ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ୪ଟି ଲୋକସଭା ସହ ୨୮ଟି ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ

first phase polls

ଆଜି ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଓଡ଼ିଶା ସମେତ ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଓଡିଶାର ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଆଜି ଭୋଟ୍‌ ଗ୍ରହଣ ହେଉଛି। ଏହି ୪ ଲୋକସଭା ଆସନ ହେଉଛି କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର। ରାଜ୍ୟର ୭ହଜାର ୨୩୩ ବୁଥରେ ମତଦାନ କରିବେ ୬୦ଲକ୍ଷ ୩ହଜାର ୭୦୭ ମତଦାତା । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମତଦାନ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ଯାଏ ଚାଲିବ। ତେବେ ନକ୍ସଲ ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହେବ। ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭ ପ୍ରତିଶତ ଭୋଟିଂ ହୋଇଥଲା। ଓଡ଼ିଶାରେ ୪ଟି ଲୋକସଭା ଆସନ ବ୍ୟତୀତ ଆସାମର ୫ଟି, ଅରୁଣାଚଳ ପ୍ରଦେଶର ୨ଟି, ବିହାରର ୪ଟି, ଉତ୍ତର ପ୍ରଦେଶର ୮ଟି, ତେଲେଙ୍ଗାନାର ସମସ୍ତ ୧୭ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର ୨୫ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡରେ ୫ଟି, ଛତିଶଗଡ଼ରେ ଗୋଟିଏ, ଜମ୍ମୁ କଶ୍ମୀରରେ ୨ଟି, ମଣିପୁରରେ ଗୋଟିଏ, ମେଘାଳୟରେ ୨ଟି, ମିଜୋରାମରେ ଗୋଟିଏ, ନାଗାଲାଣ୍ଡର ୨ଟି, ତ୍ରିପୁରାର ଗୋଟିଏ, ପଶ୍ଚିମ ବଙ୍ଗର ୨ଟି, ଆଣ୍ଡାମାନର ଗୋଟିଏ ଏବଂ ଲାକ୍ଷା ଦ୍ୱୀପପୁଞ୍ଜରେ ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ସବୁ ବୁଥ୍‌ରେ EVM ସହ ଭିଭିପାଟ୍‌ଙ୍କ ସଂଯୋଗ କରାଯାଇଛି। ଫଳରେ ଭୋଟରମାନେ କେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ। ତାହା ଭିଭିପାଟ୍ ସ୍କ୍ରିନ୍‌ରେ ଦେଖିପାରିବେ। ତେବେ କେତେକ ସ୍ଥାନରେ ଇଭିଏମ ଅଚଳ ହୋଇଥବାରୁ ଭୋଟିଂରେ ବିଳମ୍ବ ହୋଇଥିଲା । କାଲିମେଳା ବ୍ଲକର ମାଓପ୍ରବଣ ୪ ବୁଥରେ ଇଭିଏମ ଅଚଳ ହୋଇପଡ଼ିଥିଲା । ବଡିଗେଟା, ତେଲେରାଇ, ଭେଜାଙ୍ଗିବାଡା ଓ ଏମପିଭି-୩୫ ବୁଥା ଇଭିଏମ୍ ଖରାପ ଯୋଗୁଁ ଭୋଟର ଫେରିଯାଇବାର ଜଣାପଡିଛି । ସେହିଭଳି କେତେକ ସ୍ଥାନରେ ଲୋକମାନେ ଭୋଟ ବର୍ଜନ କରିଥିବାର ଜଣାପଡିଛି । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ୍‌ର କଣ୍ଟାଗ୍ରାମରେ ନୂତନ ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ଦାବି କରି କଣ୍ଟାଗାଁର ବାସିନ୍ଦାମାନେ ଭୋଟ୍‌ ବର୍ଜନ କରିଛନ୍ତି। ସେହିଭଳି ଗାଁକୁ ରାସ୍ତା ନଥିବାରୁ ଭବାନୀପାଟଣା ତେଟେଙ୍ଗେପଦର ଗ୍ରାମବାସୀ ଭୋଟ୍ ବର୍ଜନ କରିଥିବାର ଜଣାପଡିଛି ।

Previous ରାଜଧାନୀରୁ ୧୨ ଲୁଟେରା ଗିରଫ
Next ଯୁକ୍ତଦୁଇ ଖାତା ଦେଖା ବେଳେ ପିଏନ୍ କଲେଜରେ ଲାଗିଲା ନିଆଁ

No Comment

Leave a reply

Your email address will not be published. Required fields are marked *