ବିଡିଏ ଓ ସିଡିଏ: ଟଙ୍କା ଦେଲେ ସବୁ ମାଫ୍


ପ୍ରଚଳିତ ନିୟମ ଓ ଶୃଙ୍ଖଳାକୁ ମାନି ସୁନାଗରିକର କର୍ତ୍ତବ୍ୟ ନିର୍ବାହ କରିବା ସତେ ଯେପରି ଅପରାଧ । ଅଥଚ ସେସବୁକୁ ଉଲ୍ଲଂଘନ କରି ନିଜର ପ୍ରଭାବ ଓ ପତିଆରା ଜାହିର କରୁଥିବା ଲୋକଙ୍କ ପାଇଁ ଆଇନର କଠୋର ଶୃଙ୍ଖଳକୁ ଉନ୍ମୁକ୍ତ କିମ୍ବା ଖୋଲାମେଲା କରିଦେବାକୁ ସମସ୍ତେ ଯେମିତି ତତ୍ପର ହୋଇପଡିଛନ୍ତି । ଧୂଆମୂଳା ଅଧୂଆମୂଳା ସମସ୍ତେ ସେହି ଗୋଟିଏ ଡଙ୍ଗାର ଯାତ୍ରୀ । ନିୟମ ମାନିବା ଓ ଅମାନ୍ୟ କରିଥିବା ଲୋକଙ୍କ ପାଇଁ ଯଦି ସେହି ଏକା ବ୍ୟବସ୍ଥା କାର୍ଯ୍ୟକାରୀ ହୁଏ ତେବେ ନିୟମ ଓ ଶୃଙ୍ଖଳା ଭଳି ଶବ୍ଦକୁ ବିଡିଏ କର୍ତୃପକ୍ଷ ପ୍ରତ୍ୟାହାର କରିନେବା ଉଚିତ । ଏକ୍ଷେତ୍ରରେ କେବଳ ବିଡିଏ ନୁହେଁ ସିଡିଏ ମଧ୍ୟ ଆଇନର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି । ବିଡିଏ ଆବଣ୍ଟିତ ଘର ଓ ଜମି ବିକ୍ରି କ୍ଷେତ୍ରରେ ସମସ୍ତ ପ୍ରକାର ଶୃଙ୍ଖଳା ଭଙ୍ଗ ପ୍ରତି ଆଖିବୁଜି ଦେଇ ବିକ୍ରିଲବ୍ଧ ଧନର ୨୫ ପ୍ରତିଶତ ହାତେଇବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ସିଡିଏ ମଧ୍ୟ ସେହିପରି ଭିତ୍ତିଭୂମିର ସୁବିଧା ସୁଯୋଗ ସୃଷ୍ଟି ନକରି ଅଭିନବ ବିଡାନାସିର ୧୩ ନମ୍ବର ସେକ୍ଟର ପ୍ଲଟ ଆବଣ୍ଟନ ମାଧ୍ୟମରେ କୋଟିକୋଟି ଟଙ୍କା ଲୁଟିଛନ୍ତିା ଏଥିମଧ୍ୟରେ ପ୍ରାୟ ୧୦ ବର୍ଷ ଅତିକ୍ରମ କରିଥିଲେହେଁ ପ୍ଲଟଧାରୀ ଘର ତିଆରିବାର ସୁଯୋଗ ର ବଂଚିତ ହୋଇଛନ୍ତିା ଆପତି ଅଭିଯୋଗ ଶୁଣିବାକୁ କେହି ନାହାଁନ୍ତି । ସଂପୃକ୍ତ ଜମି ବିବାଦ ଅଦାଲତରେ ତୁଟୁ ନଥିବା ଦର୍ଶାଇ ଲୋକଙ୍କୁ କର୍ତ୍ତୃପକ୍ଷ ଭଣ୍ଡାଇ ଚାଲିଛନ୍ତି । ଯଦି ଅନୁରୂପ ଦୋଷ ଘରୋଇ ବିଲ୍ଡର କରିଥାନ୍ତେ ତେବେ ତାଙ୍କୁ ଆଇନର ନାଲି ଆଖି ଦେଖାଇ ସରକାର ବାନ୍ଧି ପକାଇବାରେ ସାମାନ୍ୟ ଢିଲା ଦେଇନଥାନ୍ତେ । ଭୁବନେଶ୍ୱର ଓ କଟକ ଉନ୍ନୟନ ପ୍ରାଧିକରଣଙ୍କ କାର୍ଯ୍ୟଧାରାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ହେଉଛି ଯେ ସେମାନେ ସ୍ଥଳବିଶେଷରେ ଦଲାଲି କରିବା ସହ ଘର ଓ ଜମିଧାରୀଙ୍କୁ ଲୁଟିବା ବ୍ୟତୀତ ତଥାକଥିତ ଉନ୍ନୟନମୂଳକ କାର୍ଯ୍ୟର ଧାର ଧାରନ୍ତି ନାହିଁ ।
ନିକଟରେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ଙ୍କ ୧୩୫ତମ ଅଧିବେଶନ ଶେଷହୋଇଛି । ଆବଣ୍ଟିତ ଜମି ଓ ଘର ବିକିବା ପ୍ରକ୍ରିୟା ସହଜ ଓ ସରଳ କରିବା ନାଁରେ ଉପାର୍ଜନର ପନ୍ଥାକୁ କର୍ତ୍ତୃପକ୍ଷ ଆଦରିନେଇଛନ୍ତି । ପ୍ଲାନ ଅନୁଯାୟୀ ଘର ନିର୍ମାଣ ହେଉକି ନ ହେଉ, ଘରର ଆବଶ୍ୟକ ଭିତ୍ତିଭୂମି ଥାଉ ନଥାଉ କିମ୍ବା ଯେଉଁ ଉଦ୍ଦେଶ୍ୟରେ ଜମି ନିଆଯାଇଛି ତାହାର ଦୂରୁପଯୋଗ ହୋଇଥାଉ ତାହାକୁ ବିକ୍ରି କରିବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଜମି ଓ ଘର ବିକ୍ରି ବାବଦ ଲାଭାଂଶରୁ ବିଡିଏ ୨୫ ପ୍ରତିଶତ ପାଇଗଲେ ଏକ୍ଷେତ୍ରରେ ଥିବା ସବୁ ପ୍ରତିବନ୍ଧକ ଦୂର ହୋଇଯିବ । ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ଯେଉଁମାନେ ନିୟମ ଶୃଙ୍ଖଳାର ଧାରେଧାରେ ରହି ଆଇନାନୁମୋଦିତ ଉପାୟରେ ନିଜ ଘର ବା ଜମି ବିକିବାକୁ ଚାହିଁବେ ସେମାନେ ମଧ୍ୟ ବିଡିଏକୁ ଲାଭାଂଶରୁ ୨୫ ପ୍ରତିଶତ ଦେବେ । ଏମାନଙ୍କ ସଂଖ୍ୟା ସୀମିତ ହୋଇଥିଲେ ମଧ୍ୟ ସେମାନେ କାହିଁକି ଏହି ତଣ୍ଡ ଗଣିବେ । ଅନ୍ତତଃ ଶୃଙ୍ଖଳିତ ଓ କର୍ତ୍ତବ୍ୟ ସଚେତନ ନାଗରିକଙ୍କ କ୍ଷେତ୍ରରେ ଏଭଳି ଏକ ବ୍ୟବସ୍ଥା ଲାଗୁ କରିବା ଉଚିତ ହୋଇନାହିଁ । ନିୟମ ଓ ଶୃଙ୍ଖଳା ଉଲ୍ଲଂଘନର ଦଣ୍ଡ ସେମାନେ କାହିଁକି ଭୋଗିବେ । ଏହା