ଭୋଟ ପାଇଁ ଚୀନରୁ ଆସିବ ନୋଟ୍!

Note from China for vote!

ଭୋଟ୍ ସହ ନୋଟ୍ ଏଭଳି ଯୋଡ଼ି ହୋଇଯାଇଛି ଯେ ସତେ ଯେପରି ମନେ ହେଉଛି ନୋଟ୍ ନଥିଲେ ଭୋଟ ଜିଣିବା ଆଦୌ ସମ୍ଭବ ନୁହେଁ । ଅନେକାଂଶରେ ଏହା ସତ୍ୟ । ବ୍ୟୟ ବହୁଳ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହେବାକୁ ସାହସ କୁଳାଇ ପାରୁନି ଭଦ୍ରଲୋକଟିଏ । ତେଣୁ ନିର୍ବାଚନ ମଣ୍ଡଳୀର କିଛି ବ୍ୟକ୍ତିବଶେଷ ଓ ପରିବାର ମଧ୍ୟରେ ପ୍ରାର୍ଥୀ ଓ ପ୍ରତିଦ୍ୱନ୍ଦ୍ୱିତା ସୀମିତ ରହିଛି । ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ହେଉଥିବା ନିର୍ବାଚନର ବ୍ୟୟବହୁଳତାକୁ ଦେଖିଲେ ମନରେ ସନ୍ଦେହ ଓ ବିସ୍ମୟ ଜାତ ହୁଏ । ନିର୍ବାଚନରେ ଖର୍ଚ୍ଚ ହେଉଥିବା ଏତେ ବିପୁଳ ଅର୍ଥ କିଭଳି ଓ କେଉଁ ସୂତ୍ରରୁ ଆସୁଛି ତାହା ଜାଣିବା ମୁସ୍କିଲ୍ । ସତ କହିବାକୁ ଗଲେ ଏହି ପରିସ୍ଥିତି ଲୋକ ପ୍ରତିନିଧିଙ୍କୁ ଦୁର୍ନୀତିମୁହାଁ କରିଛି । ଦୁର୍ନୀତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏ ସଂକ୍ରାନ୍ତ ଅଭିଯୋଗରେ କ୍ଷମତାସୀନ ସରକାର ଟଳିପଡ଼ୁଥିଲେ ମଧ୍ୟ ସାଧାରଣ ଜୀବନରୁ ଦୁର୍ନୀତି ଦୂର ହୋଇପାରି ନାହିଁ । ତେଣୁ ନେତା ଓ ମନ୍ତ୍ରୀ ବ୍ୟକ୍ତିଗତସ୍ତରରେ ବିଭିନ୍ନ ଉପାୟରେ କଳାଧନ ସଂଗ୍ରହ କରୁଥିବା ବେଳେ ସାମଗ୍ରିକ ଭାବେ ସରକାର ନିଜ ଦଳୀୟ ପାଣ୍ଠି ବଢାଇ ଚାଲିଛନ୍ତି । କେଉଁ ସୂତ୍ରରୁ ଏତେ ବିପୁଳ ପରିମାଣର ଦଳୀୟ ପାଣ୍ଠି ସଂଗ୍ରହ କରାଯାଉଛି ତାହା ଜାଣିବାର ବାଟ ନାହିଁ । କ୍ଷମତାର ନାଲି ଆଖିରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଉଥିଲେ ମଧ୍ୟ ସରକାରଙ୍କ ଦୋଷ ତ୍ରୁଟି ଓ ଗୋପନ ସମ୍ପର୍କ ପ୍ରଘଟ ହୋଇଯାଉଛି । କାରଣ ସରକାର କ୍ଷମତାର ଛାଟ ମାରି ସମସ୍ତଙ୍କ ମୁହଁ ସବୁଦିନ ପାଇଁ ବନ୍ଦ କରିପାରିବେନି । ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ଓ ରାଜ୍ୟସ୍ତରରେ ଯେଉଁ ପ୍ରସ୍ତୁତି ଚାଲିଛି ତାହାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ମନେହେଉଛି ଏହା ବୋଧହୁଏ ଚଳିତ ଶତାବ୍ଦୀର ସବୁଠାରୁ ଅଧିକ ବ୍ୟୟ ବହୁଳ ସାବ୍ୟସ୍ତ ହେବ ।

