ରେଳବାଇ କ୍ୟାଟରିଂରେ ଠକେଇ

Railway Catering

ରେଳଯାତ୍ରୀଙ୍କ ଅଜ୍ଞତା ଓ ସଚେତନତା ଅଭାବରୁ କ୍ୟାଟରିଂ ଦାୟିତ୍ୱରେ ଥିବା କର୍ମଚାରୀ ତଥା ଠିକା ନେଇଥିବା ସଂସ୍ଥା କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ଏଠାରେ ନୀତି ଓ ଦୁର୍ନୀତି କଥା ଯେତେ ନୁହେଁ ରେଳଯାତ୍ରୀ ନିଜର ଅଧିକାର ସାବ୍ୟସ୍ତ କରିବାରେ ପଛଘୁଞ୍ଚା ଦେଉଥିବାରୁ ବିପୁଳ ଅର୍ଥ ବାଟ ମାରଣା ହେଉଥିବାର ଜଣାପଡ଼ିଛି । ଏହି କାରସାଦୀପୂର୍ଣ୍ଣ କାର୍ଯ୍ୟରେ ରେଳ ଅଧିକାରୀଙ୍କ ସଂପୃକ୍ତି ନାହିଁ ଏକଥା ନୁହେଁ । ପରିସ୍ଥତି ଏପରି ହୋଇଛି ଯେ, ଯାତ୍ରୀଙ୍କ ସ୍ୱାର୍ଥରକ୍ଷା ସହ ଜଡ଼ିତ ଆପତ୍ତି ପୁସ୍ତିକାରେ ଲିଖିତ ଅଭିଯୋଗ କର୍ତ୍ତୁପକ୍ଷଙ୍କ ନିକଟରେ ପହଞ୍ଚିପାରୁନି । ତାହାର ଯେ ପ୍ରତିକାର ନାହିଁ ଏକଥା ନୁହେଁ । ଜଣେ ସଚେତନ ରେଳଯାତ୍ରୀ ଚାହିଁଲେ ଇଣ୍ଟରନେଟ୍ ମାଧ୍ୟମରେ କେବଳ ତଥ୍ୟ ସଂଗ୍ରହ କରିବାକୁ ସମର୍ଥ ହେବେ ନାହିଁ, କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ।

ଅନେକ ଯାତ୍ରୀ ବୋଧ ହୁଏ ଏକଥା ଜାଣିନଥିବେ ଯେ, ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଉଥିବା ସଂସ୍ଥା ବା ବ୍ୟକ୍ତିଙ୍କ ପାଖରେ ଖାଦ୍ୟର ଉଚିତ ମୂଲ୍ୟ ଲେଖାଥିବା ମେନ୍ୟୁକାର୍ଡ ରହିଛି । ହେଲେ ଏକଥା ଜାଣିନଥିବା ଅନେକ ଯାତ୍ରୀ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ବା ସଂସ୍ଥାଙ୍କୁ କେବେବି ମେନ୍ୟୁ କାର୍ଡ ମାଗନ୍ତି ନାହିଁ । ଯଦିବି କୌଣସି ବ୍ୟକ୍ତି ମେନ୍ୟୁକାର୍ଡ ମାଗନ୍ତି ତେବେ ବିଭିନ୍ନ ବାହାନା ବା ଆଳ ଦେଖାଇ ସେମାନେ ଯାତ୍ରୀଙ୍କୁ ଦେଖାନ୍ତି ନାହିଁ । ଏଠି ପ୍ରଶ୍ନ ଉଠେ ସେମାନେ ଯାତ୍ରୀଙ୍କୁ ମେନ୍ୟୁକାର୍ଡ କାହିଁକି ଦେଖାନ୍ତି ନାହିଁ? କାରଣ ସେମାନେ ଆମଠାରୁ ଖାଦ୍ୟ ବାବଦରେ ଅତିରିକ୍ତ ଦେୟ ଦାବି କରନ୍ତି । ସିଧାସଳଖ କହିବାକୁ ଗଲେ ସେମାନେ ଆମକୁ ଠକନ୍ତି ।

ଟ୍ରେନରେ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ନିରାମିଷ ଖାଦ୍ୟ ପାଇଁ ୧୦୦ ଟଙ୍କା ଏବଂ ଆମିଷ ପାଇଁ ୧୪୦ ଟଙ୍କା ଦେଇଥାଉ । ହେଲେ ଜାଣିଛନ୍ତି ଆମିଷ ଓ ନିରାମିଷ ଖାଦ୍ୟର ପ୍ରକୃତ ମୂଲ୍ୟ ୫୦ ରୁ ୬୦ ଟଙ୍କା । ମେନ୍ୟୁକାର୍ଡରେ ସବୁ ଖାଦ୍ୟର ଉଚିତ ମୂଲ୍ୟ ଲେଖା ରହିଛି, ଯାହା ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଦ୍ୱାରା ପୂର୍ବରୁ ସ୍ଥିର କରାଯାଇଛି । ଆମକୁ ଖାଦ୍ୟ ଯୋଗାଉଥିବା ସଂସ୍ଥା ଆମିଷ ଓ ନିରାମିଷ ଖାଦ୍ୟ ସାଙ୍ଗକୁ ଚାହା, କଫି ଓ ଅନ୍ୟାନ୍ୟ ଜଳଖିଆ ବାବଦରେ ଆମକୁ ଠକି ଥାଆନ୍ତି ।

