ଅପହଞ୍ଚ ଦୂରତ୍ୱରେ କ୍ଷମତା

panchayat election - 2017

ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ରାଜ୍ୟର ଗ୍ରାମାଞ୍ଚଳ ଭୋଟର ମତଦାନ କରିଥାନ୍ତି। ସହରାଞ୍ଚାଳ ମତଦାତାଙ୍କ ଅପେକ୍ଷା ଗ୍ରାମାଳଞ୍ଚ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୋଟବ୍ୟାଙ୍କ। ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସେହି ଗ୍ରାମାଞ୍ଚଳର ହିତାଧିକାରୀଙ୍କୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ହୋଇଥାଏ। ନବୀନଙ୍କ ଭାବମୂର୍ତ୍ତି ଓ ନିଷ୍କଳଙ୍କ ବ୍ୟକ୍ତିତ୍ୱ ସହ ଗାଁଗହଳର ଲୋକେ ଏଭଳି ଯୋଡ଼ି ହୋଇଯାଇଛନ୍ତି ଯେ, ସେମାନଙ୍କ ନିକଟରେ ପ୍ରଥମ ପସନ୍ଦ ରାଜନୈତିକ ଦଳ ବିଜେଡି ରହିଆସିଛି। ଓଡ଼ିଆ କହିପାରୁନଥିଲେ ମଧ୍ୟ ରୋମାନ ଲିପିରେ ପ୍ରସ୍ତୁତ ନବୀନଙ୍କ ଭାଷଣର ଉଚ୍ଚାରଣ ଯାହା ହେଉନା କାହିଁକି, ସେ ପ୍ରଚାର ନାଁରେ ଘେରେ ବୁଲି ଆସିଲେ ବିଜେଡି ସପକ୍ଷରେ ଭୋଟ ଓଜାଡ଼ି ହୋଇ ପଡ଼ୁଥିଲା। ନବୀନଙ୍କ ନେତୃତ୍ୱ ଦଳ ପାଇଁ ଭୋଟ ସଂଗ୍ରହ କରିପାରୁଥିବାରୁ ତାଙ୍କ ନିଷ୍ପତ୍ତି ଓ ନିର୍ଦ୍ଧେଶକୁ ପ୍ରତିରୋଧ କରିବାର ସାହସ କାହାର ନାହିଁ। ପରିସ୍ଥିତି ଏପରି ହୋଇଗଲା ଯେ, କେବଳ ଦଳୀୟ ଟିକେଟ ମିଳିଗଲେ ବିଜୟ ନିଶ୍ଚିତ ଆଶାକରି ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜୟ ବ୍ୟବଧାନ ହ୍ରାସ ଏବଂ କେବଳ ୧୭ଟି ଜିଲ୍ଳାରେ ପରିଷଦ ଗଠନ କରିବାକୁ ଦଳ ସମର୍ଥ ହୋଇଥିବାରୁ ନବୀନଙ୍କ ନେତୃତ୍ୱର ପତିଆରା ହ୍ରାସ ପାଇଛି ବୋଲି ଅନେକେ ମନେ କରୁଛନ୍ତି। କିଛି ପ୍ରମୁଖ ମନ୍ତ୍ରୀ ଏବଂ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଆସନରେ ବିଜେଡିର ପରାଜୟ ଦୃଷ୍ଟିରୁ ସେମାନେ ନେତୃତ୍ୱର ନାଲିଆଖି ଓ ସ୍ଥଳବିଶେଷରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ପର୍ଯ୍ୟବେକ୍ଷକଙ୍କ ମହଲରେ ବିଚାର ବିମର୍ଶ ଚାଲିଛି। କିନ୍ତୁ ଆମ ଜାଣିବାରେ ସେଭଳି କିଛି ଆଶଙ୍କା ଅମୂଳକ। ବରଂ ନେତୃତ୍ୱ ନିଜର ପ୍ରଭାବ ଓ ପତିଆରା ପ୍ରତି ଲୋକଙ୍କ ଆସ୍ଥା ହ୍ରାସ ପାଉଥିବା ଘେନି ବିଚଳିତ ଅବସ୍ଥାରେ ଥିବା କୁହାଯାଇପାରେ। ଯେତେଦୂର ମନେହୁଏ, ନବୀନ ଏଣିକି ପ୍ରଶାସନ ଉପରେ ଆଉ ଅଧିକ ନିର୍ଭର ନକରି ଦଳର କିଛି ପୁରୁଣା ନେତାଙ୍କ ସହାୟତା ଲୋଡ଼ିବେ। ପରାଜୟ କିମ୍ବା ବିପର୍ଯ୍ୟୟ ପାଇଁ କାହାକୁ ଦୋଷାରୋପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେମାନେ ଯେ ବିଜେପି ଆଡ଼କୁ ନମୁହାଁଇବେ ଏକଥା କିଏ କହିବ? ଏମିତିରେ ଦଳର କିଛି ମନ୍ତ୍ରୀ ଓ ପ୍ରମୁଖ ନେତାଙ୍କ ବିଜେପି ସହ ଗୋପନ ସମ୍ପର୍କ ଘେନି ଗୁଞ୍ଜରଣ ମୁଣ୍ଡ ଟେକିଛି। ପ୍ରଶାସନ ଦ୍ୱାରା ବାରମ୍ବାର ହିନସ୍ଥା ଓ ଅପଦସ୍ଥ ହେଉଥିବା ଦଳୀୟ ନେତାଙ୍କୁ ସେ ନିଜ ଆଡ଼କୁ ଆପଣାଇବା ସକାଶେ ନିଶ୍ଚୟ ଚେଷ୍ଟିତ ହେବେ। ତେଣୁ ପରାଜୟ ପାଇଁ ମୁହଁ ଶୁଖାଉଥିବା ଦଳୀୟ ନେତାଙ୍କ ମନରେ ଏବେ କିଛି ନୂତନ ସମ୍ଭାବନାର ବୀଜ ଉଙ୍କି ମାରୁଛି।

