ଅମିତ ଶାହାଙ୍କ ବାଚଳାମିରୁ ବିଭ୍ରାନ୍ତି

Odisha Politics

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶାଗସ୍ତ ରାଜ୍ୟର ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ସ୍ୱଭାବିକ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଭାବମୂର୍ତ୍ତିର ଛବିକୁ ମଳିନ ନକଲେ ତାଙ୍କ ଦଳ ଯେ କ୍ଷମତାକୁ ଆସିପାରିବ ନାହିଁ ଏକଥା ଅମିତ ବେଶ ଭଲଭାବେ ବୁଝିସାରିଛନ୍ତି । ତେଣୁ ତାଙ୍କ ଆକ୍ରମଣର କେନ୍ଦ୍ରବିନ୍ଦୁ ହୋଇଛନ୍ତି ନବୀନ । ରାଜ୍ୟ ବିଧାନସଭାରେ ଦଳର ଆସନ ସଂଖ୍ୟା ୧୦ରୁ ୧୨୦କୁ ବୃଦ୍ଧିକରି କ୍ଷମତା ଦଖଲର ଅମିତ ପରାକ୍ରମ ପ୍ରଦର୍ଶନ କରିଥିବା ଶାହା ହଠାତ୍ ନିଜ ଘୋଷଣାକୁ ଢୋକି ଗିଳିଥିବା ଭଳି ମନେ ହେଉଛି । କାରଣ ଓଡ଼ିଶା ପାଇଁ ମଣିପୁର ଫର୍ମୁଲା ପ୍ରସ୍ତୁତି ଓ ପରିବାର ବାଦ ଭଳି ଦୁଇଟି ବିବାଦୀୟ ମନ୍ତବ୍ୟ ଦେଇ ସେ ଏବେ ‘ବ୍ୟାକ୍ ଫୁଟ୍’ରେ ଥିବା ଭଳି ମନେ ହେଉଛି । ଓଡ଼ିଶା ରାଜନୀତିରେ ନବୀନଙ୍କ ନେତୃତ୍ୱକୁ ପ୍ରକଳ୍ପିତ କରି ୯ ବର୍ଷ କ୍ଷମତାରେ ଅଂଶୀଦାର ହୋଇଥିବା ବିଜେପି ମୁହଁରେ ପରିବାରବାଦ ଆଦୌ ଶୋଭା ପାଉନି । ନବୀନଙ୍କ ନେତୃତ୍ୱକୁ ଆଧାର କରି ନିଜ ପାଇଁ ରାଜ୍ୟରେ ଚାରା ରୋପଣ କରିଥିବା ବିଜେପିର ଆସନ ସଂଖ୍ୟା ୧୦କୁ ହ୍ରାସ ପାଇବା ଦଳୀୟ ଶକ୍ତି ଓ ସାମର୍ଥ୍ୟକୁ ଇଙ୍ଗିତ କରୁଛି । ସରକାର ବିରୋଧୀ ଭୋଟର ଧ୍ରୁବୀକରଣ ମାଧ୍ୟମରେ ବିଜେପି ଗତ ପଞ୍ଚାୟତ ନିର୍ବାଚନରେ ଯେଉଁ ସଫଳତା ହାସଲ କରିଛି ତାହାର ପୁନରାବୃତ୍ତି ୨୦୧୯ ସାଧାରଣ ନିର୍ବାଚନରେ ହେଲେ ମଧ୍ୟ ଦଳ ଯେ କ୍ଷମତାକୁ ଆସିପାରିବ ଏକଥା ନୁହେଁ । ସେଥିରେ ପୁଣି ମଣିପୁର ଫର୍ମୁଲା କଥା ଉଲ୍ଲେଖ କରି ଅମିତ ଶାହା ସ୍ପଷ୍ଟ କରିଦେଇଛନ୍ତି ଯେ, ଓଡ଼ିଶା କ୍ଷମତା ରାଜନୀତିରେ ଦଳ ୧୨୦ ଆସନ ହାସଲ କରିବା ତ ଦୂରର କଥା ସଖ୍ୟାଗରିଷ୍ଠତାକୁ ଛୁଇଁବା ମଧ୍ୟ ସହଜ ନୁହେଁ । ‘ବ୍ୟାକ୍ ଡୋର୍’ ରାଜନୀତିରେ ସୁଦକ୍ଷ ଅମିତ ରାଜ୍ୟପାଳଙ୍କ ମାଧ୍ୟମରେ ଦଳ ବଦଳକୁ ଉତ୍ସାହିତ କରି ଯେକୌଣସି ପ୍ରକାରେ କ୍ଷମତା ହାସଲ କରିବାର ସୂଚନା ଦେଇଛନ୍ତି ।