ଆମ ଭିତରୁ ଅନେକେ ଭାବନ୍ତି ଯେ, ମୁଁ ତ ବର୍ଷକୁ ଥରେ କିମ୍ବା ଦୁଇଥର ଟ୍ରେନରେ ଯାତ୍ରା କରେ । ଯଦିବା କେହି ମୋ ଠାରୁ ଅଧିକ ଟଙ୍କା ନେଇଗଲା ତେବେ କ’ଣ ବା ଫରକ ପଡ଼ୁଛି । ଆମର ଏହି ଚିନ୍ତାଧାରା ପାଇଁ ଏବାବଦ ଜାଲିଆତି ଅର୍ଥ ଠିକଣା ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚୁଛି । ଆପଣ ଜାଣନ୍ତି ଗୋଟିଏ ନିର୍ଦ୍ଧିଷ୍ଟ ଦିଗରେ ଯାତାୟତ କରୁଥିବା ଟ୍ରେନରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଅତିରିକ୍ତ ଦେୟ ବାବଦରେ ଦେଢ଼ ଲକ୍ଷ୍ୟରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଆମେ ଟ୍ରେନରେ ଖାଦ୍ୟ ସାମଗ୍ରୀ କିଣିବା ବେଳେ ସାଧାରଣତଃ ଟଙ୍କା ବା କ୍ୟାସ୍ ଆକାରରେ ଦେଇଥାଉ । ଟଙ୍କା ଦେବାବେଳେ ସେମାନଙ୍କ ଠାରୁ କୌଣସି ରସିଦ୍ ବା ଭାଉଚର୍ ମାଗିନଥାଉ । ତେଣୁ ସେମାନଙ୍କୁ ଟଙ୍କା ହେରଫେର କରିବାରେ କୌଣସି ଅସୁବିଧା ହୁଏନାହିଁ । ଟ୍ରେନରେ ଖାଦ୍ୟ ଯୋଗାଣ ପାଇଁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟଠାରୁ ଅଧିକ ଟଙ୍କା ସେମାନଙ୍କ ପକେଟକୁ ଚାଲିଯାଏ ।

ଭାରତରେ ପ୍ରତିଦିନ ପାଖାପାଖି ୭୦୦୦ ରୁ ଅଧିକ ପାସେଞ୍ଜର ଟ୍ରେନ ଯାତାୟତ କରିଥାଏ । ସେଥିରୁ ଯଦି ୨୦୦୦ ଟ୍ରେନରେ ପ୍ୟାଣ୍ଟ୍ରିକାର ସୁବିଧା ଥାଏ, ତେବେ ଭାବନ୍ତୁ ଆମର ଅଜ୍ଞାତରେ ଭାରତୀୟ ରେଳବାଇ ପ୍ରତିଦିନ ୩୦ କୋଟିରୁ ଅଧିକ ଟଙ୍କା ଯାତ୍ରୀଙ୍କ ଠାରୁ ଠକି ନେଉଛି । ସେହି ହିସାବରେ ମାସକୁ ୯୦୦ କୋଟି ଏବଂ ବର୍ଷକୁ ହିସାବ କଲେ କେତେ କୋଟି ଟଙ୍କା ଯେ ହରିଲୁଟ ହେଉଛି ତାହା ସହଜରେ ଅନୁମାନ କରାଯାଇ ପାରେ ।

ଯେକୌଣସି ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀ ସଚେତନ ହେବା ନିହାତି ଜରୁରୀ । ଟ୍ରେନରେ ଖାଦ୍ୟ ଅର୍ଡର କଲାବେଳେ ସେମାନଙ୍କୁ ରେଟ୍ କାର୍ଡ ବା ମେନ୍ୟୁକାର୍ଡ ମାଗି ଖାଦ୍ୟର ଉପଯୁକ୍ତ ମୂଲ୍ୟ ଦେଖିବା ଉଚିତ । ସେମାନଙ୍କୁ କ୍ୟାସ୍ ବା ଟଙ୍କା ଆକାରରେ ବିଲ୍ ପୈଠ କଲାବେଳେ ରସିଦ୍ ମାଗିବା ନିହାତି ଆବଶ୍ୟକ । ଏହାଦ୍ୱାରା କିଛି ମାତ୍ରାରେ ଠକେଇ ବନ୍ଦ ହେବା ସହ ଫୁଡ୍ କଂଟ୍ରାକ୍ଟରଙ୍କ ଶୋଷଣରୁ ରକ୍ଷା ମିଳିବ । ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ସହାୟତା ପାଇଁ ସବୁ ଖାଦ୍ୟର ଏକ ପ୍ରାଇସ୍ ଚାର୍ଟ ତିଆରି କରିଛନ୍ତି। ଅନ୍ ଲାଇନ୍ ମାଧ୍ୟମରେ ଗୁଗୁଲ୍ ରେ IRCTC standard food menu rates ରେ ସର୍ଚ୍ଚ କରି କିମ୍ବା irctchelp.in ରେ ଲଗ୍ଇନ୍ କରି ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ।

ଦିପ୍ତିରଞ୍ଜନ ବେହେରା

Previous ଜଣେ ମହାନାୟକଙ୍କୁ ଇନାମ ‘ବେଇମାନ’
Next କର୍ମଜୀବୀ ମହିଳାଙ୍କ ଆତ୍ମରକ୍ଷା ପ୍ରସ୍ତୁତି

No Comment

Leave a reply

Your email address will not be published. Required fields are marked *