ମେଣ୍ଟ ରାଜନୀତି ସତ୍ତ୍ୱେ କେନ୍ଦ୍ରରେ ବିଜେପିର ସଂଖ୍ୟା ଗରିଷ୍ଠତା ଦଳର ପତିଆରା ଓ କ୍ଷମତା ବଢାଇଛି । ତେଣୁ ବିପୁଳ ଦଳୀୟ ପାଣ୍ଠି ସଂଗ୍ରହ ଓ ଆଖି ଖୋସିଦେଲା ଭଳି ଦିଲ୍ଲୀରେ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ସମ୍ଭବପର ହୋଇଛି । କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀକୁ ବାଦ ଦେଲେ ଅଧିକାଂଶ ରାଜ୍ୟରେ ବିଜେପି କ୍ଷମତା ବିସ୍ତାର କରିସାରିଲାଣି । ଏହି ସବୁ ସତ୍ତ୍ୱେ ୨୦୧୯ ନିର୍ବାଚନରେ ବିଜେପି ଆଶ୍ୱସ୍ତ ନୁହେଁ । ଯଦି ଭୋଟ ସଂଗ୍ରହ କରିବା ସକାଶେ ନୋଟ ଏକମାତ୍ର ମାଧ୍ୟମ ତେବେ ବିଜେପି ଅନ୍ୟ ଦଳଙ୍କଠାରୁ ଆଗରେ ଅଛି ବୋଲି କୁହାଯିବ । ଏକଥା ସତ୍ୟ ଯେ ମୋଦିଙ୍କ ନେତୃତ୍ୱ ପ୍ରତି ଯେତେ ଆସ୍ଥା ଓ ବିଶ୍ୱାସ ଦେଶବାସୀଙ୍କର ଅଛି ତାହା ବିଜେପି ଶାସିତ ରାଜ୍ୟରେ ନାହିଁ । ତେଣୁ ଏହି ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆୟୋଜନ ପାଇଁ ନିର୍ବାଚନ ଆୟୋଗଙ୍କୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ସମ୍ଭବ ନୁହେଁ ଦର୍ଶାଇ ଆୟୋଗ ପଛଘୁଞ୍ଚା ଦେଉଥିବାରୁ ବିପୁଳ ଅମୋଘ ଅସ୍ତ୍ର ପ୍ରୟୋଗ ହିଁ ଶେଷ କଥା । ଏଥି ପାଇଁ ଦଳୀୟ ପାଣ୍ଠି ଅକୂଳନ ହେବ ନାହିଁ ତ, ଏଭଳି ଏକ ପ୍ରଶ୍ନ ଆୟୋଜକଙ୍କୁ ଚିନ୍ତାରେ ପକାଇଛି ।

