କ୍ଷମତା ବିରୋଧୀ ଭୋଟ ବିଭାଜନ ମସୁଧା

Odisha Politics

ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲେ ଭାତ ହେଲା କି ନାହିଁ ଜାଣିବାରେ କିଛି ଅସୁବିଧା ନାହିଁ । ସେମିତି ବିଜେପିର ସାଙ୍ଗଠନିକ ଦକ୍ଷତା କେତେ ସୁଦୃଢ ତାହା ଦଳର ସଭାପତି ବସନ୍ତ ପଣ୍ଡାଙ୍କ ନୂଆପଡା ନିର୍ବାଚନମଣ୍ଡଳୀର ସ୍ଥିତିରୁ ଜଳଜଳ ହୋଇ ଜଣାପଡୁଛି । ନିକଟରେ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ବିଜେପି ପ୍ରାର୍ଥୀ ସେଠାରେ କେବଳ ତୃତୀୟ ସ୍ଥାନ ଅଧିକାର କରି ନାହିଁ ବିଜେଡି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନର ଭୋଟସଂଖ୍ୟାକୁ ମଧ୍ୟ ଛୁଇଁପାରିନାହିଁ । ଏକଥା ସତ ଯେ ରାଜ୍ୟ ସଭାପତିଙ୍କ ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେଉଥିବା ଦୃଷ୍ଟିରୁ ବିଜେପି ପକ୍ଷରୁ ଏହାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଥିଲା । ନିଜେ ବସନ୍ତବାବୁ ମଧ୍ୟ ପ୍ରଭାବ ଓ ପତିଆରା ଜାହିର କରିବା ପାଇଁ ଜିଲ୍ଲାପରିଷଦ ଆସନ ନିର୍ବାଚନ ଅଭିଯାନରେ ନିଜକୁ ସାମିଲ କରିଥିଲେ । ତାଙ୍କ ନିର୍ବାଚନମଣ୍ଡଳୀର ବୁଥ୍ କେତେ ମଜବୁତ୍ ତାହା ଏହି ନିର୍ବାଚନରେ ସ୍ପଷ୍ଟ ବାରି ହୋଇପଡିଛି । ରାଜ୍ୟରେ ମୋ ବୁଥ୍ ମଜବୁତ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ତାଙ୍କର ନେତୃତ୍ୱ କେତେଦୂର ସଫଳ ହେବ ସେ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଆମେ ଏଠାରେ ସୂଚାଇଦେବାକୁ ଚାହୁଁ ଯେ, ଗତ ଫେବୃୟାରୀରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେପିର ଦୁର୍ଗ ରୂପେ ପରିଚିତ ପଶ୍ଚିମ ଓଡିଶାର କଳାହାଣ୍ଡି ସମେତ ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ ବରଗଡ ପ୍ରଭୁତି ଜିଲ୍ଲାରେ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ବିଜେଡି ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ସେତେବେଳେ ମଧ୍ୟ ନୂଆପଡା ଜିଲ୍ଲାରେ ବିଜେପିର ସ୍ଥିତି ଦୋହଲି ଯାଇଥିଲା । ରାଜ୍ୟ ସଭାପତି ପ୍ରତିନିଧିତ୍ୱ କରୁଥିବା ଜିଲ୍ଲାରେଏହି ବିପର୍ଯ୍ୟୟ ପାଇଁ ବସନ୍ତବାବୁ ସାଧାରଣରେ ସମାଲୋଚିତ ହୋଇଥିଲେ । ଅବଶ୍ୟ ଯେହେତୁ ସେ ସଭାପତି ଅଛନ୍ତି ବିଜେପିରେ ମୃଦୁ ଗୁଞ୍ଜରଣ ଉଠିଥିଲେ ମଧ୍ୟ ସମସ୍ତେ ନିରବି ଯାଇଥିଲେ । ନିଜ ଅଞ୍ଚଳର ଏହି ପ୍ରତିକୂଳ ସ୍ଥିତିକୁ ସେ ୪ ମାସ ମଧ୍ୟରେ ସୁଧାରି ପାରିଲେନି ଓ ପୁଣି ଶୋଚନୀୟ ପରାଜୟର ଗ୍ଲାନିକୁ ମୁଣ୍ଡେଇବାକୁ ବାଧ୍ୟ ହୋଇଛନ୍ତି । ତେଣୁ ନିଜର ଦକ୍ଷତା ଓ ନୈତିକତା ତାଙ୍କୁ ନିଶ୍ଚୟ ଦଂଶନ କରୁଥିବ ।
ଉରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଦଳର ଜାତୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସାଙ୍ଗଠନିକ ଦକ୍ଷତା ଓ ନିର୍ବାଚନ ଋଣକୌଶଳ ନିର୍ଦ୍ଧାରଣକୁ ସବୁସ୍ତରରେ ପ୍ରଶଂସା କରାଯାଇଛି । ତାଙ୍କ ପାଇଁ ବିଜେପିର ଓଡିଶା ଦଖଲକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ ଓ ଆବଶ୍ୟକସ୍ଥଳେ ନୂଆ ଋଣକୌଶଳ ପ୍ରୟୋଗକୁ ଗୁରୁତ୍ୱ ଦେଇ ସେ ନିୟମିତ ଓଡିଶା ଗସ୍ତ କରୁଛନ୍ତି । ନିକଟରେ ରାଜ୍ୟର ଏକାଧିକ ଅଞ୍ଚଳ ଗସ୍ତ କରି ୨୦୧୯ ନିର୍ବାଚନରେ ବିଜେପି ରାଜ୍ୟର ୧୨୦ ବିଧାନସଭା ଆସନ ଦଖଲ କରିବ ବୋଲି ସେ ସଗର୍ବେ ଘୋଷଣା କରିଛନ୍ତି । ଏପରିକି କ୍ଷମତାସୀନ ବିଜେଡିକୁ ବଙ୍ଗୋପସାଗରକୁ ନିକ୍ଷେପ କରାଯିବା ଭଳି ଦମ୍ଭ ମଧ୍ୟ ପ୍ରଦର୍ଶନ କରିଛନ୍ତି । ଏକଥା ସତ ଯେ ରାଜ୍ୟର ଜନ ସମୁଦାୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଏକ ହାୱା ସୃଷ୍ଟି ହୋଇଛି । ହେଲେ ତାହାକୁ ଭୋଟରେ ପରିଣତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରାଇବାର ସାଙ୍ଗଠନିକ ଦକ୍ଷତା ଓଡିଶାରେ ସୃଷ୍ଟି ହୋଇପାରିଛି କି? ଏଭଳି ଏକ ପ୍ରଶ୍ନର ଉତ୍ତର ଭାତହାଣ୍ଡିରୁ ଚାଉଳ ଚିପିଲା ଭଳି ରାଜ୍ୟ ସଭାପତିଙ୍କ ନିଜ ନୂଆପଡା ନିର୍ବାଚନମଣ୍ଡଳୀରୁ ହିଁ ପାଇପାରିବା । ଏସବୁ ଉଲ୍ଲେଖ କରିବାର ଉଦ୍ଧେଶ୍ୟ ହେଲା, ରାଜ୍ୟର ତୃଣମୂଳସ୍ତରର ସ୍ଥିତି ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି । କେବଳ ପ୍ରଚାର ସର୍ବସ୍ୱ କୁହୁଡିରେ ନ ପହଁରି ନିମ୍ନସ୍ତରରେ ସଙ୍ଗଠନ ସୁଦୃଢ କରିବା ଜରୁରୀ ହୋଇପଡିଛି । ପଞ୍ଚାୟତ ନିର୍ବାଚନର ବାସ୍ତବତାକୁ ନଯାଇ ଦୀର୍ଘ ବ୍ୟବଧାନ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ବିଜେପି ଆତ୍ମବିଭୋର ହୋଇଯିବା ଠିକ୍ ନୁହେଁ । କଂଗ୍ରେସ ଭୋଟବ୍ୟାଙ୍କ ଭୁଷୁଡି ପଡିଥିବାରୁ କ୍ଷମତା ବିରୋଧୀ ଭୋଟର ଧୃବୀକରଣ ଦଳକୁ ଏହି ସଫଳତା ଆଣି ଦେଇଛି । ଏହି ନିଚ୍ଛକ ସତ୍ୟକୁ ସ୍ୱୀକାର ନକରି ଆସନ୍ତା ନିର୍ବାଚନରେ ଦଳ କ୍ଷମତାକୁ ଆସିବ ଏବଂ ସେତେବେଳେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଛକାପଞ୍ଝା ଏବେଠାରୁ ଆରମ୍ଭ ହୋଇଯାଇଛି । ତାହାକୁ ଆଖି ଆଗରେ ରଖି ଜଣେ ସୁଦକ୍ଷ ସଙ୍ଗଠକଙ୍କୁ ରାଜ୍ୟ ସଭାପତି ନକରି ଆନୁଗତ୍ୟକୁ ଗୁରୁତ୍ୱ ଦିଆଯାଇଛି, ଯିଏକି ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷଙ୍କ ମୁଖ୍ୟମନ୍ତ୍ରୀ ପଦ ହାସଲ ସମ୍ଭାବନାକୁ ସାକାର କରିବାରେ ସହାୟକ ହେବେ । ରାଜ୍ୟ ବିଜେପିର ଏହି ଦୃଶ୍ୟପଟ୍ଟକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇ ବାରି ହୋଇପଡୁଛି ଯେ, କ୍ଷମତା ପାଇଁ ପାଗ ପଟୁଆର ବାନ୍ଧିଥିବା କିଛି ନେତା କେବଳ ମାୟା ମରୀଚିକା ପଛରେ ଧାଇଁଛନ୍ତି । ସେମାନେ ମନେ ରଖିବା ଉଚିତ ଯେ, ରାଜ୍ୟରେ ଧରାଶାୟୀ କଂଗ୍ରେସ ସଙ୍ଗଠନ ଯଦି ନୂତନ ନେତୃତ୍ୱ ମାଧ୍ୟମରେ ନିଜକୁ ସଜାଡି ନେଇ ପୁଣି ଥରେ ଜନ ସମର୍ଥନ ହାସଲ କରିବାକୁ ସମର୍ଥ ହେବ ତେବେ ବିଜେପିର ଜନାଧାର ଉପରେ ତାହାର ନିଶ୍ଚୟ ପ୍ରତିକୂଳ ପ୍ରଭାବ ପଡିବ । ସେଭଳି ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନର ସଫଳତାକୁ ଦଳ ଦୋହରାଇବା ଏତେ ସହଜ ହେବନାହିଁ ।
ରାଜ୍ୟ ରାଜନୀତିରେ କ୍ଷମତା ବିରୋଧୀ ଭୋଟ ବିଭାଜନ ମାଧ୍ୟମରେ ବିଜୟ ଝଣ୍ଡା ଉଡାଇବାକୁ ବିଜେଡି ରଣକୌଶଳ ପ୍ରସ୍ତୁତ କରୁଛି । ତେଣୁ ନୂତନ ନେତୃତ୍ୱ ମାଧ୍ୟମରେ କଂଗ୍ରେସ ଯେଭଳି ନିଜର ପୂର୍ବ ପତିଆରା ଜାହିର କରିପାରିବ ସେଥିପ୍ରତି ଦଳର ହାଇକମାଣ୍ଡଙ୍କୁ ପ୍ରଭାବିତ କଲାଭଳି ବିଜେଡି ଗୋପନ ଉଦ୍ୟମ ଆରମ୍ଭ କରିଥିବା ମନେହୁଏ । ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟରେ ଅଖଣ୍ଡ କ୍ଷମତା ଉପଭୋଗ କରିବା ପାଇଁ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ଦୁର୍ବଳ କରିବାରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସମୟ ବଦଳିଛି, ରାଜ୍ୟ ରାଜନୀତିରେ କଂଗ୍ରେସକୁ ସବଳ ନକଲେ ବିଜେପିର ମୁକାବିଲା କରିବା କ୍ଷମତାସୀନ ଦଳ ପାଇଁ ସହଜ ହେବ ନାହିଁ । ଏହି ବାସ୍ତବତାକୁ ବିଜେଡି ବହୁ ବିଳମ୍ବରେ ହୃଦୟଙ୍ଗମ କରିଥିବାବେଳେ ବିଜେପି କ୍ଷମତା ବିରୋଧୀ ଭୋଟ ଏକୁଟିଆ ହାତେଇବା ପାଇଁ ଯୋଜନା ଚଳାଇଛି । ଏଠାରେ ମନେ ରଖିବାକୁ ହେବ ଯେ କାହାର ଚାହିଁବା ନଚାହିଁବା ଉପରେ ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ନିର୍ଭର କରେ ନାହିଁ । କଂଗ୍ରେସ ହାଇକମାଣ୍ଡ ନିଜର ତୃଟି ସଂଶୋଧନ କରି ଯଦି ଜଣେ ଟାଣୁଆ ନେତାକୁ ଦଳର ସଙ୍ଗଠନ ଦାୟିତ୍ୱ ଦିଅନ୍ତି ତେବେ କ୍ଷମତାସୀନ ବିଜେଡିକୁ ସରକାରରୁ ହଟାଇବା ଏତେ ସହଜ ହେବ ନାହିଁ । ସ୍ୱାଭାବିକ ଭାବେ ଦୀର୍ଘ ୧୭ ବର୍ଷ ଧରି ବିଜେଡି ସରକାରରେ ଥିବାରୁ କ୍ଷମତା ବିରୋଧୀ ଭୋଟ ହାର ବଢିଛି । ସେହି ବିରୋଧୀ ଭୋଟ ବିଜେପି ଓ କଂଗ୍ରେସ ମଧ୍ୟରେ ବିଭାଜିତ ହୋଇଗଲେ ପୁଣି ଥରେ ବିଜେଡି କ୍ଷମତାକୁ ଆସିବା ସହଜ ହୋଇଯିବ । ଏଭଳି ତରଳ ରାଜନୈତିକ ପରିସ୍ଥିତିର ବିଜେଡି ହାଇକମାଣ୍ଡ ଯେ ସୁଯୋଗ ନନେବେ ଏକଥା କିଏ କହିବ । ନବୀନ ବାବୁଙ୍କ ଘନ ଘନ ଦିଲ୍ଲୀ ଗସ୍ତର ଆଢୁଆଳରେ ଏହି ଗୋପନ ଅଭିସାର ନିହିତ ଥିବାର ସୂଚନା ସ୍ପଷ୍ଟ ହେବାରେ ଲାଗିଛି ।

କାନନ ଦାଶ

Previous ହିପ୍ ହପ୍ ଡ୍ୟାନ୍ସର ମନୋଜଙ୍କୁ ବିଶ୍ୱକପ୍ ଦେଇଛି ପ୍ରେରଣା
Next କାଲସିୟମ୍ କାର୍ବାଇଡ ପ୍ରୟୋଗ - ପାଚିଲା ଫଳ ବିଷ

No Comment

Leave a reply

Your email address will not be published. Required fields are marked *