ବିଜେଡିରେ ବିଦ୍ରୋହର ପୂର୍ବାଭାସ !

Odisha Politics

କୌଣସି ପ୍ରକାର ବିଜେଡି ଟିକଟ ହାସଲ କରିପାରିଲେ ଓଡିଶା ରାଜନୀତିରେ ନିର୍ବାଚନ ଜିତିବା ସହଜ । ଟିକଟ ହାସଲ ପରେ ପ୍ରାର୍ଥୀଙ୍କ ବିଜୟ ପାାଇଁ ନବୀନଙ୍କ ଭାବମୂର୍ତ୍ତି ହିଁ ଯଥେଷ୍ଟ । ଯେକୌଣସି ଦଳୀୟ ରାଜନୀତିରେ ଯେପର୍ଯ୍ୟନ୍ତ ଦଳର ନେତୃତ୍ୱ ଭୋଟ ସଂଗ୍ରହ କରିବାକୁ ସମର୍ଥ ସେପର୍ଯ୍ୟନ୍ତ ତାଙ୍କ ଏକାଧିପତ୍ୟକୁ ଅନ୍ୟମାନେ ବରଦାସ୍ତ କରିଥାନ୍ତି । ଏବେ କିନ୍ତୁ ସ୍ଥିତି ବଦଳିଛି । ଚଳିତ ପଞ୍ଚାୟତ ନିର୍ବାଚନ ପରେ ନବୀନଙ୍କ ନେତୃତ୍ୱ ନେଇ କେତେକ ମହଲରେ ସୃଷ୍ଟି ହୋଇଛି ସଂଶୟ । ତୃତୀୟ ମହଲାରୁ ବ୍ୟୁରୋକ୍ରାଟଙ୍କ ମାଧ୍ୟମରେ ଦଳୀୟ ସଙ୍ଗଠନ ଓ ପ୍ରଶାସନକୁ ନିୟନ୍ତ୍ରଣ କରି ଆସୁଥିବା ନବୀନଙ୍କ କାର୍ଯ୍ୟଶୈଳୀ ବିରୋଧରେ ମନ୍ତ୍ରୀ ଓ ଦଳୀୟ ନେତାଙ୍କ ମହଲରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲେ ମଧ୍ୟ କେହି ମୁହଁ ଖୋଲୁନଥିଲେ । ବ୍ୟୁରୋକ୍ରାଟଙ୍କୁ ସଲାମ ପକାଇବାକୁ ନାପସନ୍ଦ କରୁଥିବା ନେତା ସଂପ୍ରତି ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ସମବାୟ ଓ ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଧାନସଭାରେ ବକ୍ତବ୍ୟ ରଖି ନିଜର ଅସହାୟତା ପ୍ରକାଶ କରିବା ସହ ବ୍ୟୁରୋକ୍ରାଟ ପ୍ରୟୋଗ କରୁଥିବା ଶୃଙ୍ଖଳାର ବାଧ୍ୟବାଧକତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହାକୁ କେନ୍ଦ୍ର କରି ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ବିତର୍କର ଝଡ ଥମିବା ପୂର୍ବରୁ ସାଂସଦ ତଥାଗତ ଶତପଥୀ ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଟୁଇଟର ବାଣ କେବଳ ପରସ୍ପରକୁ ଘାଇଲା କରିନି, ଦଳର ବିଶୃଙ୍ଖଳାକୁ ପଦାରେ ପକାଇଦେଇଛି । କଠୋର ଶୃଙ୍ଖଳା ପ୍ରୟୋଗ କରି ପରିସ୍ଥିତି ସୁଧାରିବାରେ ନବୀନଙ୍କ ପଛଘୁଞ୍ଚାରୁ ସ୍ପଷ୍ଟ ଯେ ଦଳ ଉପରୁ ସେ କ୍ରମେ ନିୟନ୍ତ୍ରଣ ହରାଉଛନ୍ତି ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କୁ ଅବଜ୍ଞା କରି ଯେଉଁଠି ବ୍ୟୁରୋକ୍ରାଟ ଶାସନର ଲଗାମ ଧରିବା ସହ ନିଜ ଶୈଳୀରେ ଠୋସ୍ ନିଷ୍ପତ୍ତି ନିଅନ୍ତି ସେଠାରେ ରାଜ୍ୟ ବା ଦେଶବାସୀଙ୍କ ସ୍ୱର ନରମି ଯାଏ । ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ଧୂଳିସାତ୍ ହୋଇଯାଏ । ସହଯୋଗୀଙ୍କ ଉପରେ ବିଶ୍ୱାସ ନଥିବା ନେତୃତ୍ୱ କେବଳ ବ୍ୟୁରୋକ୍ରାଟଙ୍କ ଉପରେ ନିର୍ଭର କରି ଭାବମୂର୍ତ୍ତିର ପତିଆରାରେ ଅନ୍ୟମାନଙ୍କୁ ଦମନ କରିଥାଏ । ଅଥଚ ଆମର ସମ୍ବିଧାନ ପ୍ରଣେତାମାନେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର କାର୍ଯ୍ୟ ପରିସର ନିର୍ଦ୍ଧାରଣ କରିଛନ୍ତି । ଏଥିରେ ବ୍ୟତିକ୍ରମ ଘଟିଲେ ଗଣତନ୍ତ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବ୍ୟାହତ ହେବ । ସେହିଭଳି ବିପୁଳ ଜନାଦେଶରେ ବଳିୟାନ ସରକାରଙ୍କୁ ଏକଛତ୍ରବାଦୀ ହେବାକୁ ନଦେବା ସକାଶେ ସାମ୍ବିଧାନିକ ସଙ୍ଗଠନ ଓ ପଦପଦବୀ ମଧ୍ୟ ରହିଛି । ସେମାନଙ୍କ ନିଷ୍ପକ୍ଷ ଓ ନିରପେକ୍ଷ କାର୍ଯ୍ୟାନ୍ୱୟନ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍କୁଶ ପ୍ରୟୋଗ କରିଥାଏ । ଏବେ କ୍ଷମତାରେ ଥିବା ଏନ୍ ଡି ଏ ସରକାର ସେହି ସ୍ୱାଧୀନ ସଂସ୍ଥାଗୁଡିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହୋଇଛନ୍ତି । କେନ୍ଦ୍ର ଓ ରାଜ୍ୟରେ ଉପୁଜିଥିବା ଏହି ପରିସ୍ଥିତି ଗଣତାନ୍ତ୍ରିକ ଢାଞ୍ଚାରେ ଗୁରୁତର ବିଭ୍ରାଟ ସୃଷ୍ଟି କରିବାକୁ ଯାଉଥିଲେ ହେଁ ପ୍ରତିବାଦର ସ୍ୱର ସେଭଳି ଶାଣିତ ହୋଇନାହିଁ ।

ଓଡିଶାରେ ଥିବା ଚିନିକଳର ସ୍ଥିତି ଓ ଆଖୁଚାଷୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବିଧାନସଭା ଆଲୋଚନାରେ ଅଂଶଗ୍ରହଣ କରି ସମବାୟ ମନ୍ତ୍ରୀ କହିଲେ ଯେ ବ୍ୟୁରୋକ୍ରାଟମାନେ ତାଙ୍କ କଥା ଶୁଣୁନାହାଁନ୍ତି କି ନିର୍ଦ୍ଦେଶ ମାନୁନାହାଁନ୍ତି । ତାଙ୍କର ଦକ୍ଷତା ଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ସେ କେବଳ ଅସହାୟ ନୁହଁନ୍ତି ଲଜ୍ଜିତ ମଧ୍ୟ । ଜଣେ ଅଭିଜ୍ଞ ଓ ଦକ୍ଷ ମନ୍ତ୍ରୀଙ୍କ ଏ ପ୍ରକାର ମନ୍ତବ୍ୟ ଘେନି କାହାର ସନ୍ଦେହ କରିବାର ଅବକାଶ ନାହିଁ । ରାଜ୍ୟରେ ବ୍ୟୁରୋକ୍ରାଟଙ୍କ ପ୍ରଭାବ ଓ ପତିଆରା ଆଉ କାହାକୁ ଅଛପା ନାହିଁ । ଘରୋଇ ଭାବେ ଅଧିକାଂଶ ମନ୍ତ୍ରୀ ସ୍ୱୀକାର କରୁଛନ୍ତି ସତ, ମୁହଁ ଖୋଲିବାର ସାହସ ନାହିଁ । ଦାମ ବୋମା ଫୁଟାଇ ଦେଇ ବାହାଦୂରି ନେଉଥିଲେ ମଧ୍ୟ ତାଙ୍କ ଭଳି ଚତୁର ଓ କୁଶଳୀ ମନ୍ତ୍ରୀଙ୍କଠାରୁ ଏହି ଅନୈତିକତା ଆଶା କରାଯାଉନଥିଲା । ଗୃହରେ ସେ ରାଜ୍ୟ ମନ୍ତ୍ରିମଣ୍ଡଳକୁ ପ୍ରତିନିଧିତ୍ୱ କରୁଥିବାବେଳେ ଗୃହରେ ଏପ୍ରକାର ମନ୍ତବ୍ୟ ଦେଲେ କିପରି? ପରୋକ୍ଷରେ ବ୍ୟୁରୋକ୍ରାଟଙ୍କ ପ୍ରାଧାନ୍ୟକୁ ସରକାର ସ୍ୱୀକାର କରୁଛନ୍ତି ବୋଲି ମାନି ନେବାକୁ ହେବ । ଏହି ଚରମ ବିଶୃଙ୍ଖଳା ପାଇଁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତାଙ୍କୁ କେହି ତାଗିଦ ବି କରିନାହାଁନ୍ତି । ବରଂ ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ଆବଶ୍ୟକ ମନେକଲେ ମନ୍ତ୍ରୀପଦରୁ ଇସ୍ତଫା ଦେଇପାରିଥାନ୍ତେ । ଏବେ ସାଂସଦ ତଥାଗତ ଓ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଟୁଇଟର ଲଢେଇ ରାଜ୍ୟର ରାଜନୈତିକ ପରିସ୍ଥିତିରେ ଉଷ୍ମତା ଭରିଦେଇଛି । ଏହାଛଡା ଇଂରାଜୀ ଏବଂ ଓଡିଆ ଦୈନିକରେ ପ୍ରକାଶିତ ବୈଜୟନ୍ତଙ୍କ ରାଜନୈତିକ ସମୀକ୍ଷାମୂଳକ ପ୍ରବନ୍ଧରୁ ସ୍ପଷ୍ଟ ହୋଇଛି ଯେ ଦଳରେ ପରିଲକ୍ଷିତ ସାଙ୍ଗଠନିକ ଦୁର୍ବଳତାର ସୁଯୋଗ ନେଉଛି ବିଜେପି । ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ୱାଇଁ ଏହି ଅସନ୍ତୋଷ ନିଆଁରେ ଝୁଣା ପକାଇଦେଇ ଧୂଆଁର କୁହେଳିକା ସୃଷ୍ଟି କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଦଳର ସାଙ୍ଗଠନିକ ଫୋରମ୍ ରେ ଏହି ପ୍ରସଙ୍ଗ ନଉଠାଇ ଗଣମାଧ୍ୟମରେ କାହିଁକି ବିତର୍କ ଚାଲିଛି? ଯେଉଁଠି ଦଳୀୟ ସଙ୍ଗଠନ କହିଲେ ଜଣକୁ ବୁଝାଏ, ବିନା ଆଲୋଚନା ସମାଲୋଚନାରେ ତାଙ୍କ ନିର୍ଦ୍ଦେଶ ହିଁ ସର୍ବମାନ୍ୟ ହୋଇଥାଏ ସେଠାରେ କିଏ କାହାକୁ କହିବ ଓ କିଏ ଶୁଣିବ? ଏହା ହେଲା ବିଜେଡି ସଙ୍ଗଠନର ହାଲ । ଅନ୍ୟ ଦିଗଟି ହେଲା ଏପର୍ଯ୍ୟନ୍ତ ଯାହାଙ୍କ ଭାବମୂର୍ତ୍ତିରେ ଦଳ ଭୋଟ ସାଉଁଟୁଥିଲା ଚଳିତ ପଞ୍ଚାୟତ ନିର୍ବାଚନ ପରେ ବିକଳ୍ପ ଶକ୍ତିର ଅଭ୍ୟୁଦୟ ସେଥିରେ ସନ୍ଦେହର କାଳିମା ଲେପିଛି । ଦଳର ବିଭିନ୍ନ ମହଲରେ ଏହାକୁ କେନ୍ଦ୍ର କରି ଯେଉଁ ସଂଶୟ ଓ ଅନିଶ୍ଚୟତା ସୃଷ୍ଟି ହୋଇଛି ତାହାର ପ୍ରତିଫଳନ ଘଟିଛି ଏହି ବିବୃତି ଝଡରେ । ବାକି ରହିଲା ବୈଜୟନ୍ତ ପଣ୍ଡାଙ୍କ କଥା । ଉପୁଜିଥିବା ପରିସ୍ଥିତିର ସୁଯୋଗ ନେଇ ତାଙ୍କୁ ପ୍ରତିପକ୍ଷ ଯେ ଅସ୍ତ୍ର ରୂପେ ବ୍ୟବହାର ନକରୁଛି କିଏ କହିବ? କ୍ରମାଗତଭାବେ ସେ ମୋଦି ସରକାରଙ୍କ ସପକ୍ଷରେ ବିଜେଡି ସାଂସଦ ହୋଇ ରାଜନୈତିକ ସମୀକ୍ଷା କରୁଥିବାବେଳେ ଏବେ ନିଜ ଦଳର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ କିଛି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି । ତେଣୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ୱାଭାବିକ । ଏପ୍ରିଲରେ ହେବାକୁଥିବା ବିଜେପି କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପ୍ରେକ୍ଷାପଟ୍ଟରେ ବୈଜୟନ୍ତଙ୍କ ଏହି ସୂତ୍ରଧର ଭୂମିକା ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

କାନନ ଦାଶ

ବରିଷ୍ଠ ସାମ୍ବାଦିକ

 

Previous ବିଶ୍ୱଜିତଙ୍କ ନିଆରା ପ୍ରେମ, ପ୍ରୀତି ଉପହାର
Next ସଜନା ଚାଷ: ଖର୍ଚ୍ଚ କମ୍, ଲାଭ ଅଧିକ

No Comment

Leave a reply

Your email address will not be published. Required fields are marked *