ନିର୍ବାଚନ ବଜେଟରେ ଗ୍ରାମୀଣ ଭାରତକୁ ଗୁରୁତ୍ୱ


ସରକାର ବଜେଟ ପ୍ରସ୍ତୁତ କଲାବେଳେ ସାଧାରଣତଃ ଦୁଇଟି ପ୍ରମୁଖ ଦିଗ ମଧ୍ୟରେ ଭାରସାମ୍ୟ ରଖିଥାନ୍ତି । ସମ୍ମୁଖରେ ଥିବା ରାଜନୈତିକ ବାଧ୍ୟବାଧକତା ଏବଂ ଦେଶର ସାମଗ୍ରୀକ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରୁ କୌଣସି ଗୋଟିକୁ ଅଣଦେଖା କରାଯାଇନାହିଁ କେନ୍ଦ୍ରସରକାରଙ୍କ ୨୦୧୮-୧୯ ବଜେଟ୍ରେ । ରାଜନୈତିକ ବାଧ୍ୟବାଧକତା ମଧ୍ୟରେ ଆଗକୁ ଅଛି ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ପରେପରେ ୨୦୧୯ ଆରମ୍ଭରେ ସାଧାରଣ ନିର୍ବାଚନ । ସେ ଦୃଷ୍ଟିରୁ କେନ୍ଦ୍ରରେ କ୍ଷମତାସୀନ ଏନ୍ ଡି ଏ ସରକାରଙ୍କ ପାଇଁ ଏହା ଥିଲା ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବାର ଶେଷ ସୁଯୋଗ । କୃଷିଋଣ ଛାଡ଼ ଓ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟବୃଦ୍ଧି ଦାବିକରି କୃଷିଜୀବୀ ସମଗ୍ର ଦେଶରେ ଆନ୍ଦୋଳନ ଓ ପ୍ରତିବାଦ ଜାରି ରଖିଥିବା ବେଳେ ଋଣଗସ୍ତ ଚାଷୀଙ୍କ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମୀଣ ଭାରତକୁ କୃଷିଜୀବୀ ପ୍ରତିନିଧିତ୍ୱ କରୁଥିବାରୁ ବଜେଟରେ ସେମାନଙ୍କୁ ଯଥାସମ୍ଭବ ସନ୍ତୁଷ୍ଟ କରିବାର ପ୍ରୟାସ ହୋଇଛି । ଅନ୍ୟ ପକ୍ଷରେ ବିମୁଦ୍ରୀକରଣ ଏବଂ ସେବା ଓ ସମାଗ୍ରୀ ଟିକସ ମାଡ଼ରେ ଦେଶରେ ମୋଟ ଆଭ୍ୟନ୍ତରୀଣ ଉତ୍ପାଦନ (ଜିଡିପି) ହାରରେ ଶିଥିଳତା ପରିଲକ୍ଷିତ ହୋଇଛି । ବିଶ୍ୱ ଅର୍ଥନୀତି ସହ ପ୍ରତିଯୋଗିତାପୂର୍ଣ୍ଣ ସ୍ଥିତିରେ ରହିବା ସକାଶେ ସରକାର ମନ୍ଥର ଅଭିବୃଦ୍ଧି ହାରକୁ ଗତିଶୀଳ କରିବାରେ ସଯତ୍ନ ପ୍ରୟାସ ଜାରି ରଖିଛନ୍ତି । ବର୍ଦ୍ଧିତ ପାଇକାରୀ ମୂଲ୍ୟସୂଚି, ଚଳନ୍ତି ଖାତାରେ ନିଅଣ୍ଟ ଓ ବିତ୍ତୀୟ ନିଅଣ୍ଟ ଭଳି ପ୍ରତିକୂଳ ପରିସ୍ଥିତିରେ ସୁଧାର ଆଣିବା ସକାଶେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିଛନ୍ତି ଅର୍ଥମନ୍ତ୍ରୀ । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସରୁ ସରକାର ବିପୁଳ ଟିକସ ଆଦାୟର ଯେଉଁ ସୁଯୋଗ ପାଇଥିଲେ ତାହା କ୍ରମେ ହାତଛଡ଼ା ହୋଇଥିଲେ ମଧ୍ୟ କେନ୍ଦ୍ରସରାକର ବିତ୍ତୀୟ ନିଅଣ୍ଟ ହାରକୁ ୩.୩ ପ୍ରତିଶତରେ ସୀମିତ ରଖିବାକୁ ପ୍ରତିଶୃତି ଦେଇଛନ୍ତି । ଅନ୍ୟ ପକ୍ଷରେ କୃଷି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ସାଙ୍ଗକୁ କୃଷିଋଣ ଓ ଜଳସେଚନ ସୁବିଧା ଯୋଗାଣ ସକାଶେ ବଜେଟରେ ଅଧିକ ଅର୍ଥ ବରାଦ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ତେବେ କୃଷି ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରଣ କରିବା ଏକ ଦୂରୁହ ବ୍ୟାପାର । ଦେଶର ବିଭିନ୍ନ ଅଞ୍ଚଳରେ ଏହି ବ୍ୟୟ ହାରରେ ଥିବା ତାରତମ୍ୟକୁ ଦେଖିଲେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି ନିଷ୍ପତ୍ତି କିପରି ଓ କାହାଭିତ୍ତି କରାଯିବ ତାହା ଚିନ୍ତାଜନକ । ପ୍ରଧାନମନ୍ତ୍ରୀଙ୍କ ତଥାକଥିତ ୨୦୨୨ରେ ପରିକଳ୍ପିତ ନୂତନ ଭାରତ ଗଠନ ସ୍ୱପ୍ନକୁ ସାକର କରିବା ସକାଶେ ଗ୍ରାମୀଣ ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶକୁ ଅଗ୍ରାଧିକାର ଦିଆଯାଇଛି ।


ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଗରିଷ୍ଠଙ୍କୁ ସନ୍ତୁଷ୍ଟ କରିବା କ୍ଷମତାରେ ଥିବା ଯେକୌଣସି ସରାକରଙ୍କ ମୌଳିକ କର୍ତ୍ତବ୍ୟ । ଏକଥା ସତ ଯେ କ୍ଷମତାର ଅଳିନ୍ଦରେ ଥାଇ ଅଧିକାଂଶ ଦଳ ଓ ସରକାର ଏହି କର୍ତ୍ତବ୍ୟକୁ ଭୁଲିଯାଇଥାନ୍ତି । ନିର୍ବାଚନ ବା ଭୋଟର ସମ୍ମୁଖୀନ ହେବାବେଳେ ଗ୍ରାମୀଣ ଭାରତରେ ବସବାସ କରୁଥିବା ୭୦ କୋଟି ଜନତାଙ୍କ ଦୁଃଖ ଓ ସୁଖ ସରକାରଙ୍କ ଚିନ୍ତନ ପରିସରକୁ ଆସିଥାଏ । ଦେଶରେ ସବୁଜ ବିପ୍ଳବର ଜନ୍ମଦାତା ବିଶିଷ୍ଟ କୃଷିବିତ୍ ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ଦେଶର କୃଷି ଅର୍ଥନୀତିର ସମୃଦ୍ଧି ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ ଦେଇଥିବା ସୁପାରିଶ ବିଳମ୍ବରେ ହେଲେ ମଧ୍ୟ ସରକାର ଗ୍ରହଣ କରିଛନ୍ତି । ସହାୟକ ମୂଲ୍ୟ ନିର୍ଦ୍ଧାରଣ ପ୍ରାୟ ସମସ୍ତ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ପ୍ରୟୋଗ କରାଯିବ । କୃଷିଋଣ ପରିମାଣ ୮.୫ ଲକ୍ଷ କୋଟିରୁ ୧୧ ଲକ୍ଷ କୋଟିି ଟଙ୍କାକୁ ବୃଦ୍ଧି କରାଯାଇଛି । ଦୁଗ୍ଧ ଓ ମତ୍ସ୍ୟଚାଷୀଙ୍କ ସକାଶେ କ୍ରେଡିଟ୍ କାର୍ଡ ସୁବିଧା, ପ୍ରଧାନମନ୍ତ୍ରୀଙ୍କ କୃଷି ସିଚାଇ ଯୋଜନାରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ, କୃଷି ସାମଗ୍ରୀର ବିପଣନ ସକାଶେ ବଜାର ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସମ୍ପ୍ରସାରଣରେ ୧୪୦୦ କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରହିଛି ।


