ଓଡ଼ିଶା କ’ଣ ପଛୁଆ?

is odisha backward?

ଅନେକ ବୁଦ୍ଧିଜୀବୀ ତଥା ବିରୋଧୀଦଳରେ ଥିବା ରାଜନେତାଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସର୍ବଦା ଶୁଣିବାକୁ ମିଳିଥାଏ । ତାହା ହେଲା ପ୍ରଚୁର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ସାମୁଦ୍ରିକ ବେଳାଭୂମି ସତ୍ତେ୍ୱ ଓଡ଼ିଶା କାହିଁକି ଗରିବ ବା ପଛୁଆ । ଆହୁରି ମଧ୍ୟ ଯିଏ ଯେତେବେଳେ କୌଣସି ରାଜନୈତିକ ଦଳରେ ଯୋଗ ଦିଏ, ସିଏ ମଧ୍ୟ କହିଥାଏ ଯେ ଓଡ଼ିଶାରେ ବିକାଶ, ପ୍ରଗତିର ଅନେକ ସମ୍ଭାବନା ରହିଛି ଏବଂ ତାଙ୍କ ଦଳ କ୍ଷମତାସୀନ ହେଲେ ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବ । କିନ୍ତୁ ଯେଉଁମାନେ ଏହି ପ୍ରତିଶ୍ରୁତି ଦେଇଥାନ୍ତି ସେମାନେ ବା ତାଙ୍କ ଦଳ ଓଡ଼ିଶାରେ କେବେନା କେବେ ଶାସନ କରିଛି । ପୁନଶ୍ଚ ଓଡ଼ିଶା ଯଦି ଅଗ୍ରଗତି କରେ ତେବେ ଏହା ଅନ୍ୟରାଜ୍ୟକୁ ଟପିବାର ସମ୍ଭାବନା ସୃଷ୍ଟି ହେବ । ଯଦି ଅନ୍ୟ ରାଜ୍ୟମାନେ ଓଡ଼ିଶା ଠାରୁ କମ୍ ମାତ୍ରରେ ପ୍ରର୍ଶତ କରନ୍ତି । ଏଣୁ ଏହା ଏକ ବୃଥା ଆସ୍ଫାଳନ । ଓଡ଼ିଶା ଅନ୍ୟରାଜ୍ୟଠାରୁ କେତେ ଆଗୁଆ ବା କେତେ ପଛୁଆ ତାହା ପ୍ରଶ୍ନ ନୁହେଁ, ବା ସମସ୍ୟା ନୁହେଁ, କିନ୍ତୁ ସମସ୍ୟା ହେଉଛି ଓଡ଼ିଶାରୁ କେତେମାତ୍ରରେ ଦାରିଦ୍ର‌୍ୟ, କ୍ଷୁଧା, ବେକାରୀ ତଥା ବୈଷମ୍ୟ ଦୂର ହୋଇପାରିବ । କେତେ ଅଧିକ ମାନବ ବିକାଶ ଘଟିପାରିବ ।
ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଓଡ଼ିଶା କ’ଣ ସତରେ ଭାରତରେ ଏକ ପଛୁଆ ରାଜ୍ୟ? ଅନ୍ୟ ରାଜ୍ୟ ସବୁ କ’ଣ ସଡ଼ିଶାଠାରୁ ଆଗରେ? ଗତ ୧୮ ବର୍ଷରେ ବିଜେଡ଼ି ଶାସନ ଅମଳରେ କ’ଣ ଓଡ଼ିଶାରେ କିଛି ବିକାଶ ହୋଇ ନାହିଁ? ବାସ୍ତବ କଥା ହେଉଛି ଓଡ଼ିଶା ସେତେ ପଛୁଆ ନୁହେଁ, ଯେପରି ପ୍ରଚାର କରାଯାଉଛି । ଏକ ରାଜ୍ୟ ପଛୁଆ କି ଆଗୁଆ ତାହା କେତେ ପ୍ରତିଶତ ଲୋକ ଦାରିଦ୍ର‌୍ୟ ସୀମାରେଖାତଳେ ଅଛନ୍ତି, ସେଥିରୁ ଜଣା ପଡ଼ିଥାଏ । ପ୍ରଥମତଃ ୨୦୧୧-୧୨ ପରେ ଆଉ ଦାରିଦ୍ର‌୍ୟ ଆକଳନ କରାଯାଇନାହିଁ । କେନ୍ଦ୍ରରେ କ୍ଷମତାଶୀଳ ବିଜେପି ନେତୃତ୍ୱାଧୀନ ଯୋଜନା ଆୟୋଗର ବିଲୟ ଘଟାଇ ନୀତି ଆୟୋଗ ଗଠନ କରିଛନ୍ତି । ପୂର୍ବରୁ ଯୋଜନା ଆୟୋଗ ଦାରିଦ୍ର‌୍ୟ ଆକଳନ କରୁଥିଲା । ନୀତି ଆୟୋଗ ଏଥିରୁ ବିରତ ରହିଛି ଯାହା ଠିକ୍ ନୁହେଁ । ଅବଶ୍ୟ ଦାରିଦ୍ର‌୍ୟ ଯେଉଁ ମାନଦଣ୍ଡରେ ଆକଳନ କରାଯାଏ ତାହାକମ୍ ମୁଲ୍ୟ ଉପରେ ପର୍ଯ୍ୟବସିତ । ଯେଉଁଥିରେ ଜଣେ ପେଟପୁରା ଖାଇବା ସମ୍ଭବ ନୁହେଁ । ତେନ୍ଦୁଲକର କମିଟି ରିପୋର୍ଟ (ଯାହାକୁ ସରକାରୀ ରିପୋର୍ଟ ସଠିକ୍ ଗ୍ରହଣ କରାଯାଇଛି) ଅନୁଯାୟୀ ଭାରତର ଗ୍ରାମାଞ୍ଚଳରେ ୨୫.୭% ଏବଂ ସହରାଞ୍ଚଳରେ ୧୩.୭% ଏବଂ ମୋଟ୍ ୁପରେ ୨୧.୯୨% ଦାରିଦ୍ର‌୍ୟ ସୀମାରେଖା ତଳେ ଥିବାବେଳେ ଓଡ଼ିଶାର ଗ୍ରାମାଞ୍ଚଳରେ ୩୫.୭% ଏବଂ ସହରାଞ୍ଚଳରେ ୧୭.୩% ଏବଂ ମୋଟ ଉପରେ ୩୨.୫୯% ଦାରିଦ୍ର‌୍ୟ ସୀମାରେଖା ତଳେ ଅଛନ୍ତି । ଓଡ଼ିଶାଠାରୁ ଅଧିକ ଦାରିଦ୍ର‌୍ୟ ହାର ଥିବା ରାଜ୍ୟ ମାନଙ୍କ ମଧ୍ୟରେ ଅଛନ୍ତି ଛତିଶଗଡ଼(୩୯.୯%), ଝାଡ଼ଖଣ୍ଡ(୩୭%), ମଣିପୁର(୩୧.୯%),ଅରୁଣାଚଳ ପ୍ରଦେଶ(୩୪.୩%) । ସେହିପରି ଆସାମ(୩୨%), ମଧ୍ୟପ୍ରଦେଶ(୩୧.୭%),ଉତ୍ତର ପ୍ରଦେଶର (୨୯.୪%) ଦାରିଦ୍ର‌୍ୟ ହାର ଓଡ଼ିଶା ପାଖାପାଖି ରହିଛି । ଏହି ସବୁ ରାଜ୍ୟରୁ ଅଧିକାଂଶ ରାଜ୍ୟରେ ବିଜେପି ଶାସନ କରୁଛି ବା କରୁଥିଲା । ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ୨୦୦୪-୦୫ରେ ଓଡ଼ିଶାରେ ଦାରିଦ୍ର‌୍ୟ ହାର ୫୭.୨୦% ଥିବା ବେଳେ ପରବର୍ତ୍ତୀ ୮ବର୍ଷରେ ୨୪.୬୧% ବା ବାର୍ଷିକ ୩.୫୨% ଦାରିଦ୍ର‌୍ୟ ହାର ହ୍ରାସ ପାଇଛି । ଏହି ହ୍ରାସ ଜାତୀୟ ହାରଠାରୁ ବହୁ ଅଧିକ । ଜାତୀୟ ସ୍ତରରେ ଏହି ଅବଧିର ୧୫% ବା ବାକି ୨.୧୪% ହ୍ରାସ ପାଇଛି । ଏହି ଅବଧିରେ ଜାତୀୟ ସ୍ତରରେ ସହରାଞ୍ଚଳରେ ୧୨% ଏବଂ ଗ୍ରାମାଞ୍ଚଳରେ ୧୬% ହ୍ରାସ ପାଇଥିବା ବେଳେ ଓଡ଼ିଶାର ସହରାଞ୍ଚଳରେ ୨୦.୩୧%. ଏବଂ ଗ୍ରାମାଞ୍ଚଳରେ ୨୫.୧୧% ହ୍ରାସ ପାଇଛି ସବୁଠାରୁ ଖୁସିର ବିଷୟ ହେଉଛି ୨୦୦୪-୦୫ରେ ଓଡ଼ିଶାର ଦାରିଦ୍ର‌୍ୟହାର (୫୭.୨୦%), ବିହାର (୫୪.