ଏତେ ସବୁ କଥା ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ଭାରତୀୟ ନୋଟ୍ ଛାପିବା ପାଇଁ ଚାଇନା କରେନ୍ସି ପ୍ରିଣ୍ଟିଂ କର୍ପୋରେସନକୁ ଦିଆଯାଇଥିବା ଅର୍ଡ଼ରର ସମ୍ଭାବ୍ୟ ଦୂରୁପଯୋଗ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି । କର୍ପୋରେସନର ସଭାପତି ଲିୟୁ ଗୁଇଶେଙ୍ଗଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଚୀନ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ତଥ୍ୟରୁ ଜଣାପଡ଼େ ଯେ ସେମାନେ କେବଳ ଭାରତ ନୁହେଁ ବାଂଲାଦେଶ, ଶ୍ରୀଲଙ୍କା,ନେପାଳ ଓ ପର୍ତ୍ତୁଗାଲର ମଧ୍ୟ କରେନ୍ସି ଛାପୁଛନ୍ତି । ଏହା ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବାବେଳେ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସୁବାଷ ଚନ୍ଦ୍ର ଗର୍ଗ ଚୀନରେ ନୋଟ ଛପା ଯିବା ସମ୍ବାଦକୁ ଦୃଢ ଖଣ୍ଡନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ କି ଭାରତୀୟ କରେନ୍ସି ମୁଦ୍ରଣ ଦାୟିତ୍ୱରେ ରିଜର୍ଭ ବ୍ୟାଙ୍କ ଥିବାବେଳେ ଏତେ ବଡ଼ ଘଟଣାରେ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ନୀରବତା ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିପାରିନି । ବିମୁଦ୍ରୀକରଣର ୫୦୦ ଦିନ ପରେ ମଧ୍ୟ ଫେରିଥିବା ଟଙ୍କାର ହିସାବ ଦେବାରେ କେନ୍ଦ୍ରୀୟ ବ୍ୟାଙ୍କ ଅସମର୍ଥ ହେବା ଘଟଣାକୁ ଦେଶବାସୀ ଠିକ୍ ଦୃଷ୍ଟିରେ ବିଚାର କରୁ ନାହାନ୍ତି । ପ୍ରାକ ପ୍ରସ୍ତୁତି ପୂର୍ବରୁ ହଠାତ୍ ବଜାରରେ ୫୦୦ ଟଙ୍କା ଓ ୧୦୦୦ଟଙ୍କା ନୋଟ ଅଚଳ କରିଦିଆଯିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାକୁ କେନ୍ଦ୍ର ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ସମ୍ଭାଳିବା ଏତେ ସହଜ ନଥିଲା । କାରଣ ବିଳମ୍ବିତ ମୁଦ୍ରଣ ପ୍ରକ୍ରିୟାରେ ସ୍ଥିତି ସୁଧାରିବା ପାଇଁ ବେଶ ଅଧିକ ସମୟ ଲାଗୁଥିବାରୁ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ । ତତ୍କାଳୀନ ପରିସ୍ଥିତି ସମ୍ଭାଳିବା ପାଇଁ ଗୋପନରେ ଚୀନ କମ୍ପାନୀକୁ ନୋଟ୍ ଛାପିବାକୁ ଅର୍ଡ଼ର ଦିଆଯାଇ ନାହିଁ ତ? ଏଭଳି ଏକ ସନ୍ଦେହ ବିଭିନ୍ନ ମହଲରେ ଉଙ୍କି ମାରୁଥିବା ବେଳେ ରିଜର୍ଭ ବ୍ୟାଙ୍କ ଏ ସଂକ୍ରାନ୍ତରେ ସ୍ୱଷ୍ଟ ମତ ଦେବା ଉଚିତ୍ । ଯଦିବା ଭାରତୀୟ କରେନ୍ସି ଚୀନରେ ଛପା ଯାଉଥାଏ ତେବେ ତାହାର ଦୂରୁପଯୋଗ ହେବାର ସମ୍ଭାବନା ଅଧିକ । ଏହା ଉଭୟ ରାଜନୈତିକ ଫାଇଦା ହାସଲ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟିର କାରଣ ହୋଇପାରେ । ଏହା ଯଦି ସତ୍ୟ ହୋଇଥାଏ ତେବେ ତ ସାଂଘାତିକ । କାରଣ ଆମ ଅନୁସନ୍ଧାନକାରୀ ଏଜେନ୍ସିର ଲମ୍ବା ହାତ ସେଠାକୁ କେତେଦୂର ପାଇବ ସେ ନେଇ ଆମର ସନ୍ଦେହ ରହିଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କରେନ୍ସିକୁ ନେଇ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାହା କେତେବେଳେ କେଉଁ ମୋଡ଼ ନେବ କହି ହେବ ନାହିଁ ।

Previous ଦୂର୍ବଳ ଟଙ୍କା ଉଦବେଗଜନକ ସ୍ଥିତିରେ
Next ସୌନ୍ଦର୍ଯ୍ୟର ଗନ୍ତାଘର ତପ୍ତପାଣି ଉଷ୍ଣ ପ୍ରସବଣ

No Comment

Leave a reply

Your email address will not be published. Required fields are marked *