ସଫଳତାର ୭ଟି ମନ୍ତ୍ର: ଶୋଇବା ଆଗରୁ କରନ୍ତୁ ଏହିସବୁ କାମ

Successful people do right before sleep

ଆପଣ ପ୍ରତିରାତିରେ ଶୋଇବା ପୂର୍ବରୁ କ’ଣ କରନ୍ତି? ଟିଭି ଦେଖନ୍ତି, ମୋବାଇଲରେ ଫେସବୁକ ଓ ହ୍ୱାଟସ୍ଅପ୍ ଆଦି ଦେଖନ୍ତି, ବହି ପଢ଼ନ୍ତି ନା ପରିବାର ସହିତ ସମୟ ବିତାନ୍ତି? ଜାଣନ୍ତି କି, ସଫଳ ବ୍ୟକ୍ତିମାନେ ଶୋଇବା ପୂର୍ବରୁ କ’ଣ କରନ୍ତି? ରାତିରେ ନିଦ୍ରା ଯିବା ପୂର୍ବରୁ କରାଯାଉଥିବା କାମ ଆପଣଙ୍କ ପାଇଁ ସାଧାରଣ ଓ ଗୁରୁତ୍ୱହୀନ ଲାଗୁଥାଇପାରେ । କିନ୍ତୁ ଏହା ଭିତରେ ଲୁଚିରହିଛି ଅନେକଙ୍କ ସଫଳତାର ମନ୍ତ୍ର ।

