ରାହୁଲଙ୍କ କରିସ୍ମାକୁ ନେଇ ବିଜେପିର ଚିନ୍ତା


ଦେଶରେ ମୋଦି ଲେହେର ଏବେବି ଅତୁଟ ଯାହା ସଦ୍ୟ ସମାପ୍ତ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନରୁ ଜଣାପଡିଛି । ଲଗାତାର ଷଷ୍ଠ ଥର ପାଇଁ କ୍ଷମତାର ଡୋର ନିଜ ଅକ୍ତିଆରରେ ରଖିଛି ବିଜେପି ଦଳ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜନୀତିରେ ପପୁ କୁହାଯାଉଥିବା ରାହୁଲ ରାଜନୀତି ଗୋଟି ଚାଳନାରେ ଯେ ଓସ୍ତାଦ ହୋଇଗଲେଣି ତାହା ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଛନ୍ତି ମା ସୋନିଆ ଗାନ୍ଧି ଏବଂ ଏହି ପଦରେ ଆସୀନ ହୋଇ କଂଗ୍ରେସର ମଙ୍ଗ ଧରିଛନ୍ତି ରାହୁଲ । ପ୍ରଥମ ଅଗ୍ନି ପରୀକ୍ଷାରେ ବିଶେଷ ସଫଳତା ପାଇନଥିଲେ ମଧ୍ୟ ବିଜେପି ତୁଙ୍ଗ ନେତାଙ୍କୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ରାଜୀବ ତନୟ । ୨୦୧୨ ନିର୍ବାଚନରେ ୧୧୫ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ହାତେଇଛି ୯୯ଟି ଆସନ । ଅନ୍ୟପକ୍ଷରେ ଗତ ବିଧାନସଭା ନିର୍ବାଚନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ୬୧ଟି ଆସନରେ ବିଜୟୀ ହୋଇଥିବାବେଳେ ଚଳିତ ନିର୍ବାଚନରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦଳ ହାତେଇଛି ୭୭ ଆସନ । ଏହି ପରିସଂଖ୍ୟନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ବିଜେପିର ଲୋକପ୍ରିୟତା ହ୍ରାସ ପାଇ କଂଗ୍ରେସ ପ୍ରତି ଲୋକଙ୍କର ଆସ୍ଥା ବଢିଛି ।

ହିମାଚଳପ୍ରଦେଶ ନିର୍ବାଚନରେ ମଧ୍ୟ ବିଜୟଧ୍ୱଜା ଉଡାଇଛି ଭାରତୀୟ ଜନତା ପାର୍ଟି । ୬୮ଟି ବିଧାନସଭା ଆସନରୁ ବିଜେପି ୪୪ଟି ଆସନ ହାତେଇଥିବାବେଳେ କଂଗ୍ରେସ ହାତେଇଛି ୨୧ଟି ଆସନ । ହିମାଚଳରେ କଂଗ୍ରେସ ପାଇଁ ଆଶ୍ୱାସନା ହେଉଛି ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ୍ କୁମାର ଧୁମଲ ଓ ରାଜ୍ୟ ଭାଜପା ମୁଖ୍ୟ ସତ୍ ପାଲ୍ ସିଂ ସଚ୍ଚିଙ୍କ ପରାଜୟ ।

