮ ଜୁଲାଇ ସୁଦ୍ଧା ୪୬ ପ୍ରତିଶତକୁ ବୃଦ୍ଧି ପାଇବା ଅନ୍ୟ ଏକ ସକରାତ୍ମକ ଦିଗ । ରାହୁଳଙ୍କ ପ୍ରତି ଜନ ସମର୍ଥନ ୨୦୧୭ ଜାନୁୟାରୀରେ ୨୮%କୁ ଓ ବର୍ଷକ ପରେ ତାହା ୪୫%କୁ ବୃଦ୍ଧି ପାଇଛି । ଗତ ଜାନୁୟାରୀରୁ ଜୁଲାଇ ମାସ ମଧ୍ୟରେ ଏହି ହାର ବୃଦ୍ଧି ପାଇ ୪୬%ରେ ପହଞ୍ଚିଛି । ଏହି ଅଢ଼େଇ ବର୍ଷ ମଧ୍ୟରେ ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ଠିକଣା ଭାବେ ଉପସ୍ଥାପନା କରିବାର ସାମର୍ଥ୍ୟ ପ୍ରଦର୍ଶନ ଦୃଷ୍ଟିରୁ ତାଙ୍କର ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ଧାରା ଅବ୍ୟାହତ ରହିଲେ ୨୦୧୯ ଏପ୍ରିଲ ବେଳକୁ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ କିଛି ବଡ଼ ଧରଣର ପରିବର୍ତ୍ତନ ଘଟିବା କିଛି ବିଚିତ୍ର ନୁହେଁ । ଏଠାରେ ଆମେ କେବଳ ତାଙ୍କର ରାଜନୈତିକ ପରିପକ୍ୱତା ବିଚାରକୁ ନେଲେ ଠିକ୍ ହେବ ନାହିଁ । ଦେଶରେ ପରିଲକ୍ଷିତ ବେକାରୀ, ମୂଲ୍ୟବୃଦ୍ଧି ଓ ଦୁର୍ନୀତି ବିରୋଧରେ ସୃଷ୍ଟି ହୋଇଥିବା ଜନମତ ମୋଦିଙ୍କ ନେତୃତ୍ୱ ଆଡ଼ୁ ମୁହଁ ଫେରାଉଥିବାରୁ ବିକଳ୍ପ ନେତୃତ୍ୱ ରୂପେ କ୍ରମେ ରାହୁଳଙ୍କ ଉପରେ ଆସ୍ଥା ସ୍ଥାପନ କରୁଛନ୍ତି ।
ଆସନ୍ତା ଏପ୍ରିଲର ରାଜନୈତିକ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆଶାକରୁଛୁ ସେଥିରେ ରାହୁଳଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟ ଯେ ସରକାର ଗଢିବାକୁ ସମର୍ଥ ହେବ ଏକଥା ନୁହେଁ । କିନ୍ତୁ ବିଜେପିର ସ୍ଥିତି ଅପେକ୍ଷାକୃତ ଅଧିକ କ୍ଷୁଣ୍ଣ ହେବ, ଯେଉଁଥି ପାଇଁ କି ଦଳକୁ ଏକ ବୃହତ୍ତର ମେଣ୍ଟ ଉପରେ ନିର୍ଭର କରିବାକୁ ପଡ଼ିବ । ଫଳରେ ବିଜେପିର ଗୋପନ ଏଜେଣ୍ଡା ସହଯୋଗୀଙ୍କ ସମର୍ଥନ ଅଭାବରୁ କାର୍ଯ୍ୟକାରୀ ହେବା ସମ୍ଭବ ନୁହେଁ । ଆମେ ଏଠାରେ ଉଲ୍ଲେଖ କରିବାକୁ ଚାହୁଁ ଯେ ୨୦୧୮ ଜାନୁୟାରୀରୁ ଜୁଲାଇ ମାସ ମଧ୍ୟରେ ମୋଦିଙ୍କ ନେତୃତ୍ୱ ପ୍ରତି ଥିବା ସମର୍ଥନ ହାର ୬% ହ୍ରାସ ପାଇବା ବିଜେପି ପାଇଁ ଏକ ସତର୍କ ଘଣ୍ଟି । ଏହି ହାର ଅବ୍ୟାହତ ରହିଲେ ୨୦୧୯ ଏପ୍ରିଲ ବେଳକୁ ସ୍ଥିତି କଣ ହେବ ତାହା ଏବେ ଠାରୁ ଆକଳନ କରିବା ଠିକ୍ ହେବନି । ତେବେ ସରକାର ଗଠନ କରିବା ପାଇଁ ବିଜେପିକୁ ଏକ ବୃହତ୍ତର ମେଣ୍ଟ ଉପରେ ନିର୍ଭର କରିବାର ସମ୍ଭାବନା ଥିବାରୁ ସହଯୋଗୀଙ୍କ ସର୍ତ୍ତ ନିକଟରେ ଦଳ ସେତେବେଳେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ । ବିରୋଧୀଙ୍କୁ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ମୁଣ୍ଡ ଟେକିବାକୁ ନଦେବା ପାଇଁ ମୋଦିଙ୍କ ପକ୍ଷରୁ ଯେଭଳି ଅକ୍ରୋଶମୂଳକ କଳକୌଶଳ ପ୍ରୟୋଗ କରାଯାଇଛି ସେଥିରେ ସେମାନେ ବିଜେପିକୁ ସରକାର ଗଠନରେ ସହଯୋଗ ବିନିମୟରେ ନେତୃତ୍ୱ ପରିବର୍ତ୍ତନ ସର୍ତ୍ତ ରଖିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏମିତି ଦେଖିବାକୁ ଗଲେ ମୋଦିଙ୍କ ନେତୃତ୍ୱ ପ୍ରତି ବିରୋଧୀଦଳ ଅପେକ୍ଷା ନିଜ ଦଳରୁ ବିପଦ ଅଧିକ । ଆଗାମୀ ନିର୍ବାଚନ ପାଇଁ ଯେଉଁ ସମ୍ଭାବନାର ଅଙ୍କକଷା ଚାଲିଛି ସେଥିରେ ବିଜେପିରେ ମଧ୍ୟ ମୋଦିଙ୍କ ବିକଳ୍ପ ନେତୃତ୍ୱ ନେଇ ଗୋପନ ଉଦ୍ୟମ ଆରମ୍ଭ ହୋଇଥିବାର ସୂଚନା ମିଳୁଛି । ତେବେ ଏସବୁ ନିର୍ଭର କରେ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ଉପରେ ।
ବରିଷ୍ଠ ସାମ୍ବାଦିକ, କାନନ ଦାଶ
No Comment