ଜଣେ ମହାନାୟକଙ୍କୁ ଇନାମ ‘ବେଇମାନ’

Pyarimohan Mohapatra

ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ରଣନୀତିରେ ନିପୁଣ ପ୍ୟାରୀବାବୁ ଶେଷରେ ‘ବେଇମାନ’ର କଳଙ୍କ ମୁଣ୍ଡାଇଥିଲେ । ୨୦୧୨ ମେ’୨୯ ମଧ୍ୟରାତ୍ରିର ଘଟଣାବଳୀକୁ ବିଦ୍ରୋହ, ପ୍ରତାରଣା ଓ ଷଡ଼ଯନ୍ତ୍ରର ଆଖ୍ୟା ଦେଇ ତାଙ୍କର ଭାବମୂର୍ତ୍ତିକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଏଭଳି କଳଙ୍କିତ କରାଗଲା ଯେ, ସେ ନିଜକୁୁ ନିଷ୍କଳଙ୍କ ପ୍ରମାଣିତ କରିବାର ସୁଯୋଗ ନଥିଲା । ନିଜ ଉପରେ ଥିବା ଅଖଣ୍ଡ ବିଶ୍ୱାସ ଓ ଗଭୀର ଆସ୍ଥା ଦୃଷ୍ଟିରୁ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟୀକରଣ ନଦେଇ ସେହି ପ୍ରତିକୂଳ ସ୍ରୋତରେ ରହି ସଫଳତାର ପାହାଚ ଚଢ଼ିବାର ପ୍ରୟାସ ଜାରି ରଖିଲେ । ତେବେ କ୍ଷମତା ରାଜନୀତିରେ ଆନୁଗତ୍ୟ ଯେ କ୍ଷଣଭଙ୍ଗୁର ଏହି ବାସ୍ତବତା ବୁଝିବାକୁ ତାଙ୍କୁ ବେଶି ସମୟ ଲାଗିନଥିଲା । ରାଜନୀତି ପାଣିପାଗ ଉପରେ ନିର୍ଭର ନକରି ଅଳ୍ପକିଛି ଅନୁଗତଙ୍କ ସହାୟତାରେ ସେ ଗଢ଼ିଥିବା ଦଳ ପ୍ରତିକୂଳ ପ୍ରଚାର ଓ ନିନ୍ଦାଅପବାଦ ମଧ୍ୟରେ ତିଷ୍ଠି ପାରିନଥିଲା । ତାହାହିଁ ଥିଲା ନୈରାଶ୍ୟର ଅସହାୟତା । ଏହାର ସୁଯୋଗ ନେଇ ଗୋଟିକ ପରେ ଗୋଟିଏ ରୋଗ ତାଙ୍କୁ ସଂକ୍ରମଣ କରିଥିଲା । ଅନେକଙ୍କ ମତରେ ଘଟଣା ପ୍ରବାହ ଯଦି ଭିନ୍ନମୋଡ଼ ନେଇନଥାନ୍ତା ଓ ପୂର୍ବ ଭଳି ତାଙ୍କ ଆଧିପତ୍ୟ ଅକ୍ଷୁଣ୍ଣ ଥାଆନ୍ତା ତେବେ ସେ ଆଜି ବି ବଞ୍ଚିଥାନ୍ତେ ।