୪%) ଠାରୁ ଅଧିକ ଥିଲା । କିନ୍ତୁ ବର୍ତ୍ତମାନ ବିହାର ଅପେକ୍ଷା ଓଡ଼ିଶାରେ ଦାରିଦ୍ର‌୍ୟ ହାର ହ୍ରାସ ସର୍ବାଧିକ । ଓଡ଼ିଶା ତଳକୁ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଯଥାକ୍ରମେ ୨ୟ,୩ୟ,୪ର୍ଥ ସ୍ଥାନରେ ରହିଛି ।୨୦୧୧-୧୨ ପରେ ଓଡ଼ଶାର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ଥିବାରୁ ବର୍ତ୍ତମାନ ଯଦି ଦାରିଦ୍ର‌୍ୟ ଆକଳନ ହୁଏ, ତେବେ ଓଡ଼ିଶାର ସ୍ଥିତିରେ ଆହୁରି ଅଧିକ ଉନ୍ନତି ଆସିବ । ଅବଶ୍ୟ ୨୦୧୩ରେ ରଘୁରାମ ରାଜନ(ପରେ ସେ ରଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଥିଲେ ) କେନ୍ଦ୍ରୀୟ ସହାୟତା ପ୍ରଦାନ ପାଇଁ ଏକ ମାନଦଣ୍ଡ ଘୋଷଣା କରିଥିଲେ । ସେହି ମାନଦଣ୍ଡ ଅନୁସାରେ ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟ ବୋଲି ପରିଗଣିତ ହୋଇଥିଲା । ସେ ୧୦ଟି କ୍ଷେତ୍ର ଯଥା ମୁଣ୍ଡପିଛା ବ୍ୟୟ, ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ସୁବିଧା, ଦାରିଦ୍ର‌୍ୟହାର, ମହିଳାଙ୍କ ସ୍ୱାକ୍ଷରତା ହାର, ଆଦିବାସୀ ଓ ହରିଜନ ସଂଖ୍ୟା, ସହରୀକରଣ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ବିଭିନ୍ନ ସ୍ଥାନ ମଧ୍ୟରେ ସଂଯୋଗ ଇତ୍ୟାଦିକୁ ବିଚାରକୁ ନେଇଥିଲେ । କେବଳ ଓଡ଼ିଶା ନୁହେଁ ବିହାର ମଧ୍ୟପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ,ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ମଧ୍ୟ ପଛୁଆ ରାଜ୍ୟଭାବେ ପରିଗଣିତ ହୋଇଥିଲେ । କିନ୍ତୁ ନିକଟରେ ଏକ ଗବେଷଣା ରଘୁରାମ ରାଜନ କମିଶନ ରିପୋର୍ଟକୁ ଖ୍ୟର୍ଣ୍ଣ କରିଛି ଏବଂ ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟ ନୁହେଁ ବୋଲି ମତ ଦେଇଛି । ଆମେରିକାର ଏବଂ ବିଶ୍ୱ ବିଦ୍ୟାଳୟରୁ ପ୍ରକାଶିତ ଜର୍ଣ୍ଣାଲରେ ୪ଜଣ ଅଧ୍ୟାପକଙ୍କ ଲିଖିତ ଏବଂ ନିବନ୍ଧ ଅନୁସାରେ ୨୦୦୩ରୁ୨୦୧୩ ମଧ୍ୟରେ ଓଡ଼ିଶାରେ ଆର୍ôଥକ ଅଭିବୃଦ୍ଧି ବା ଗ୍ରସ ଷ୍ଟେଟ ଡୋମେଷ୍ଟିକ ପ୍ରଡ଼କ୍ଟ(ଜି.