ମଣିପୁର ଫର୍ମୁଲା କ’ଣ ତାହାର ସ୍ପଷ୍ଟଚିତ୍ର ଏଠାରେ ଉପସ୍ଥାପନ ନକଲେ ରାଜ୍ୟବାସୀଙ୍କ ମଧ୍ୟରେ ଅମିତଙ୍କ ଯାଦୁକୁ ନେଇ ନିଶ୍ଚୟ ଭିନ୍ନ ଧାରଣା ସୃଷ୍ଟି ହେବ । ଗତ ମାର୍ଚ୍ଚ ମାସରେ ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୨୮ ଆସନ ହାସଲ କରି କଂଗ୍ରେସ ସର୍ବୋତ୍ତମ ଦଳର ମାନ୍ୟତା ପାଇଥିଲା । ଏହାସତ୍ତ୍ୱେ ସେଠାରେ ବିରେନ୍ଦ୍ର ସିଂହଙ୍କର ନେତୃତ୍ୱରେ ବିଜେପି ସରକାର ଗଠନ କରିବାକୁ ସମର୍ଥ ହୋଇଛି । ବିଜେପି ୨୧ଟି ଆସନରେ ବିଜୟୀ ହୋଇଥିବାରୁ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଅନ୍ୟୁନ ଆଉ ୧୦ ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକ ଥିଲା । ତେଣୁ ମଣିପୁରର ଆଳିକ ଦଳ NPF, NPP ଓ LJP ଦଳର ୯ଜଣ ଏବଂ ଜଣେ ସ୍ୱାଧୀନ ସଭ୍ୟଙ୍କ ସମର୍ଥନ ସଂଗ୍ରହ କରି ବିଜେପି ମଣିପୁରରେ କ୍ଷମତାସୀନ ହୋଇଛି । ଏଠାରେ ଆମେ ସୂଚାଇଦେବାକୁ ଚାହୁଁ ଯେ, ମାର୍ଚ୍ଚ ନିର୍ବାଚନରେ ମଣିପୁର ଓ ଗୋଆରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିନଥିଲେ ମଧ୍ୟ ବୃହତ୍ତମ ଦଳରୂପେ ସରକାର ଗଠନ ପାଇଁ ପ୍ରଥମେ ସୁଯୋଗ ପାଇବାକୁ ହକଦାର୍ । ଏକଥା ଉଲ୍ଲେଖ କରିବାର ଉଦ୍ଧେଶ୍ୟ ହେଲା, ପ୍ରଚଳିତ ରାଜନୈତିକ ଧାରା ଯାହା ସେଥିରେ ଯେଉଁ ଦଳ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ଆମନ୍ତ୍ରିତ ହେବ କ୍ଷମତାରେ ଅଂଶୀଦାର ଓ ମନ୍ତ୍ରୀପଦ ଲୋଭରେ ଛୋଟଛୋଟ ଦଳ ତାହାକୁ ସମର୍ଥନ ଦେବାକୁ ଆଗେଇ ଆସନ୍ତି । କୌଣସି ଦଳ ସପକ୍ଷରେ ସ୍ପଷ୍ଟ ବହୁମତ ନଥିବା ଦୃଶ୍ୟପଟ୍ଟରେ ରାଜ୍ୟପାଳଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ମୋଦି ସରକାର ଏଭଳି ଏକ ସମ୍ଭାବନାକୁ ଦୃଷ୍ଟିରେ ରଖି କିଛି ଅନୁଗତ ବ୍ୟକ୍ତିତ୍ୱଙ୍କୁ ରାଜ୍ୟପାଳ ରୂପେ ବିଭିନ୍ନ ରାଜ୍ୟରେ ଅବସ୍ଥାପିତ କରିଛନ୍ତି । ଯିଏ କି ବିଜେପି ସଂଖ୍ୟାଗରିଷ୍ଠତା ହାସଲ ନକରିପାରିଲେ ମଧ୍ୟ ଦଳ କିଭଳି କ୍ଷମତାସୀନ ହୋଇପାରିବ ସେଥିସକାଶେ କ୍ଷେତ୍ର ପ୍ରସ୍ତୁତ କରିବେ । ତେବେ ଓଡ଼ିଶା ପାଇଁ ମଣିପୁର ଫର୍ମୁଲାର ଆବଶ୍ୟକତା କ’ଣ ଅଛି? ରାଜ୍ୟ ରାଜନୀତିରେ କ୍ଷମତାସୀନ ବିଜେଡିକୁ ବାଦ ଦେଲେ କଂଗ୍ରେସ ଓ ବିଜେପି କେବଳ ବିଧାନସଭାରେ ନିଜର ସ୍ଥିତି ଜାହିର କରିବାକୁ ସମର୍ଥ । ଯଦି ମଣିପୁର ଭଳି ଏଠାରେ ଝୁଲା ବିଧାନସଭା ହୁଏ ତେବେ ବିଜେପି କେଉଁ ଦଳ ସମର୍ଥନରେ ସରକାର ଗଠନ କରିବ? ସ୍ୱଭାବିକ ଭାବେ ଯେ କେହି ଆଶା କରିବ କଂଗ୍ରେସକୁ ସାଥୀରେ ନେଇ ବିଜେପି ସରକାର ଗଠନ କରିବ ନଚେତ ବିଜେଡିରେ ବିଭାଜନ ଘଟାଇବ । ଅମିତଙ୍କ ଘୋଷଣା ଓ ରାଜ୍ୟ ରାଜନୈତିକ ପରିସ୍ଥିତିକୁ ଆକଳନ କଲେ ସ୍ପଷ୍ଟ ହୁଏ ଯେ ବିଜେପିର ୧୨୦ ଆସନ ଦଖଲ କେବଳ ଏକ ଧୂଆଁବାଣ । ଆଲୋଚନା ପ୍ରସଙ୍ଗରେ ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନରେ ବିଜେପି ପଞ୍ଚାୟତ ନିର୍ବାଚନର ସଫଳତା ଦୋହରାଇବା ନିଶ୍ଚିତ । ଯଦି ତାହାବି ଘଟେ ବିଧାନସଭାରେ ୧୨୦ ଆସନ ହାସଲ ତ ଦୂରର କଥା ଦଳ ସଂଖ୍ୟାଗରିଷ୍ଠତାର ନିକଟବର୍ତ୍ତୀ ହୋଇପାରିବ ନାହିଁ ।
ଏବେ ଆସିବା ବଂଶବାଦ ବା ପରିବାରବାଦ ପ୍ରସଙ୍ଗକୁ । ୨୦୦୦ ମସିହା ପୂର୍ବରୁ ନବୀନ ପଟ୍ଟନାୟକ ରାଜନୀତିର ଧାର ଧାରୁନଥିବା ଜଣେ ଅଣରାଜନୈତିକ ବ୍ୟକ୍ତିତ୍ୱ ଥିଲେ। ୧୯୯୦-୯୫ର ଓଡ଼ିଶା ରାଜନୀତିରେ ଜଣେ ସର୍ବମାନ୍ୟ ନେତା ଥିଲେ ବିଜୁ ପଟ୍ଟନାୟକ । ତାଙ୍କର ସଫଳ ନେତୃତ୍ୱ ଓ ଲୋକପ୍ରିୟତା ସତ୍ତ୍ୱେ ଜନତା ଦଳ ୧୯୯୫ ନିର୍ବାଚନରେ କାହିଁକି ହାରିଲା ଓ ଏହି ପରାଜୟ ପଛରେ ଥିବା ହୀନ ଚକ୍ରାନ୍ତ ସମ୍ପର୍କରେ ଆଲୋଚନା କରିବାର ସୁଯୋଗ ଏଠାରେ ନାହିଁ । ତେବେ ଓଡ଼ିଶାବାସୀଙ୍କ ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ତାଙ୍କର କିଛି ରାଜନୈତିକ ସହଯୋଗୀ ଏପରିକି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜୁବାବୁଙ୍କ ପରିବାରର ଜଣେ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିଙ୍କୁ ନେଇ ନୂଆ ଦଳ ଗଢ଼ିବାକୁ ସ୍ଥିରକଲେ । ରାଜ୍ୟ ରାଜନୀତିରେ ପ୍ରଭାବ ଥିବା ଜନତା ଦଳର ନେତୃବୃନ୍ଦ ବିଜୁ ଜନତା ଦଳ ଗଠନ କରି ତାହାର ନେତା ପଦରେ ନବୀନଙ୍କୁ ବସାଇଲେ । ଏହି ନେତୃତ୍ୱ ପ୍ରତି ସମର୍ଥନ ଜଣାଇ ବିଜେପି ସହଯୋଗୀ ଦଳ ରୂପେ ନିର୍ବାଚନକୁ ଓହ୍ଲାଇଥିଲା । କେବଳ ସେତିକି ନୁହେଁ ନବୀନଙ୍କ କ୍ଷମତା ରାଜନୀତିରେ ୯ବର୍ଷ କାଳ ଅଂଶୀଦାର ହୋଇଥିଲା । ଏକଥା ସ୍ପଷ୍ଟ ଯେ ବିଜୁବାବୁ ନିଜେ ବଂଶବାଦରେ ବିଶ୍ୱାସ କରୁନଥିବାରୁ ନିଜ ପରିବାରର ସଦସ୍ୟଙ୍କୁ ରାଜନୀତିରେ ପ୍ରବେଶ ପାଇଁ ସୁଯୋଗ ଦେଇନଥିଲେ । ତାଙ୍କ ଅବର୍ତ୍ତମାନରେ ଯାହା ଘଟିଲା ଆମେ ତାହାର କିଛି ସୂଚନା ଏଠାରେ ଦେଇସାରିଛୁ । ନବୀନ ମଧ୍ୟ ତାଙ୍କ ଶାସନର ୧୭ ବର୍ଷ ମଧ୍ୟରେ ପରିବାରର କାହାକୁ ରାଜନୀତିକୁ ଆଣିନାହାନ୍ତି । ମଝିରେ ମଝିରେ ଏସମ୍ପର୍କରେ ରାଜନୈତିକ ହାୱା ଓ ସମ୍ଭାବନାକୁ ନେଇ ଜୋର ଅଙ୍କକଷା ହୋଇଥିଲେ ମଧ୍ୟ ଫଳ କିନ୍ତୁ ଶୂନ । ଅବିବାହିତ ନବୀନଙ୍କ ନିଜର ପରିବାର ନଥିବାରୁ ତାଙ୍କର ଭାବମୂର୍ତ୍ତିକୁ ରାଜ୍ୟବାସୀ ନିଆରା ଦୃଷ୍ଟିରେ ବିଚାର କରନ୍ତି । ପରିବାରବାଦରୁ ମୁକ୍ତ ତାଙ୍କ ବ୍ୟକ୍ତିତ୍ୱ ପ୍ରତି ରାଜ୍ୟରେ ଥିବା ଶ୍ରଦ୍ଧା ଓ ସମ୍ମାନକୁ ଅମିତ ଶାହାଙ୍କ ଆରୋପ କଳୁଷିତ କରିପାରିବ ନାହିଁ । ଆମକୁ ଏଠାରେ କହିବାକୁ ପଡ଼ିବ ଯେ, ରାଜନୀତିରେ ଚାଣକ୍ୟ ବୋଲାଉଥିବା ଅମିତ ଏବର ଓଡ଼ିଶାଗସ୍ତ ବେଳେ ଭୁଲ ଅଙ୍କକଷି ଅଡ଼ୁଆରେ ପଡ଼ିଯାଇଛନ୍ତି ।

ବରିଷ୍ଠ ସାମ୍ବାଦିକ
କାନନ ଦାଶ

Previous ବିଡିଏ ଓ ସିଡିଏ: ଟଙ୍କା ଦେଲେ ସବୁ ମାଫ୍
Next ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ ସର୍ବକନିଷ୍ଠ ଶିଶୁ ଶିଳ୍ପୀ ରୋଶନ

No Comment

Leave a reply

Your email address will not be published. Required fields are marked *