ସେମାନଙ୍କ ସ୍ୱାଧିକାର ଓ ଆଇନଗତ ଅଧିକାରକୁ ଖର୍ବ କରୁଛି । ଏଭଳି ଏକ ନିଷ୍ପତ୍ତିର ଅନ୍ୟ ଏକ ଦିଗହେଲା, ଆଇନଗତ ବ୍ୟବସ୍ଥା ପ୍ରତି କାହାର ଶ୍ରଦ୍ଧା ଓ ବିଶ୍ୱାସ ରହିବ ନାହିଁ । ଏହାଛଡା ଯୋଜନାବଦ୍ଧ ନଗର ଉନ୍ନୟନ କେବଳ ବାଧାପ୍ରାପ୍ତ ହେବ ନାହିଁ, ଯାବତୀୟ ବିଶୃଙ୍ଖଳାର ପଥ ପରିଷ୍କାର ହୋଇଯିବ । ଏବେ ରାଜଧାନୀ ସହରରେ କେବଳ ବର୍ଷା ଜଳ ନୁହେଁ, ନାଳ ନର୍ଦମା ନିଷ୍କାସନରେ ଯେଉଁ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି ତାହାର ପୃଷ୍ଠଭାଗରେ ଅଛି ନିୟମ ଓ ଶୃଙ୍ଖଳା ଲଂଘନ କରିଚାଲିଥିବା ଜମି ଦଖଲ ଓ ଗୃହ ନିର୍ମାଣ । ସେସବୁକୁ ଯଦି ଅର୍ଥ ବିନିମୟରେ ମାଫ୍ କରିଦିଆଯାଏ ତେବେ ଆଗକୁ ଆହୁରି ଗୁରୁତର ପରିସ୍ଥିତି ସୃଷ୍ଟି ହେବ । ଅନ୍ତତଃ ସ୍ମାର୍ଟ ସିଟି ଗଢିବାର ଦୂରଦୃଷ୍ଟି ପ୍ରତି ବିଡିଏ କର୍ତୃପକ୍ଷ ଏଭଳି ଆଖିବୁଜି ଦେବା ଠିକ୍ ହେବ ନାହିଁ । ସର୍ବୋପରି ନିୟମ ଓ ଶୃଙ୍ଖଳାକୁ ସମ୍ମାନ ଦେଉଥିବା ନାଗରିକଙ୍କୁ ଏଭଳି ୨୫ ଶତାଂଶ ଲାଭ ପ୍ରଦାନ ନିଷ୍ପତ୍ତିରୁ ମୁକ୍ତ ରଖାଯିବା ଉଚିତ । ନହେଲେ ଶାସନଗତ ଶୃଙ୍ଖଳା ରକ୍ଷା ଏବଂ ଆଇନ୍ ପ୍ରତି ଥିବା ଶ୍ରଦ୍ଧା ଓ ବିଶ୍ୱାସ ସମ୍ପୂର୍ଣ୍ଣ ରୂପେ ତୁଟିଯିବ । ଅନ୍ୟପକ୍ଷରେ ବିଲ୍ଡର ଓ ଆର୍କିର୍ଟେକ୍ଚରମାନେ କ୍ରୟ କରିଥିବା ଜମିର ଭିତ୍ତିଭୂମି ବିକାଶ ଓ ଗୃହ ନିର୍ମାଣ ନେଇ ଥିବା ବହୁ କଟକଣାକୁ ସେମାନଙ୍କ ଆପତ୍ତି ଓ ଅଭିଯୋଗ କ୍ରମେ ସଂଶୋଧନ କରାଯାଇଛି । ଅଥଚ ସାଧାରଣ ଲୋକଙ୍କ ଅନୁରୂପ ଆପତ୍ତିକୁ ଅଣଦେଖା କରାଯାଇଛି ।