କ୍ଷମତାସୀନ ମେଣ୍ଟରୁ ବିଜେପିକୁ ପୃଥକ କରି ୨୦୦୯ରେ ବିଜେଡି ଏକକ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲା । ଏଭଳି ଏକ କଠୋର ନିଷ୍ପତ୍ତି ପଛରେ ପ୍ୟାରୀବାବୁଙ୍କ ନିର୍ଣ୍ଣାୟକ ପଦକ୍ଷେପ ଏବଂ ସୁଚିନ୍ତିତ ରଣକୌଶଳରେ ୧୦୩ ଆସନରୁ ଦଳକୁ ବିଜୟୀ କରିବାର ଭୂମିକା ତାଙ୍କର ପ୍ରଭାବ ଓ ପତିଆରାକୁ ବହୁଗୁଣିତ କରିଥିଲା । ଏଭଳି ପରିସ୍ଥିତିରେ ନିରଙ୍କୁଶ କ୍ଷମତାର ଅଧିକାରୀ ହୋଇଥିବା ବ୍ୟକ୍ତିଟି ମଧ୍ୟ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ । ତେଣୁ ନବୀନ ନିବାସର ନିକଟତମ ଗୋଷ୍ଠୀ ତଥାକଥିତ ଚାଣକ୍ୟଙ୍କୁ ସବୁଦିନ ପାଇଁ ବିଦା କରିବା ସକାଶେ ମସୁଧା ଚଳାଇଲେ । ତାହା ପ୍ୟାରୀଙ୍କ କାନକୁ ଆସିବା ପାଇଁ ଦୁଇବର୍ଷ ଲାଗିଗଲା । ନବୀନ ମଧ୍ୟ ନିଜେ ମାନସିକ ଚାପରେ ଥାଆନ୍ତି । ଏହି ଚାପ ସୃଷ୍ଟିକାରୀ ଗୋଷ୍ଠୀର ପ୍ରଭାବରେ ପ୍ୟାରୀଙ୍କ ଉପରେ ନବୀନଙ୍କ ନିର୍ଭରଶୀଳତା ହ୍ରାସ ପାଇଲା । ଏସବୁ ଜାଣିବା ସତ୍ତ୍ୱେ ପ୍ୟାରୀ ନିଜ ଶୈଳୀରେ କାର୍ଯ୍ୟ କରିଚାଲିଲେ । ୨୦୧୨ ପଞ୍ଚାୟତ ନିର୍ବାଚନ ଏବଂ ତାହା ପୂୂର୍ବରୁ ଉମରକୋଟ ଆସନରେ ଉପନିର୍ବାଚନ ହେଲା । ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଓ ବିଜେପିର ପ୍ରଭାବ ଦୃଷ୍ଟିରୁ ସେ ନିଜେ ଦୀର୍ଘ ସମୟ ଧରି ସେହିସବୁ ଅଞ୍ଚଳରେ ଅବସ୍ଥାନ କରି ପରିସ୍ଥିତିକୁ ସମ୍ଭାଳିଥିଲେ । ଏପରିକି ଉମରକୋଟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ଜଗବନ୍ଧୁ ମାଝିଙ୍କୁ ୨୦୧୧ ସେପ୍ଟେମ୍ବରରେ ମାଓବାଦୀ ହତ୍ୟା କରିବା ପରେ ନଭେମ୍ବରରେ ଅନୁଷ୍ଠିତ ଉପନିର୍ବାଚନ ସେତେବେଳେ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ସେଠାରେ ମାଓବାଦୀ ଧମକ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପ୍ରଭାବକୁ ମୁକାବିଲା କରିବାକୁ ପଡ଼ିଥିଲା । ହାଣମୁହଁକୁ ଯାଇ ନିର୍ବାଚନ ପ୍ରଚାର କରିବ କିଏ ? ଦଳୀୟ ନେତା ଓ ମନ୍ତ୍ରୀ ପଛଘୁଞ୍ଚା ଦେଇଥିବା ବେଳେ ପ୍ୟାରୀ କିଛି ଅନୁଗତଙ୍କୁ ନେଇ ପହଞ୍ଚିଲେ ରଣକ୍ଷେତ୍ରରେ । ବାଧ୍ୟବାଧକତାରେ ଅନ୍ୟ ନେତା ଓ ମନ୍ତ୍ରୀ ଗଲେ ସେଠାକୁ । ସମ୍ଭାବ୍ୟ ମାଓ ଆକ୍ରମଣର ଦୁଇ ଦୁଇଥର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ପଛଘୁଞ୍ଚା ଦେଇନଥିଲେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଓ ଅର୍ଥବଳ ପ୍ରୟୋଗ ସତ୍ତ୍ୱେ ବିଜେଡ଼ି ପ୍ରାର୍ଥୀ ସେଠାରୁ ଜିତିଲେ ।

ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ନବୀନଙ୍କ ଅଣଦେଖା ଓ ତାଙ୍କ ଅଳିନ୍ଦରୁ ପ୍ୟାରୀ ବିରୋଧୀ ଷଡ଼ଯନ୍ତ୍ର ସତ୍ତ୍ୱେ ସେ ତାଙ୍କ ଶୈଳୀରେ କାର୍ଯ୍ୟକରି ନିଜର ନିଷ୍ଠା ଓ ଆନ୍ତରିକତାର ପ୍ରମାଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଲଣ୍ଡନଗସ୍ତ ସମୟରେ ପ୍ୟାରୀ ନିଜର ଅନୁଗତଙ୍କୁ ମେ’୨୯ରେ ଡକାଇ ସେମାନଙ୍କ ଆନୁଗତ୍ୟର ପରୀକ୍ଷା ନେଉଥିଲେ । ଏହି ପରୀକ୍ଷଣ ବେଳେ ବୋମା ଫୁଟାଇବାକୁ ଅପେକ୍ଷା କରିଥିବା ପ୍ୟାରୀ ବିରୋଧୀ ସୁଯୋଗ ହାତଛଡ଼ା କରିନାହାନ୍ତି । ରାଜ୍ୟବାସୀଙ୍କ ମନରେ ପ୍ୟାରୀ ବିରୋଧୀ ବିଷ ବୁଣିବା ପାଇଁ କ୍ଷମତା ଷଡ଼ଯନ୍ତ୍ର ଓ ତତ୍ ସଂଲଗ୍ନ କାଳ୍ପନିକ କାହାଣୀ ସେମାନଙ୍କ ପକ୍ଷରୁ ଖଞ୍ଜି ଦିଆଗଲା । ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦେଇ ସମଗ୍ର ରାଜ୍ୟବାସୀଙ୍କ ନିକଟରେ ପ୍ୟାରୀଙ୍କୁ ଖଳନାୟକ ରୂପେ ପ୍ରଦର୍ଶନ କରାଗଲା । ନବୀନଙ୍କୁ ନିଷ୍କଳଙ୍କ ଭାବମୂର୍ତ୍ତି ରୂପେ ଉପସ୍ଥାପନ କରି ଭୋଟ ସଂଗ୍ରହ ପାଇଁ ପ୍ୟାରୀ ଯେଉଁ କ୍ଷେତ୍ର ପ୍ରସ୍ତୁତି କରିଥିଲେ ତାହାର ସେ ନିଜେ ଶିକାର ହେଲେ । ନବୀନଙ୍କ ‘ବେଇମାନ’ ମନ୍ତବ୍ୟ ପ୍ୟାରୀଙ୍କୁ ଖୁବ୍ ବାଧିଥିଲା । ତୃଣମୂଳସ୍ତରରୁ ଦଳକୁ ସଙ୍ଗଠିତ କରି ଏକ ମହାଦ୍ରୁମରେ ପରିଣତ କରିଥିବା ପ୍ୟାରୀଙ୍କୁ ଶେଷରେ ବେଇମାନ ‘ଇନାମ’ ମିଳିଲା । ସେଥିରେ ସେ ମାନସିକ ସ୍ତରରେ କେବଳ ଭାଙ୍ଗି ପଡ଼ିନଥିଲେ, ଲୁଚି ଛପିଥିବା ରୋଗ ମଧ୍ୟ ତାଙ୍କୁ କବଳିତ କରି ପକାଇଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ଯେଉଁ ଅଭ୍ୟୁଦୟ ଘଟିଛି ତାହାକୁ ଦେଖି ଅନେକେ ଏବେ ମଧ୍ୟ କହନ୍ତି ପ୍ୟାରୀବାବୁ ଥିଲେ ଦଳକୁ ଏହି ପରିଣତି ଭୋଗିବାକୁ ପଡ଼ିନଥାନ୍ତା ।

ପଶ୍ଚିମବଙ୍ଗ ରାଜନୀତିରେ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କ ଲମ୍ବା ଇନିଂସ୍ ପଛରେ ଥିବା ଜଣେ ଏକନିଷ୍ଠ ସାଧକଙ୍କୁ ସିପିଏମ୍ ନେତା ଓ କର୍ମୀ ଭୁଲିନାହାନ୍ତି । ସେ ଥିଲେ ଦଳର ସାଧାରଣ ସମ୍ପାଦକ ପ୍ରମୋଦ ଦାସଗୁପ୍ତ । ସଙ୍ଗଠନର କ୍ଷେତ୍ରକୁ ସେ ଏଭଳି ସୁଦୃଢ଼ କରିଥିଲେ ଯେ, ତାହାକୁ ଭେଦ କରିବା ପ୍ରତିପକ୍ଷଙ୍କ ପକ୍ଷରେ ସମ୍ଭବ ନଥିଲା । ସେହିଭଳି ଦକ୍ଷତା ଥିଲା ପ୍ୟାରୀବାବୁଙ୍କର । ୧୨ ବର୍ଷର ତପସ୍ୟା ଓ ସାଧନା ସତ୍ତ୍ୱେ ଜଣେ କଳଙ୍କିତ ନାୟକ ରୂପେ ସେ ବିଦାୟ ନେଇଛନ୍ତି ।

କାନନ ଦାଶ

ବରିଷ୍ଠ ସାମ୍ବାଦିକ

Previous ଫିଲ୍ଡିଂରେ ଉଡନ୍ତା ଚଢେଇ ଜଣ୍ଟି
Next ରେଳବାଇ କ୍ୟାଟରିଂରେ ଠକେଇ

No Comment

Leave a reply

Your email address will not be published. Required fields are marked *