ପପୁଙ୍କ କମାଲ:୩ରାଜ୍ୟରେ କଂଗ୍ରେସ ଚିତ୍ କଲା ବିଜେପିକୁ

Assembly Election Results 2018,Congress is back

ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟି ନଭେମ୍ବର ୧୨ରୁ ଡ଼ିସେମ୍ବର ୫ତାରିଖ ମଧ୍ୟରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନ ଫଳାଫଳ କଂଗ୍ରେସ ଦଳପାଇଁ ବିଜୟ ଆଣିବା ସହ ବିଜେପିକୁ ଶକ୍ତ ଝଟକା ଦେଇଛି । ଛତିଶଗଡ଼ରେ ୯୦ ଆସନ, ମଧ୍ୟପ୍ରଦେଶ ୨୩୦ ଆସନ, ମିଜୋରାମର ୪୦, ତେଲେଙ୍ଗାନାର ୧୧୯ ଓ ରାଜସ୍ଥାନର ୨୦୦ ଆସନରୁ ୧୯୯ଟି ଆସନ ପାଇଁ ଭୋଟଗ୍ରହଣ କରାଯାଇଥିଲା । ମଙ୍ଗଳବାର ଏହି ସମସ୍ତ ରାଜ୍ୟରେ ଭୋଟଗଣତି ଆରମ୍ଭ ହେବା ସହ ମଧ୍ୟପ୍ରଦେଶକୁ ଛାଡ଼ି ଅନ୍ୟ ୪ଟି ରାଜ୍ୟର ଫଳଫଳ ରାତିସୁଦ୍ଧା ଜଣାପଡ଼ିଥିଲା । ଏହାସହ ବୁଧବାର ସକାଳୁ ମଧ୍ୟପ୍ରଦେଶରେ ବଳକା ଆସନର ଭୋଟ ଗଣତି ଶେଷ ହେବା ସହ କଂଗ୍ରେସ ବିଜୟୀ ଘୋଷିତ ହୋଇଛି । ଏଠାରେ ୨୩୦ ଆସନରୁ କଂଗ୍ରେସ ୧୧୪, ବିଜେପି ୧୦୯ ଓ ଅନ୍ୟାନ୍ୟ ୭ଟି ଆସନରେ ବିଜୟ ହୋଇଛି।