ଏସ୍.ଡିପି) ବୃଦ୍ଧିହାର କେବଳ ଜାତୀୟ ହାରଠାରୁ ଅଧିକ ନୁହେଁ ୧୫ଟି ରାଜ୍ୟଠାରୁ ମଧ୍ୟ ଅଧିକ । ଯଦିଓ କେବଳ ଆର୍ଥିକ ଅଭିବୃର୍ଦ୍ଧି ଜନସାଧାରଣଙ୍କର ବିକାଶ ଜୀବନଧାରଣ ମାନ ଉନ୍ନତିର ପ୍ରତିଫଳନ ନୁହେଁ, ତଥାପି ଏହା ଅର୍ଥନୈତିକ କାର୍ଯ୍ୟକଳାପର ଏକ ପ୍ରତିଫଳନ । ୨୦୧୭-୧୮ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଅର୍ଥନୀତି ୨୦୧୧ରୁ୨୦୧୭ ମଧ୍ୟରେ ୫୩% ବୃଦ୍ଧି ପାଇଥିବା ବେଳେ ମୁଣ୍ଡପିଛା ୪୨ ପ୍ରତିଶତ ବୃଦ୍ଧି ପାଇ ୯୨୭୨୮ ଟଙ୍କାରେ ପହଁଚିଛି । ଅବଶ୍ୟ ଏହା ଜାତୀୟ ସ୍ତରରେ ୧୨୬୩୪୯ ଟଙ୍କାଠାରୁ କମ୍ ଅଛି । ୨୦୧୭-୧୮ ଜାତୀୟ ସ୍ତରରେ ଆର୍ଥୀକ ଅଭିବୃଦ୍ଧି ୬.୫ ହୋଇଥିବା ବେଳେ ଓଡ଼ିଶାରେ ଏହା ୭.୧୪% ହୋଇଛି । ସଂଶୋଧିତ ଆକଳନରେ ଜାତୀୟ ସ୍ତରରେ ଏହା ୬.୭% ସେହିପରି ୨୦୧୬-୧୭ରେ ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ୭.୧% ହୋଇଥିବା ବେଳେ ଓଡ଼ିଶାରେ ଏହା ୭.୯୪% ହୋଇଛି । ଯଦି ମୁଣ୍ଡପିଛା ଆୟ କଥା ବିଚାର କରାଯାଏ ତେବେ ଓଡ଼ିଶା ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୫ତମ ସ୍ଥାନରେ ରହିଛି । କିନ୍ତୁ ଓଡ଼ିଶା ପରକୁ ତ୍ରିପୁରା, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଝାଡ଼ଖଣ୍ଡ,ମଣିପୁର,ଉତ୍ତରପ୍ରଦେଶ ଓ ବିହାର ରହିଛି । ମୁଣ୍ଡବିଛା ଆୟ ଦୃଷ୍ଟିରୁ ଗୋଆ,ଦିଲ୍ଲୀ ଯଥାକ୍ରମେ ୧ମ ଓ୨ୟ ସ୍ଥାନରେ ରହିଥିବା ବେଳେ ବିହାର ସବୁଠାରୁ ତଳେ ରହିଛି । ଏଣୁ ଓଡ଼ିଶାକୁ ଯେଉଁ ପଛୁଆ ରାଜ୍ୟଭାବେ ପ୍ରଚାର କରାଯାଉଛି ତାହା ଠିକ୍ ନୁହେଁ । କିନ୍ତୁ ଏହାର ଅର୍ଥ ନୁହେଁ ଓଡ଼ିଶାରେ ଆଉ ବିକାଶର ସମ୍ଭାବନା ନାହିଁ ବା ସବୁ ଠିକ୍ ରହିଛି । ସବୁ ରାଜ୍ୟପରି ଗଣଦୂଷ୍କର୍ମ ଯୌନ ନିଯ୍ୟାତନା, ହତ୍ୟା, ନାରୀନିର୍ଯାତନା ପରି ଅନେକ ସାମାଜିକ ସମସ୍ୟା ରହିଛି । ଅନ୍ୟ ରାଜ୍ୟପରି ଏଠାରେ ମଧ୍ୟ ଚାଷୀ ଆତ୍ମହତ୍ୟା ଘଟୁଛି । ପ୍ରାୟ୬୦% ଜନତା କୃଷି କ୍ଷେତ୍ରଉପରେ ନିର୍ଭର କରିଥିବାବେଳେ କୃଷିକ୍ଷେତ୍ର ଅବହେଳିତ ହୋଇ ରହିଛି । ମୋଟ ୱାର୍କ ଫୋର୍ସର ୭୩% କୃଷି କ୍ଷେତ୍ରରେ ନିୟୋଜିତ । କିନ୍ତୁ ମୋଟ ୮୭.୪୬ ଲକ୍ଷ ହେକ୍ଟର ଚାଷ ଜମିରୁ ମାତ୍ର ୧୮.୭୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ।