ରାଜ୍ୟ ବିଧାନସଭା ନିର୍ବାଚନ ୨୦୧୯ରେ ହେବା ପୂର୍ବରୁ ସହରାଞ୍ଚଳ ‘ଲୋକାଲ ବଡି’ ନିର୍ବାଚନ ହେବ। ସେତେବେଳେ ଲୋକପ୍ରିୟତା ପ୍ରଦର୍ଶନ ସକାଶେ ବିଜେଡି ଓ ବିଜେପି ମଧ୍ୟରେ ପୁଣି ବଳକଷାକଷି ହେବ। ପଞ୍ଚାୟତିରାଜ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବିଜେପି ସହରାଞ୍ଚଳ ଭୋଟରଙ୍କ ମନ କେତେଦୂର କିଣି ପାରିଛି ତାହାର ପ୍ରମାଣ ଦେବାକୁ ପଡ଼ିବ। ରାଜ୍ୟ କ୍ଷମତା ରାଜନୀତିର ଫାଇନାଲ ରାଉଣ୍ଡକୁ ଯିବା ପୂର୍ବରୁ ଦଳ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବାକୁ କେତେଦୂର ସମର୍ଥ ତାହାର ଅଗ୍ନିପରୀକ୍ଷା ହେବ ‘ଲୋକାଲ ବଡି’ ନିର୍ବାଚନ। କାରଣ ମନେରଖିବାକୁ ହେବ ଯେ, ବିଜେପି ନିଜର ସାଙ୍ଗଠନିକ ଦକ୍ଷତା ବଳରେ ଏହି ସଫଳତା ହାସଲ କରିନାହିଁ। ୧୭ ବର୍ଷ ଶାସନର ବିକଳ୍ପ ଖୋଜୁଥିବା ରାଜ୍ୟବାସୀ ଅସଂଗଠିତ କଂଗ୍ରେସ ଠାରୁ ମୁହଁ ଫେରାଇ ବିଜେପିକୁ ଭୋଟ ଦେଇଛନ୍ତି। ଯଦି ଦଳର ସେଭଳି ସାଂଗଠନିକ ସାମର୍ଥ୍ୟ ଥା’ନ୍ତା ତେବେ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିଜ ଜିଲ୍ଲା ନୂଆପଡ଼ାରେ ଦଳ ଖାତା ଖୋଲି ନପାରିବା ଭଳି ଅବସ୍ଥା ସୃଷ୍ଟି ହୋଇନଥା’ନ୍ତା। ଦଳ ଭିତରେ ସୃଷ୍ଟି ହୋଇଥିବା ଉତ୍ସାହ ଓ ଉଦ୍ଧୀପନାରୁ ସଭାପତି ବାଦ ପଡ଼ିଥିବା ଭଳି ମନେହେଉଛି। ଦଳର ଆଶାୟୀ ପ୍ରମୁଖ ନେତା ହଠାତ୍ କିଛି ସାଂଗଠନିକ ବିଶୃଙ୍ଖଳା ନକରି ନିଜ ଭିତରେ ସଦ୍ଭାବ ଓ ସହଯୋଗିତା ରକ୍ଷା କରିବା ସବୁଠାରୁ ବଡ଼ କଥା। ଏବେ ମଧ୍ୟ ବିଜେପିର କିଛି ନେତା ମୋଦି ହାୱା ନେଇ ଆଶାବାଦୀ। ୨୦୧୪ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ନବୀନ ଓ ମୋଦି ଗତ ତିନି ବର୍ଷର କ୍ଷମତା ରାଜନୀତିରେ ଲୋକପ୍ରିୟତା ହରାଇଥିବାରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ପାଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଫଳ ଘେନି ବିଜେପିର ଆଭ୍ୟନ୍ତରୀଣ ମହଲ ସେଭଳି ଆଶାବାଦୀ ନୁହନ୍ତି। ତେଣୁ ବିଜୟ ଧାରା ଅବ୍ୟାହତ ରଖିବାକୁ ହେଲେ ଓଡ଼ିଶାରେ ବିଜେପିର ସାଂଗଠନିକ ଭିତ୍ତିଭୂମି ସୁଦୃଢ଼ ହେବା ଆବଶ୍ୟକ। କ୍ଷମତାର ଅପହଞ୍ଚ ଦୂରତ୍ୱରେ ରହି ସମ୍ଭାବନାର ଫସଲ ଅମଳ ପାଇଁ ପାଗ ଭିଡ଼ିବା କେବେ ବୁଦ୍ଧିମାନର କାର୍ଯ୍ୟ ନୁହେଁ।

କାନନ ଦାଶ, ବରିଷ୍ଠ ସାମ୍ବାଦିକ

 

Previous ଗିନି ଘାସ ଚାଷ
Next ମଧୁର ଜଳ ଚିଙ୍ଗୁଡ଼ି ଚାଷ

No Comment

Leave a reply

Your email address will not be published. Required fields are marked *