ଏବେ ଆମେ କଟକ ଉନ୍ନୟନ ପ୍ରାଧିକରଣଙ୍କ ମନମୁଖୀ କାରବାର ସମ୍ପର୍କରେ କିଛି ତଥ୍ୟ ଅବତାରଣା କରିବା । ୧୩ ନମ୍ବର ସେକ୍ଟର ପ୍ଲଟ ଆବଣ୍ଟନ ପୂର୍ବରୁ ଜମି ଅଧିଗ୍ରହଣ ସଂକ୍ରାନ୍ତ ଆଇନଗତ ବିବାଦରୁ କର୍ତ୍ତୃପକ୍ଷ ମୁକ୍ତ ହେବାର ଥିଲା । ସ୍ୱରେଜ ବ୍ୟବସ୍ଥା ଏବଂ ଜଳ ଓ ବିଦ୍ୟୁତ ଯୋଗାଣ ଭଳି ଭିତିଭୂମିର ବିକାଶ ନକରି ଲୋକଙ୍କ ଠାରୁ ପ୍ଲଟ ବାବଦ ଅର୍ଥ ନେଇ ଦୀର୍ଘ ୮-୯ ବର୍ଷ ଧର ସେମାନଙ୍କୁ ଝୁଲାଇ ରଖିବା ଏକ ଧର୍ତ୍ତବ୍ୟ ଅପରାଧ । ସହରାଂଚଳରେ ବର୍ଷ ବର୍ଷ ଧରି ଭଡା ଘରେ ଜୀବନ ବିତାଉଥିବା ପରିବାର ପାଇ ମୁଣ୍ଡ ଗୁଞ୍ଜିବାର ଆବଶ୍ୟକତାକୁ ଗୁରୁତ୍ୱ ନଦେଇ ଅବିଚାରିତ ଭାବେ ଯେଉ ବିଳମ୍ବ କରାଯାଇଛି ତାହା କୌଣସି ପରିସ୍ଥିତିରେ କ୍ଷମଣୀୟ ନୁହେଁ । ସବୁଠାର ଉଲ୍ଲେଖନୀୟ ଦିଗ ହେଲା, ପଜେସନ ଲେଟର ଦେଲା ବେଳେ ପରିବର୍ଦ୍ଧିର୍ତ ଜମି ମୂଲ୍ୟ ବାବଦ ଅତିରିକ୍ତ ଦେୟ କର୍ତ୍ତୃପକ୍ଷ ଆଦାୟ କରୁଥିବାବେଳେ ବର୍ଷ ବର୍ଷ ଧରି ଘର କରିବା ପାଇଁ ଅପେକ୍ଷା କରିଥିବା ଲିଜଧାରୀଙ୍କୁ ଅନୁରୂପ ଭାବେ ସିଡିଏ ତଣ୍ଡ ଦେବ ନାହିଁ କାହିଁକି? ଜୀବନରେ ଘର କରିବାର ସ୍ୱପ୍ନ ଦେଖିଥିବା ଏହି ଲିଜଧାରୀଙ୍କ ମଧ୍ୟରୁ କେତେକ ମରି ହଜି ଗଲେଣି । ଶେଷ ଜୀବନରେ ସେମାନଙ୍କ ଏହି ମାନସିକ ନିର୍ଯ୍ୟାତନାକୁ କର୍ତ୍ତୃପକ୍ଷ ଭରଣା କରିପାରିବେ କି? ଅଦାଲତରେ ଥିବା ବିବାଦ ତୁଟି ଯାଇଥିଲେ ମଧ୍ୟ ସଂପୃକ୍ତ ଅଂଚଳର ଭିତ୍ତିଭୂମି ବିକାଶକୁ ଆଖିବୁଜି ଦିଆଯାଇଛି । ଲୋକଙ୍କୁ ଭଣ୍ଡେଇ ଚାଲିଥିବା ସିଡିଏ କର୍ତ୍ତୁପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର କୁଣ୍ଠିତ କାହିଁକି?

ବରିଷ୍ଠ ସାମ୍ବାଦିକ -କାନନ ଦାସ

Previous ବିଜେପି ଟାର୍ଗେଟରେ ନବୀନଙ୍କ ଭାବମୂର୍ତ୍ତି
Next ଅମିତ ଶାହାଙ୍କ ବାଚଳାମିରୁ ବିଭ୍ରାନ୍ତି

No Comment

Leave a reply

Your email address will not be published. Required fields are marked *