  1. ଗୋଟିଏ ଦିନକୁ ବିଭିନ୍ନ ପର୍ଯ୍ୟାୟରେ ଭାଗ କରିଦିଅନ୍ତୁ ଏବଂ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ନିର୍ଦ୍ଦିଷ୍ଟ କାମ ସ୍ଥିର କରନ୍ତୁ । ରାତିରେ ଶୋଇବାକୁ ଯିବା ପୂର୍ବରୁ ଭାବନ୍ତୁ ଯେ, ଆପଣଙ୍କ କର୍ମଜୀବନ ପାଇଁ ସେହି ଦିନଟି ଶେଷ ହୋଇଛି ଏବଂ ଆପଣ ଦିନର ଆଉ ଏକ ପର୍ଯ୍ୟାୟକୁ ଗତି କରୁଛନ୍ତି । ଅର୍ଥାତ୍ ଆପଣ ଯଦି ସନ୍ଧ୍ୟା ୭ଟା ସୁଦ୍ଧା ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି, ତେବେ ତାହାକୁ ସେହି ସମୟ ଭିତରେ ହିଁ ସାରନ୍ତୁ । ୭ଟା ପରେ ଜୀବନର ଅନ୍ୟ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣ ସନ୍ଧ୍ୟାରେ ନିଜ ପରିବାର ଲୋକଙ୍କୁ ବାହାରକୁ ବୁଲାଇନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ତେବେ ତାହାକୁ ଠିକ୍ ସମୟରେ ପାଳନ କରନ୍ତୁ । ବିଳମ୍ବ କରନ୍ତୁ ନାହିଁ କି ସେମାନଙ୍କ ପାଇଁ ସ୍ଥିର କରିଥିବା ସମୟ ଅନ୍ୟ କାମ ପାଇଁ ବ୍ୟୟ କରନ୍ତୁ ନାହିଁ ।
  2. ଶୋଇବା ପୂର୍ବରୁ ବହି ପଢ଼ିବା ଏକ ଭଲ ଅଭ୍ୟାସ । କିନ୍ତୁ ରାତିରେ ମୋବାଇଲ କିମ୍ବା ଟାବ୍ ଆଦିରୁ ବହି ପଢ଼ନ୍ତୁ ନାହିଁ । ଅନେକ ସଫଳ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ ନିଜ ପସନ୍ଦର ବହି ପଢ଼ନ୍ତି । ଏହା ଦ୍ୱାରା ସେମାନେ ବହୁ ନୂଆନୂଆ କଥା ଜାଣି ଜ୍ଞାନ ବୃଦ୍ଧି କରିବା ସହିତ ଗୋଟିଏ ପ୍ରସଙ୍ଗରେ ଅନ୍ୟମାନେ କଣ ମତ ଦେଉଛନ୍ତି ତାହା ଜାଣିପାରନ୍ତି । ବିଲ୍ ଗେଟ୍ସ ମଧ୍ୟ ଏକ ଇଣ୍ଟରଭୁ୍୍ୟରେ କହିଥିଲେ ଯେ, ସେ ରାତିରେ ଶୋଇବା ପୂର୍ବରୁ ବହି ପଢ଼ନ୍ତି ଓ ପଢ଼ିପଢି଼ ଥକା ଅନୁଭବ କଲେ ଶୋଇବାକୁ ଯାଆନ୍ତି ।
  3. ନିଜ ପରିବାର ଓ ବନ୍ଧୁଙ୍କ ସହିତ ସମୟ ବିତାନ୍ତୁ । କର୍ମମୟ ଜୀବନରେ ଆନ୍ତରିକ ଶାନ୍ତି ପାଇଁ ପରିବାର ଓ ବନ୍ଧୁଙ୍କ ସହିତ କିଛି ଉକ୍ରୃଷ୍ଟ ସମୟ ବିତାଇବା ନିହାତି ଜରୁରୀ । ତେଣୁ ଆପଣ ଯଦି ଦିନସାରା ନିଜ କାମରେ ବ୍ୟସ୍ତ ରହୁଛନ୍ତି, ତେବେ ରାତିରେ ଘରକୁ ଫେରିଲେ ନିଜ ପରିବାର ସହ କିଛି ସମୟ ବିତାନ୍ତୁ । ଏହା ଆପଣଙ୍କ ସହ ସେମାନଙ୍କୁ ମଧ୍ୟ ଖୁସି କରିବ । ସେହିପରି ସପ୍ତାହର ଅନ୍ତତଃ ଗୋଟିଏ ଦିନ କାମରୁ ଫେରି ବନ୍ଧୁମାନଙ୍କୁ ଭେଟିବାକୁ ଯାଆନ୍ତୁ । ଅନ୍ୟ ଦିନ ଗୁଡ଼ିକ ପରିବାର ଲୋକଙ୍କ ସହିତ ବିତାନ୍ତୁ । ଏହାଦ୍ୱାରା ସାମାଜିକ ସମ୍ପର୍କ ସନ୍ତୁଳିତ ରହିବ ।