୨୦୧୯ ନିର୍ବାଚନ ପୂର୍ବରୁ ଗୁଜରାଟ ନିର୍ବାଚନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା । ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ବାସିନ୍ଦା ହୋଇଥିବାରୁ ସମ୍ମାନ ରକ୍ଷା କରିବାକୁ ପ୍ରାଣପ୍ରଣେ ଲାଗି ପଡିଥିଲେ ବିଜେପି ଦଳୀୟ କର୍ମୀ । ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ ସର୍ଭେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଭୁଲ ପ୍ରମାଣିତ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆକଳନ କରିଥିବା ୧୫୦ ଆସନ ଦୁଇ ଅଙ୍କରେ ସୀମିତ ରହିଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ଜିଲ୍ଲା ମେହସାନାରେ ବିଫଳ ହୋଇଛି ଭାରତୀୟ ଜନତା ପାର୍ଟି । ପଟେଲ୍ ବହୁଳ ଉନ୍ଝା ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନାରାୟଣ ଭାଇ ପଟେଲକୁ ହରାଇଛନ୍ତି ଆଶା ବେନ୍ ପଟେଲ୍ । ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଏବଂ ରାଜ୍ୟ ବିଜେପି ସଭାପତି ଜିତୁ ବଘାନୀ ବିଜୟୀ ହୋଇଛନ୍ତି ।

ଗ୍ରାମାଞ୍ଚଳ ଭୋଟରଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହୋଇଛି କଂଗ୍ରେସ । ବିମୁଦ୍ରାକରଣ ଏବଂ ଗବର ସିଂହ ଟାକ୍ସକୁ ଆୟୁଧ କରି ବିଜେପି ଉପରକୁ ବାଣ ନିକ୍ଷେପ କରିଥିଲେ ରାହୁଲ । ଯାହାର ପ୍ରଭାବ ସିଧାସଳଖ ଗ୍ରାମାଞ୍ଚଳ ଭୋଟରଙ୍କ ଉପରେ ପଡିଥିଲା । ରାହୁଲ ଗାନ୍ଧି ଗୁଜରାଟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲ, ଦଳିତ ନେତା ଜିଗ୍ନେଶ ମେଭାନି ଏବଂ ପଛୁଆ ବର୍ଗ ନେତା ଅଳ୍ପେଶ ଠାକୁରଙ୍କ ସହ ମିଳିତ ହୋଇ ଋଣନୀତି ପ୍ରସ୍ତୁତ କରିଥିଲେ । ଏମାନଙ୍କ ମଧ୍ୟରୁ ହାର୍ଦ୍ଦକ ନିର୍ବାଚନ ଲଢିନଥିଲେ ହେଁ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଜିଗ୍ନେଶ ଓ ଅଳ୍ପେଶ ସେମାନଙ୍କର ପ୍ରତିଦ୍ୱନ୍ଦୀଙ୍କୁ ହରାଇ ନିର୍ବାଚନ ଋଣାଙ୍ଗନରେ ବିଜୟୀ ହୋଇଛନ୍ତି । କଂଗ୍ରେସ ନେତୃବୃନ୍ଦ ଆପଣମାନେ ମୋତେ ଗର୍ବିତ କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ରାହୁଲ ଗାନ୍ଧି । ଭଦ୍ରାମି ଏବଂ ସାହସ ହେଉଛି କଂଗ୍ରେସ ଦଳର ମୂଳାଧାର ବୋଲି କଂଗ୍ରେସ ଭାଇ ଭଉଣୀ ପ୍ରମାଣିତ କରିଛନ୍ତି । ଗୁଜରାଟରେ ପାଖାପାଖି ଦୁଇ ପ୍ରତିଶତ ଭୋଟର ନୋଟାକୁ ପ୍ରଥମ ପସନ୍ଦ ଭାବେ ବାଛିଥିଲେ । ବିଜେପି ଓ କଂଗ୍ରେସ ତଳକୁ ନୋଟାରେ ଅଧିକ ଭୋଟ ଦେଇଥିଲେ ଭୋଟର ।

Previous ନୂତନ ସ୍ୱାସ୍ଥ୍ୟ ଯୋଜନାର ଲୋକାର୍ପଣ କଲେ ମୁୁଖ୍ୟମନ୍ତ୍ରୀ
Next ବ୍ରାଡ଼ମ୍ୟାନଙ୍କ ନିକଟତର ହେଲେ ସ୍ମିଥ

No Comment

Leave a reply

Your email address will not be published. Required fields are marked *