୧୫ ବର୍ଷଧରି ଛତିଶଗଡ଼ରେ ଶାସନ କରି ଆସୁଥିବା ବିଜେପି ଦଳ ଓ ରମଣ ସିଂକୁ ଜନତା ଚଳିତ ନିର୍ବାଚନରେ ନାପସନ୍ଦ କରିବା ସହ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିଛି । ୯୦ଟି ଆସନରୁ କଂଗ୍ରେସ ୬୮ ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ଏକ ପ୍ରକାର ସ୍ଥିର ହୋଇଥିବା ବେଳେ ବିଜେପିକୁ ମିଳିଛି ୧୫ ଆସନ । ସେହିଭଳି ରାଜସ୍ଥାନର ୨୦୦ ଆସନରୁ କଂଗ୍ରେସ ୧୦୦, ବିଜେପି ୭୩, ବିଏସପି ୬ ଓ ଅନ୍ୟାନ ୨୦ଟି ଆସନ ଅକ୍ତିଆର କରିଛି । କଂଗ୍ରେସର ସଂଖ୍ୟା ଗରିଷ୍ଠତା କାରଣରୁ ସରକାରଗଠନ କରିବା ନିଶ୍ଚତ ହୋଇଛି । ସେହିଭଳି ୨୦୧୮ ବିଧାନସଭା ନିର୍ବାଚନରେ ମିଜୋରାମର ମତଦାତାମାନେ ବିଜେପି ଓ କଂଗ୍ରେସ ପରି ଜାତୀୟ ଦଳ ପରିବର୍ତ୍ତେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନଏଫ୍) ପରି ଆଞ୍ଚଳିକ ଦଳ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତି । ପୂର୍ବରୁ କଂଗ୍ରେସ ମିଜୋରାମର ଶାସନ କ୍ଷମତାରେ ରହିଥିବା ବେଳେ ଚଳିତ ନିର୍ବାଚନରେ ମତଦାତାମାନେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି। ପୂର୍ବରୁ ମିଜୋରାମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ଲାଲ୍ ଥନ୍ଓ୍ଵାଲା ଚଳିତ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ଦୁଇଟି ଯାକ ଆସନରୁ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଏମ୍ଏନଏଫ୍ ମୁଖ୍ୟ ଜୁରମା ଥାଙ୍ଗା ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଛି। ମିଜୋରାମରେ ୪୦ଟି ଆସନରୁ ଏମ୍ଏନ୍ଏଫ୍ ୨୬, କଂଗ୍ରେସ ୫, ବିଜେପି ୧ ଓ ଅନ୍ୟାନ୍ୟ ୮ଟି ଆସନରେ ବିଜୟ ଲାଭ କରିଛନ୍ତି। ତେବେ, ମିଜୋରାମର ନିର୍ବାଚନ ଫଳାଫଳ କଂଗ୍ରେସକୁ ଏକ ଶକ୍ତ ଧକ୍କା ଦେଇଛି। କାରଣ, ପୂର୍ବରୁ ଦେଶର ଉତ୍ତର-ପୂର୍ବ ରାଜ୍ୟ ସମୂହ କଂଗ୍ରେସ ପାଇଁ ହସ୍ତମୁଦି ମାହଲ ସଦୃଶ ରହିଥିଲା। ତେବେ ଆସାମ, ତ୍ରିପୁରା, ମଣିପୁର ପରେ ଏବେ ମିଜୋରାମ ହାତରୁ ଖସିଯିବା କଂଗ୍ରେସ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି।
ସେହିଭଳି ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନରୁ ୮୮ଟି ଅକ୍ତିଆର କରି କେ ଚନ୍ଦଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଠାରେ କଂଗ୍ରେସକୁ ୨୧, ବିଜେପିକୁ ୧ ଓ ଅନ୍ୟାନ୍ୟ ଦଳକୁ ୯ଟି ଆସନ ମିଳିଛି । ଏଠାରେ ଟିଡିପି ସହ କଂଗ୍ରେସ ମେଣ୍ଟ କରିବା କାରଣରୁ ବିଫଳତା ମିଳିଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।
ଛତିଶଗଡ଼ରେ ସୋଚନିୟ ଭାବେ ବିଜେପି ପରାଜିତ ହେବା ପରେ ରମଣ ସିଂ ଏହି ପରାଜୟ ସ୍ୱୀକାର କରି ରାଜ୍ୟପାଳଙ୍କୁ ଗତକାଲି ଇସ୍ତଫା ଦେଇଥିଲେ । ସେହିଭଳି ରାଜସ୍ଥାନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଇସ୍ତଫା ଦେଇଥିଲେ । ଆଜି ଏହିଧାରାରେ ସାମିଲ ହୋଇଥିଲା ଶିବରାଜ ସିଂହ ଚୌହାନଙ୍କ ଇସ୍ତଫା । ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ଆସନରେ ବିଜୟୀ ହେବା ସହ ମାୟାବତୀଙ୍କ ସମାଜ ବାଦି ପାର୍ଟି ସମର୍ଥନରେ କଂଗ୍ରେସ ସରକାର ଗଠନ କରିବା ପ୍ରାୟ ନିଶ୍ଚିତ ଜାଣିବା ପରେ ଆଜି ସକାଳେ କାମଚଳା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ପତ୍ର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ପ୍ରଦାନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ତି ଯେ ଜନତାଙ୍କ ଆଦେଶକୁ ଗ୍ରହଣ କରି ସେ ଆଉ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିବେ ନାହିଁ। ତେଣୁ ସେ ଇସ୍ତଫା ଦେବାକୁ ଯାଉଛନ୍ତି ।
ଏହି ବିଧାନସଭା ନିର୍ବାଚନ ୨୦୧୯ ସାଧାରଣ ନିର୍ବାଚନ ପାଇଁ ସେମିଫାଇନାଲ କୁହାଯାଉଥିବା ବେଳେ କଂଗ୍ରେସ ଦଳ ପାଇଁ ଏକ ଆଶା ସଂଚାର କରି ମୋଦି ଓ ସାହାଙ୍କୁ ଶକ୍ତ ଝଟକା ଦେଇଛି । ସାଧାରଣ ନିର୍ବାଚନର ଏହା ପୂର୍ବାଭାଷ ଦେଇଛି, ବିଜେପି ପ୍ରତି ଜନ ଅସନ୍ତୋଷ ବଢୁଥିବାର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହାସହ ବିଜେପି ନିଜର ଆତ୍ମସମୀକ୍ଷା କରି ରଣନୀତି ବଦଳାଇବାକୁ ଏକପ୍ରକାର ବାଧ୍ୟ କରିଛି ଏହି ନିର୍ବାଚନର ଫଳାଫଳ ବୋଲି କହିଲେ ଭୂଲ ହେବ ନାହିଁ ।
ଅନ୍ୟ ପକ୍ଷରେ ବିଜେପି ପରାଜୟର କାରଣ ଦଳର ଆତ୍ମଗର୍ବ, ଚାଷୀଙ୍କୁ ଅଣ ଦେଖା କରିବା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାର ଶାସନା କରୁଥିଲେ ମଧ୍ୟ ଆଖିଦୃଶ୍ୟା ବିକାଶମୂଳକ କାର୍ଯ୍ୟ କରିନାହିଁ । ଅନ୍ୟପକ୍ଷରେ ଅନେକ ପ୍ରତିଶୃତି ଦେଇ ପରବର୍ତ୍ତି ସମୟରେ ତାହା ପୁରଣ ନକରିବା, ତୃଣମୂଳ ସ୍ତର ସମସ୍ୟା ଓ ଲୋକଙ୍କୁ ଭାଜପା ନେତାଙ୍କ ଅଣ ଦେଖା କରିବା ବୋଲି ଚର୍ଚ୍ଚା ହେଉଛି । ଏହାସହ ତୈଳ ଓ ଗ୍ୟାସ ଦରଦାମ ବୃଦ୍ଧି, ବିମୁଦ୍ରୀକରଣ ଭଳି ସମସ୍ୟା ସାଧାରଣ ଲୋକ ଜୀବନଶୈଳୀକୁ ପ୍ରଭାବିତ କରିବା ସହ ଭାଜପା ପରାଜୟର କାରଣ ପାଲଟିଲା ।

Previous ଆଡିଲେଡ ଟେଷ୍ଟ ମ୍ୟାଚ:ଅଷ୍ଟ୍ରେଲିଆକୁ ୩୧ ରନ୍‌ରେ ହରେଇଲା ଟିମ ଇଣ୍ଡିଆ
Next ବଲିଉଡ଼ରେ ଏଣ୍ଟ୍ରିକରିବେ କିଙ୍ଗ୍ ଖାନଙ୍କ ଝିଅ!

No Comment

Leave a reply

Your email address will not be published. Required fields are marked *