କୃଷି ଓ କୃଷକଙ୍କ ବିକାଶରେ ଦେଶର ଗରିବ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆର୍ଥିକ ଦୃଷ୍ଟିରୁ ଦୟନୀୟ ସ୍ଥିତିରେ ଥିବା ଦେଶର ୧୦ କୋଟି ପରିବାରର ୫୦ କୋଟି ଲୋକଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା (ମୋଦି କେୟାର) ସୁବିଧା ଯୋଗାଣ ବଜେଟରେ ଅନ୍ୟତମ ଆକର୍ଷଣୀୟ ଦିଗ । ତେବେ ବଜେଟରେ ଏଥିସକାଶେ ବରାଦ ହୋଇଥିବା ଅର୍ଥ ଓ ହିତାଧିକାରୀଙ୍କ ସଂଖ୍ୟାକୁ ଅନୁଶୀଳନ କଲେ ମନେହୁଏ ଏହା କେବଳ ପ୍ରଚାର ସର୍ବସ୍ୱ । ବ୍ୟୟ ବହୁଳ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ସ୍ୱାସ୍ଥ୍ୟ ବୀମା ସେଭଳି ସହାୟକ ହେବନାହିଁ । ସେହିଭଳି ‘ଆୟୂଷ୍ମାନ ଭାରତ’ ଯୋଜନା ମାଧ୍ୟମରେ ଦେଶରେ ପ୍ରତିଷ୍ଠା ହେବାକୁ ଥିବା ଦେଢ଼ଲକ୍ଷ ୱେଲନେସ୍ କେନ୍ଦ୍ର ସ୍ୱାସ୍ଥ୍ୟ ସେବା ସମ୍ପ୍ରସାରଣରେ ସହାୟକ ହେବ । ଅନ୍ୟପକ୍ଷରେ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ଗରିବଙ୍କ ଜୀବିକା ସହାୟତା ବାବଦରେ ୧୪.୩୪ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବଜେଟରେ ପୂର୍ବବର୍ଷ ଅପେକ୍ଷା ଅଧିକ ୧୫,୦୦୦ କୋଟି ଟଙ୍କା ବରାଦ (୧ ଲକ୍ଷ ୩୮ ହଜାର କୋଟି) ଗ୍ରାମୀଣ ଜୀବନକୁ ବିକଶିତ କରିବାରେ ସହାୟକ ହେବ ।

ଏଠାରେ ସ୍ୱୀକାର୍ଯ୍ୟ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନମତକୁ ପ୍ରଭାବିତ କରିବାରେ ମଧ୍ୟମବର୍ଗଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆୟକର ସୀମା ଅପରିବର୍ତ୍ତିତ ରହିଥିବା ବେଳେ ଖାଉଟି ସାମଗ୍ରୀ କ୍ଷେତ୍ରରେ ଟିକସ ରିହାତିକୁ ଗୁରୁତ୍ୱ ଦିଆଯାଇନଥିବାରୁ ସେମାନେ ଅସନ୍ତୁଷ୍ଟ ହେବା ସ୍ୱଭାବିକ । ସରକାର କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବାରୁ ଖାଦ୍ୟସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟିବ । ଏହାକୁ ବାଦଦେଲେ ବଜେଟରେ ଅଧିକାଂଶ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ସାଧାରଣ ଉପଭୋକ୍ତାଙ୍କ ବ୍ୟୟଭାର ବୃଦ୍ଧି ପାଇବ । ଏହା ସାଙ୍ଗକୁ କ୍ରମାଗତ ତୈଳଦର ବୃଦ୍ଧି ଯୋଗୁଁ ଦିନକୁ ଦିନ ପରିବହନ ଖର୍ଚ୍ଚ ବଢ଼ିବ । ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଖାଉଟୀ ସାମଗ୍ରୀ ଯୋଗାଣ ଆଗାମୀ ଦିନରେ ବ୍ୟୟବହୁଳ ହେବ । ଏକଥା ନିଃସନ୍ଦେହରେ ସ୍ୱୀକାର କରାଯାଇପାରେକି ମୁଦ୍ରାସ୍ଫୀତି ହାର ବୃଦ୍ଧିକୁ ଚଳିତ ବଜେଟ୍ ରୋକି ପାରିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃୟାରୀ ୭ ତାରିଖରେ କରିଥିବା ମୁଦ୍ରାନୀତିର ସମୀକ୍ଷାରେ ଆଗକୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସୁଧ ହାରକୁ ଅପରିବର୍ତ୍ତିତ ରଖିଛନ୍ତି । ଚଳିତ ବଜେଟ୍ ବ୍ୟବସ୍ଥା ମୁଦ୍ରାସ୍ଫୀତି ବୃଦ୍ଧି ଓ ବିତ୍ତୀୟ ନିଅଣ୍ଟ ରୋକିବାରେ ଯେ ଅସମର୍ଥ ତାହା ସ୍ପଷ୍ଟ ହୋଇଛି ।

ବରିଷ୍ଠ ସାମ୍ବାଦିକ
କାନନ ଦାଶ

Previous ଦ୍ରୁତ ବୋଲର ଡଗ୍ ବୋଲିଙ୍ଗରଙ୍କ ଅବସର
Next ଡାଇବେଟିସର 8ଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ

No Comment

Leave a reply

Your email address will not be published. Required fields are marked *