ଯାହା ଉଦ୍ବେଗଜନକ, ଅନେକ ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଛି ତାହାର ପୁନରୁଦ୍ଧାର ପାଇଁ ପ୍ରୟାସ ନାହିଁ । ସେହିପରି ବିଭିନ୍ନ ଅଫିସ୍, ସରକାରୀ ସଂସ୍ଥାରେ ଖାଲିପଦକୁ ପୂରଣ କରାଯାଉନାହିଁ । ବିଶେଷତଃ ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଆବଶ୍ୟକ ଖାଲି ପଦକ ପୂରଣ କରାଯାଉ ନାହିଁ । ଅନ୍ୟ ରାଜ୍ୟ ପରି ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ର ଅଧିକରୁ ଅଧିକ ଘରୋଇକ୍ଷେତ୍ର ନିୟନ୍ତ୍ରଣକୁ ଚାଲିଯାଉଛି । ଯଦିଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ତଥାପି ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁ ହାର ଉଦବେଗଜନକ ସ୍ଥିତିରେ ରହିଛି । ଓଡ଼ିଶା ପ୍ରଗତି ଓ ଅଭିବୃଦ୍ଧି ପାଇଁ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ସ୍ଥାନରେ ଯଥା ମୁମ୍ବାଇ, କୋଲକତା,ହାଇଦ୍ରାବାଦ୍,ବେଙ୍ଗାଲୁର ଓ ଭୂବନେଶ୍ୱର ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକୃଷ୍ଟ କରିଥିବାବେଳେ ନିକଟରେ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ ଆୟୋଜିତ ହୋଇଯାଇଛି । ପୁଞ୍ଜି ନିବେଶ କାରୀଙ୍କୁ ଆକୃଷ୍ଟ କରିବା ପାଇଁ ସବୁପ୍ରକାର ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି ବୋଲି ରାଜ୍ୟ ସରକାର ଦାବି କରି ଆସୁଛନ୍ତି । ଏପଟେ ସରକାର ଶିଳ୍ପାୟନ କଥା କହିଲାବେଳେ ବନ୍ଦ ହୋଇ ପଡ଼ିଥବା ବିଭିନ୍ନ ଶିଳ୍ପର ପୁନରୁଦ୍ଧାର ପାଇଁ ପ୍ରୟାସ କରୁ ନାହାଁନ୍ତି । ସେଥି ମଧ୍ୟରେ ରହିଛି କୋଣାର୍କ ଟିଭି, ଅଏଲ୍ ଓଡ଼ିଶା, ଇପିଟ୍ରନ୍ ଟାଇମସ, ଚୌଦ୍ୱାରର ଓ.ଟି.