  4. ଆଜି ରାତିରେ ଶୋଇବା ପୂର୍ବରୁ ଆସନ୍ତାକାଲି ପାଇଁ ଯୋଜନା ତିଆରି କରନ୍ତୁ ଓ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଆସନ୍ତା ଦିନ ପାଇଁ ଯୋଜନା ପ୍ରସ୍ତୁତ କରି ସେଗୁଡ଼ିକୁ ଲେଖି ରଖନ୍ତୁ । ଅନେକେ ରାତିରେ ଶୋଇବା ପୂର୍ବରୁ ପରଦିନ ପାଇଁ ପୋଷାକ ଆଇରନ୍ କରିରଖନ୍ତି ଏବଂ ସମସ୍ତ ଆବଶ୍ୟକ କାଗଜପତ୍ର ସଜାଡ଼ି ରଖନ୍ତି । ଏହାଫଳରେ ଆପଣ ଯେତେବେଳେ ସକାଳୁ ଉଠିବେ, ଆପଣଙ୍କ ସୁବିଧା ପାଇଁ ସମସ୍ତ ଆବଶ୍ୟକ ସାମଗ୍ରୀ ଓ ଯୋଜନା ହାତପାଆନ୍ତାରେ ପ୍ରସ୍ତୁତ ହୋଇ ରହିଥିବ । ଆପଣଙ୍କୁ ସକାଳୁ ଆଉ ତରତର ହୋଇ ସବୁକିଛି ପ୍ରସ୍ତୁତ କରିବାକୁ ପଡ଼ିବ ନାହିଁ ।
  5. ରାତିରେ ଶୋଇବା ପୂର୍ବରୁ ଦିନସାରା କଣ କଲେ ତାହାକୁ କିଛି ସମୟ ପାଇଁ ଆଉଥରେ ପର୍ଯ୍ୟାଲୋଚନା କରନ୍ତୁ । ସଫଳ ହୋଇଥିବା କାମ ଗୁଡ଼ିକ ପାଇଁ ଖୁସି ହୁଅନ୍ତୁ ଓ ବିଫଳତା ବା ଅଧା ରହିଥିବା କାମ ଗୁଡ଼ିକରୁ ଶିକ୍ଷାଲାଭ କରନ୍ତୁ । ଆପଣ ଚାହିଁଲେ ପ୍ରତିଦିନ ଆପଣ କରିଥିବା କିଛି ସଫଳ କାମ ବା ଭଲକାମକୁ ଡାଏରୀରେ ଲେଖି ରଖିବାର ଅଭ୍ୟାସ କରନ୍ତୁ । ଏହା ମନରେ ସକାରାତ୍ମକ ଭାବନା ଆଣିଥାଏ ।
  6. ବାହ୍ୟଜଗତ ଠାରୁ ନିଜକୁ ବିଚ୍ଛିନ୍ନ କରନ୍ତୁ ଏବଂ କର୍ମବ୍ୟସ୍ତ ଜୀବନରୁ ବାହାରି ନିଜ ପାଇଁ କିଛି ସମୟ ଦିଅନ୍ତୁ । ଆଜିକାଲି କାମସାରି ଆପଣ ରାତିରେ ଘରକୁ ଫେରିବା ପରେ ମଧ୍ୟ ଶାନ୍ତି ମିଳେ ନାହିଁ । କେତେବେଳେ ଫୋନ୍ ଆସେ ତ ଆଉ କେତେବେଳେ ଫେସବୁକ ହ୍ୱାଟସଆପ୍ ଆଦିରେ ମେସେଜ ଓ ନୋଟିଫିକେସନ୍ । ତେଣୁ ଆପଣ ନିଜ ଭିତରେ ନିମଗ୍ନ ହୋଇ କିଛି ସମୟ ବିତାଇବାକୁ ଚାହୁଁଥିଲେ, ଘରକୁ ଫେରିବା ପରେ ନିର୍ଦ୍ଦିଷ୍ଟ କିଛି ସମୟ ପାଇଁ ଫୋନ, ଇଣ୍ଟରନେଟ ଆଦି ବନ୍ଦ କରିଦିଅନ୍ତୁ କିମ୍ବା ସାଇଲେଣ୍ଟ କରି କେଉଁଠି ରଖିଦିଅନ୍ତୁ ।
  7. ରାତିରେ ଶୋଇବା ପୂର୍ବରୁ ଧ୍ୟାନ କରିବା ମଧ୍ୟ ଏକ ଉତ୍ତମ ଅଭ୍ୟାସ । ଏହାଦ୍ୱାରା ଆପଣଙ୍କୁ ଉଭୟ ମାନସିକ ଓ ଶାରିରୀକ ଶାନ୍ତି ମିଳିଥାଏ । ରାତିରେ ନିଦ ମଧ୍ୟ ଭଲହୁଏ । ଧ୍ୟାନ ପରେ ଆପଣ ଆରାମ ଅନୁଭବ କରିବେ ଏବଂ ନିଜ ଭିତରେ ଏକ ଆଭ୍ୟନ୍ତରୀଣ ଶକ୍ତି ଅନୁଭବ କରିପାରିବେ । ତେଣୁ ଶୋଇବା ପୂର୍ବରୁ ଅତିକମ୍ରେ ୫ରୁ ୧୦ ମିନିଟ ଧ୍ୟାନ କରିପାରନ୍ତି ।
Previous ସାବଧାନ, କୁକୁଡ଼ାଙ୍କୁ ଦିଆଯାଉଛି ବିପଜ୍ଜନକ ଆଣ୍ଟିବାୟୋଟିକ୍ !
Next ପିଟରସନଙ୍କ ମନପସନ୍ଦ ବିଶ୍ୱ ଏକାଦଶ : ତିନିଟିଯାକ ଫର୍ମାଟରେ ସେହୱାଗ

No Comment

Leave a reply

Your email address will not be published. Required fields are marked *