ଏମ୍, ଟାଇଲ ଫାକ୍ଟରୀ, ବାରଙ୍ଗ କାଚକାରଖାନା, ଇଷ୍ଟକୋଷ୍ଟ ଫର୍ଟିଲାଇଜର, ନୟାଗଡ଼, ବଡ଼ମ୍ବା, ବରଗଡ଼, ଆସ୍କା ଚିନିକାରଖାନା, ସୋନପୁର ସୂତାକଳ, ହୀରାକୁଦର ରି ରୋଲିଂ ମିଲ୍ ଆଦି ଅନେକ ଶିଳ୍ପ ରହିଛି । ଏସବୁର ପୁନରୁଦ୍ଧାର ନିହାତି ଆବଶ୍ୟକ । ପୁନଶ୍ଚ ଖଣିଜ ସମ୍ପଦ ଅସରନ୍ତି ନୁହେଁ । କେବଳ ଖଣିଜ ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ନଦେଇ କୃଷି ଭିତ୍ତିକ, ସାମୁଦ୍ରିକ ସମ୍ପଦ ଭିତ୍ତିକ, ଶିଳ୍ପ, ହସ୍ତଶିଳ୍ପ, କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଅଳ୍ପକେତେଟି ନିର୍ଦ୍ଧିଷ୍ଟ ସ୍ଥାନରେ ଶିଳ୍ପ ପ୍ରତିଷ୍ଠା ନକରି ବିଭିନ୍ନ ସ୍ଥାନରେ କରିବା ଆବଶ୍ୟକ । ଯାହା ଫଳରେ ସ୍ଥନୀୟ ଅଞ୍ଚଳର ବିକାଶ ହେବ । ବାଙ୍ଗାଲୋର ପରି ଭୁବନେଶ୍ୱରରେ ସୂଚନା ପ୍ରଯୁକ୍ତି ବିଦ୍ୟା ବା ଆଇଟି ଶିଳ୍ୱ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ପର୍ଯ୍ୟଟନର ବିକାଶ ଘଟାଇ ଏକ ବଡ଼ ଶିଳ୍ପଭାବେ ବିକାଶ କରାଯାଇପାରିବ । ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଏପରି ବିଭନ୍ନ ସ୍ଥାନ ରହିଛି ଯାହାକୁ ପର୍ଯ୍ୟଟନର ବିକାଶ ପାଇଁ ବ୍ୟବହାର କରାଯାଇ ପାରିବ । ଯାହାଫଳରେ ପରୋକ୍ଷରେ ଅନେକ ନିଯୁକ୍ତି ସୃଷ୍ଟିକରାଯାଇ ପାରିବ । ଯେପରି ଓଡ଼ିଶା ପଛୁଆ ବୋଲି କହିବା ଠିକ୍ ନୁହେଁ ସେହିପରି ଓଡ଼ିଶାର ବିକାଶରେ ଅହୁରି ସମ୍ଭାବନା ନାହିଁ ବୋଲି ଭାବିବା ଭୂଲ । କିନ୍ତୁ କୃଷିର ବିକାଶ ବିନା ଓଡ଼ିଶାର ବିକାଶ ଅସମ୍ଭବ । ମାନବିକ ବିକାଶକୁ ଅଧିକ ପ୍ରାଧାନ୍ୟ ଦିଆଯାଉ କାରଣ ମାନବିକ ଉନ୍ନୟନ ସୂଚକାଙ୍କରେ ଓଡ଼ିଶା ବହୁତ ପଛରେ ଅଛି ।
ଡକ୍ଟର ସନ୍ତୋଷ କୁମାର ମହାପାତ୍ର, ଡ଼ିଭାଇନ୍ ନଗର, ଚାଉଳିଆଗଞ୍ଜ, କଟକ

Previous ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ଼ ‘ପେଥାଇ’,ମୁକାବିଲା ପାଇଁ ଆନ୍ଧ୍ର-ଓଡ଼ିଶା ସଜାଗ
Next ଔଷଧୀୟ ନିମ୍ବ ...

No Comment

Leave a reply

Your email address will not be published. Required fields are marked *